ଭୁବନେଶ୍ୱର: ବ୍ଲାକମେଲିଂ ଓ ହନିଟ୍ରାପ ମାମଲାରେ ସଂପୃକ୍ତି ନେଇ ଝାରପଡ଼ା ଜେଲ୍ରେ ଥିବା ଅର୍ଚ୍ଚନାଙ୍କୁ ଜେଲରେ ଇଡି ପକ୍ଷରୁ ଜେରା କରାଯାଇଛି । ବୁଧବାର କୋର୍ଟ ଅନୁମତି ପତ୍ରକୁ ଧରି ସକାଳ ୧୦ଟା ସମୟରେ ଝାରପଡ଼ା ଜେଲ୍କୁ ଯାଇଥିଲେ ୩ଜଣ ଇଡି ଅଧିକାରୀ । ସେମାନଙ୍କ ଟିମ୍ରେ ୨ ଜଣ ପୁରୁଷ ଥିବା ବେଳେ ଜଣେ ମହିଳା ଅଧିକାରୀ ରହିଥିଲେ । ସେମାନେ ଜେଲ୍ରଙ୍କୁ କୋର୍ଟଙ୍କ ଦସ୍ତାବିଜ୍ ଦେଖାଇବା ପରେ ଅର୍ଚ୍ଚନାଙ୍କୁ ପଚରାଉଚରା କରିବା ପାଇଁ ଅନୁମତି ପାଇଥିଲେ । ଜେଲ୍ରେ ଥିବା ସ୍ୱତନ୍ତ୍ର ପ୍ରକୋଷ୍ଠରେ ଅର୍ଚ୍ଚନା ପହଞ୍ଚିବା ପରେ ତାଙ୍କୁ ସେଠାରେ ପଚରାଉଚରା କରାଯାଇଥିଲା । ପଚରାଉଚରା ସମୟରେ ଅର୍ଚ୍ଚନାଙ୍କ ଓକିଲଙ୍କ ସମେତ ୩ ଇଡି ଅଧିକାରୀ ଉପସ୍ଥିତି ରହିଥିଲେ । ଜଣେ ଜେଲ୍ କର୍ମଚାରୀ କୋଠରୀ ବାହାରେ ଜଗି ରହିଥିଲେ ।
ଅର୍ଚ୍ଚନାଙ୍କୁ ଦୀର୍ଘ ୬ଘଣ୍ଟା ଧରି ଇଡିର ହସ୍ତଗତ ତଥ୍ୟ ପ୍ରମାଣକୁ ନେଇ ପଚରାଉଚରା କରାଯାଇଥିଲା । ସକାଳ ୧୦.୩୦ରୁ ଅପରାହ୍ନ ୫ଟା ପର୍ଯ୍ୟନ୍ତ ପଚରାଉଚରା କରାଯାଇଥିଲା । କେବଳ ଦିନ ୨ଟା ସମୟରେ ଏକ ଘଣ୍ଟା ଧରି ଖାଇବା ପାଇଁ ତାଙ୍କୁ ଛଡ଼ା ଯାଇଥିଲା । ଇଡିକୁ ମିଳିଥିବା ଡିଜିଟାଲ ପ୍ରମାଣ ଆଧାରରେ ଏହି ପଚରାଉଚରା କରାଯାଇଥିଲା । ହେଲେ ପୂର୍ବଭଳି ଅର୍ଚ୍ଚନା ମିଛ କହିଥିବା କହିଛନ୍ତି ଇଡି ଅଧିକାରୀ । ଏକାଧିକ ହ୍ୱାଟ୍ସଆପ୍ ଚାଟ୍, ଫେସ୍ବୁକ୍ ଚାଟ୍ ଏବଂ ମୋବାଇଲ୍, ଲାପ୍ଟପ୍ ଡାଟା ସମ୍ପର୍କରେ ପଚରାଉଚରା କରାଯାଇଥିଲା । ହେଲେ ଏହାକୁ ନେଇ କୌଣସି ସନ୍ତୋଷଜନକ ଉତ୍ତର ଦେଇନଥିଲେ ଅର୍ଚ୍ଚନା । ଗୁରୁବାର ଇଡି ଅଧିକାରୀ ଏହି ଡିଜିଟାଲ ପ୍ରମାଣ ଆଧାରରେ ଜଗବନ୍ଧୁଙ୍କୁ ପଚରାଉଚରା କରିବେ । ଅର୍ଚ୍ଚନା ଏବଂ ଫିଲ୍ମ ପ୍ରଯୋଜକ ପ୍ରମୋଦ ସ୍ୱାଇଁଙ୍କ ଠାରୁ ମିଳିଥିବା ତଥ୍ୟ ଆଧାରରେ ଜଗବନ୍ଧୁଙ୍କୁ ପଚରାଉଚରା କରାଯିବ ବୋଲି ଜଣାପଡିଛି ।