ନୂଆଦିଲ୍ଲୀ: ରବିବାର ମ୍ୟାଚ୍ରେ ପାକିସ୍ତାନୀ ବ୍ୟାଟ୍ସମ୍ୟାନ୍ ଆସିଫ୍ ଅଲୀଙ୍କ ଏକ ସହଜସାଧ୍ୟ କ୍ୟାଚ୍ ହାତଛଡ଼ା କରିବା ପରେ ଭାରତର ଯୁବ ପେସର୍ ଅର୍ଶଦୀପ ସିଂହଙ୍କୁ ୱିକିପିଡିଆରେ “ଖଲିସ୍ତାନୀ’ ବୋଲି ଅଭିହିତ କରାଯାଇଛି । କେତେକ ଅସାମାଜିକ ତତ୍ତ୍ୱ ଅର୍ଶଦୀପଙ୍କ ୱିକିପିଡିଆରେ ଏପରି ଏକାଧିକ ପରିବର୍ତ୍ତନ କରିଛନ୍ତି । ଏହାକୁ କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ପକ୍ଷରୁ କଡ଼ା ସମାଲୋଚନା କରାଯାଇଛି । ସେହିପରି କେନ୍ଦ୍ର ସୂଚନା ଓ ପ୍ରଯୁକ୍ତ ବିଦ୍ୟା ମନ୍ତ୍ରଣାଳୟ ପକ୍ଷରୁ ଏନେଇ ୱିକିପିଡିଆ କର୍ତ୍ତୃପକ୍ଷଙ୍କୁ ସମନ୍ କରାଯାଇଛି ।
ଅର୍ଶଦୀପଙ୍କ ୱିକିପିଡିଆରେ ତାଙ୍କୁ ଖଲିସ୍ତାନ ପଞ୍ଜାବ ପକ୍ଷରୁ ପ୍ରତିନିଧିତ୍ୱ କରିବାର ସୁଯୋଗ ମିଳିଥିବା ମଧ୍ୟ ଦର୍ଶାଯାଇଛି । ସେହିପରି ଅର୍ଶଦୀପଙ୍କୁ ମେଜର୍ ଅର୍ଶଦୀପ ସିଂହ ବାଜୱା ବୋଲି ମଧ୍ୟ ଦର୍ଶାଯାଇଛି । ଅବଶ୍ୟ ଏସବୁ ପରିବର୍ତ୍ତନକୁ କିଛି ସମୟ ପରେ ୱିକିଡିଆ ସମ୍ପାଦକମଣ୍ଡଳୀ ପକ୍ଷରୁ ହଟାଇଦିଆଯାଇଛି । ସେହିପରି ଅର୍ଶଦୀପଙ୍କ ତ୍ରୁଟିକୁ ମାନବକୃତ ବୋଲି କହିବା ସହ ଟିମ୍ ଇଣ୍ଡିଆର ପୂର୍ବତନ ଅଧିନାୟକ ବିରାଟ କୋହଲି ତାଙ୍କୁ ଭରପୂର ସମର୍ଥନ କରିଛନ୍ତି ।