ଭୁବନେଶ୍ୱର: ରୂପ ଓ ବେଶ ଦେଖାଇ ସମସ୍ତଙ୍କୁ ଫସାଇ ଦେଉଥିଲେ । ପୁରୀରୁ ପ୍ରସାଦ ଆଣି ଲୋକଙ୍କ ଘରକୁ ଯାଉଥିଲେ । ଏହାପରେ ପ୍ରସାଦରେ ନିଶାଔଷଧ ମିଶାଇ ଖାଇବାକୁ ଦେଉଥିଲେ । ଏହାକୁ ଖାଇବା ପରେ ଯୁବକମାନେ ପୂରା ନିଦରେ ଶୋଇପଡୁଥିଲେ । ସୁଯୋଗ ଦେଖି ସେମାନଙ୍କ ଠାରୁ ସବୁ ଲୁଟି ଛୁ’ ହୋଇଯାଉଥିଲେ ଆଞ୍ଜେଲ୍ ପିୟୁ । ଏଭଳି ଘଟଣା ଦେଖିବାକୁ ମିଳିଛି ଭୁବନେଶ୍ୱରର ସହିଦନଗର ଥାନା ଅଞ୍ଚଳରେ । ଏହି ଆଞ୍ଜେଲ୍ ପିୟୁ ସହିଦନଗର ଥାନା ଅନ୍ତର୍ଗତ ବାଙ୍କୁଆଳ ରିଭର୍ସାଇଜ୍ ଆପାର୍ଟମେଣ୍ଟ୍ରେ ରହୁଥିବା ଜଣେ ବ୍ୟବସାୟୀଙ୍କ ଘରକୁ ଆସିଥିଲେ । ପରେ ତାଙ୍କୁ ନିଶା ଦେଇ ଶୁଆଇବା ପରେ ୧୦ଲକ୍ଷ ଟଙ୍କାର ସୁନାଗହଣା ସମେତ ଟଙ୍କା ନେଇ ଫେରାର୍ ହୋଇଯାଇଥିଲେ। ପରେ ନିଜର ଫୋନ୍ ସ୍ୱିଚ୍ ଅଫ୍ ରଖି ଲୁଚି ଯାଇଥିଲେ । ଏହି ମାମଲାରେ ସହିଦନଗର ପୁଲିସ ଆଞ୍ଜେଲ୍ ପିୟୁ ଓରଫ ପିହୁ ବିଶ୍ୱାସ୍(୩୯)ଙ୍କୁ ବୁଧବାର ଗିରଫ କରି କୋର୍ଟଚାଲାଣ କରିଛି ।
ତାଙ୍କଠାରୁ ୫ଲକ୍ଷ ଟଙ୍କାର ୧୦ଟି ସୁନାମୁଦି, ସୁନାଚେନ୍ ସମେତ ନଗଦ ଟଙ୍କା ଜବତ କରାଯାଇଛି । ପିୟୁଙ୍କ ଘର ପଶ୍ଚିମବଙ୍ଗ ହୋଇଥିବାବେଳେ ସେ ପୁରୀ ଜିଲ୍ଲା ବଳିଆପଣ୍ଡା ଥାନା ଅଞ୍ଚଳରେ ରହୁଥିଲେ । ପୁଲିସ ମଙ୍ଗଳବାର ରାତିରେ ବଳିଆପଣ୍ଡା ଅଞ୍ଚଳରେ ଚଢ଼ଉ କରି ତାଙ୍କୁ ଗିରଫ କରିଥିଲା । ସୂଚନା ଅନୁଯାୟୀ, ପୁରୀର ଜଣେ ବ୍ୟବସାୟୀଙ୍କ ବାଙ୍କୁଆଳରେ ଥିବା ରିଭ୍ରସାଇଜ ଆପାର୍ଟମେଣ୍ଟରେ ଏକ ଫ୍ଲାଟ୍ ରହିଛି । ସେ ଭୁବନେଶ୍ୱର ଆସିଲେ ସେଠାରେ ରହିବା ସହ ନିଜର ବ୍ୟବସାୟୀ କାର୍ଯ୍ୟ କରନ୍ତି । ପିୟୁ ବିଶ୍ୱାସ କିଛି ଦିନ ତଳେ ସୋସିଆଲ ମିଡିଆରୁ ସମ୍ପୃକ୍ତ ବ୍ୟବସାୟୀଙ୍କ ସଂସ୍ପର୍ଶରେ ଆସିଥିଲେ । ନିଜକୁ ଏକ ପ୍ରତିଷ୍ଠିତ କଲେଜର କର୍ମଚାରୀ ବୋଲି ପରିଚୟ ଦେଇଥିଲେ । ଏହାସହ ଘର ପୁରୀରେ ବୋଲି କହିଥିଲେ । ଏହାପରେ ବ୍ୟବସାୟୀ ଜଣକ ତାଙ୍କ ସହ ମିଳାମିଶା କରିଥିଲେ । ପରେ ପିୟୁ ବ୍ୟବସାୟୀଙ୍କୁ ଏକ ବୀମାପଲିସି କରିବା ସହ ଏକାକି ଦେଖା କରିବାକୁ କହିଥିଲେ । ପିୟୁଙ୍କ ଚେହେରା ଦେଖି ବ୍ୟବସାୟୀ ଜଣକ ମଧ୍ୟ ତାଙ୍କ ଜାଲରେ ପଡ଼ିଯାଇଥିଲେ ।
ଏନେଇ ସେପ୍ଟେମ୍ବର ୧୪ତାରିଖ ସନ୍ଧ୍ୟାରେ ତାଙ୍କୁ ବାଙ୍କୁଆଳ ସ୍ଥିତ ଆପାର୍ଟମେଣ୍ଟକୁ ଡାକିଥିଲେ । ପିୟୁ ସନ୍ଧ୍ୟାବେଳେ ପୁରୀରୁ ପ୍ରସାଦ ଧରି ବ୍ୟବସାୟୀଙ୍କ ଫ୍ଲାଟ୍ରେ ପହଞ୍ଚିଥିଲେ । ଆଣିଥିବା ପ୍ରସାଦରେ ସେ ପୂର୍ବରୁ ନିଶା ଔଷଧ ମିଶାଇ ଦେଇଥିଲେ । ଏହାପରେ ଦୁହେଁ କିଛି ସମୟ କଥାବାର୍ତ୍ତା ହୋଇଥିଲେ । ପରେ କିଛି ସମୟ ପାଇଁ ବ୍ୟବସାୟୀ ବାଥ୍ରୁମ୍ ଯାଇଥିଲେ । ବାଥ୍ରୁମରୁ ଆସିବା ପରେ ପ୍ରସାଦ ଖାଇବେ ବୋଲି କହିଥିଲେ । ଏହି ସମୟରେ ପିୟୁ ଏକ ଥାଳିକୁ ପ୍ରସାଦ ବାହାର କରିବା ସହ ଏକ ଗ୍ଲାସ୍ ପାଣିରେ ମଧ୍ୟ ନିଶାଔଷଧ ମିଶାଇ ରଖିଥିଲେ । ବ୍ୟବସାୟୀ ବାଥରୁମ୍ରୁ ଆସି ପ୍ରସାଦ ଖାଇବା ପରେ ଗ୍ଲାସ୍ ପାଣି ପିଇଥିଲେ ।
ଏହାପରେ ବ୍ୟବସାୟୀଙ୍କୁ ନିଦ ହୋଇଯାଇଥିଲା । ଏହାର ସୁଯୋଗ ନେଇ ପିୟୁ ତାଙ୍କ ହାତରୁ ୧୦ଲକ୍ଷ ଟଙ୍କାର ୮ରୁ ୧୦ଟି ସୁନାମୁଦି, ସୁନା ବ୍ରେସଲେଟ୍, ସୁନାଘଣ୍ଟା, ସୁନାଚେନ୍, ଆଇଫୋନ୍ ଏବଂ ନଗଦ ଟଙ୍କା ଲୁଟି ସେଠାରୁ ଚମ୍ପଟ୍ ମାରିଥିଲେ । ବ୍ୟବସାୟୀ ୧୫ତାରିଖ ସକାଳୁ ଉଠିବା ପରେ ଲୁଟ୍ର ଶିକାର ହୋଇଥିବା ଜାଣିବାକୁ ପାଇଥିଲେ । ଏହାପରେ ସେ ସହିଦନଗର ଥାନାରେ ଅଭିଯୋଗ କରିଥିଲେ। ଅଭିଯୋଗକୁ ଭିତ୍ତିକରି ପୁଲିସ ଏକ ମାମଲା ରୁଜୁ କରିଥିଲା । ପରେ ପୁଲିସ ଘଟଣାର ତଦନ୍ତ କରିବାକୁ ଯାଇ ଅଭିଯୁକ୍ତ ମହିଳା ପୁରୀ ବଳିଆପଣ୍ଡା ଅଞ୍ଚଳରେ ଥିବା ଜାଣିବାକୁ ପାଇଥିଲେ ।
-ବିବାହିତ ହୋଇ ବି ଫସାଉଥିଲେ
ଆଞ୍ଜେଲ ପିୟୁ ଓରଫ ପିହୁ ବିଶ୍ୱାସ ଜଣେ ବିବାହିତା ମହିଳା । ଏହାପରେ ବି ସେ ଫେସ୍ବୁକ ଓ ହ୍ୱାଟ୍ସଆପ୍ରେ ବିଭିନ୍ନ ଯୁବକଙ୍କୁ ଫସାଉଥିଲେ । ବିଶେଷକରି ବଡ଼ବଡ଼ ବ୍ୟବସାୟୀ ଓ ଅଫିସରଙ୍କୁ ଟାର୍ଗେଟ୍ କରୁଥିଲେ । ବାଙ୍କୁଆଳ ଅଞ୍ଚଳର ବ୍ୟବସାୟୀଙ୍କ ବାଦ୍ ସେ ଅନ୍ୟ କେତେକ ବ୍ୟବସାୟୀଙ୍କୁ ମଧ୍ୟ ଲୁଟିଥିବା କୁହାଯାଉଛି । ହେଲେ ଲୋକଲଜ୍ଜା ଭୟରେ ସମ୍ପୃକ୍ତ ବ୍ୟବସାୟୀମାନେ ପୁଲିସ ନିକଟରେ ଅଭିଯୋଗ କରିନାହାନ୍ତି ।
– ୩ମାସ ସମ୍ପର୍କରେ ରହୁଥିଲେ
ପିୟୁଙ୍କ ଚାଲ୍ ବୁଝିବା କଷ୍ଟକର । ପ୍ରଥମେ ଫେସବୁକ୍ରେ କଥା ହେଉଥିଲେ । ପରେ ନମ୍ବର ଆଣି ହ୍ୱାଟ୍ସଆପ୍ରେ ସମ୍ପର୍କ ଆରମ୍ଭ କରୁଥିଲେ । ଏହାପରେ ବୀମା ପଲିସି କରାଇବାକୁ କହି ଭେଟୁଥିଲେ । ପରେ ନିଜର ଅଙ୍ଗ ପ୍ରଦର୍ଶନ କରି ଫସାଉଥିଲେ । ଏହାପରେ ପ୍ରେମସମ୍ପର୍କରେ ରହିବାକୁ ବାଧ୍ୟ କରୁଥିଲେ । ଏଭଳି କରି ସେ ୨ରୁ ୩ମାସ ଜଣେ ବ୍ୟକ୍ତିଙ୍କ ସହ ରହୁଥିଲେ । ପରେ ସମ୍ପୃକ୍ତ ବ୍ୟକ୍ତିଙ୍କ ବିଶ୍ୱାସ ଆସିଯିବା ପରେ ସେ ତାଙ୍କୁ ସବୁ ଧନସମ୍ପତ୍ତି ଦେଖାଇ ଦେଉଥିଲେ । ଏହାପରେ ସୁବିଧା ଦେଖି ପିୟୁ ସେହି ଧନସମ୍ପତ୍ତିକୁ ଲୁଟି ଛୁ’ ହୋଇଯାଉଥିଲେ ।