ଭୁବନେଶ୍ୱର : କୋର୍ଟରେ ସିଧାସଳଖ ହାଜର ହୋଇଛନ୍ତି ହନିଟ୍ରାପ୍ କୁଇନ୍ ଅର୍ଚ୍ଚନା ନାଗ୍ । କୋର୍ଟକୁ ଗଲା ବେଳେ ପ୍ରତିକ୍ରିୟା ରଖିଲେ ଅର୍ଚ୍ଚନା ନାଗ । ‘ମିଛ ଖବର ପ୍ରସାରଣ ନକରିବାକୁ କହିଲେ ଅର୍ଚ୍ଚନା । କିଛି ତଥ୍ୟ ପ୍ରମାଣ ନଥାଇ ଖବର ପ୍ରସାରଣ ନକରିବାକୁ କହିଲେ । ସମୟ ଆସିଲେ ସବୁ କହିବି । ନିଶ୍ଚୟ କହିବି ।’ ସେ ଆଉ କିଛି ଅଧିକ କହିବା ପୂର୍ବରୁ ପୋଲିସ ତାଙ୍କୁ ନେଇଗଲା । ଭୁବନେଶ୍ୱର ଝାରପଡ଼ା ଜେଲରୁ ତାଙ୍କୁ କଡ଼ା ସୁରକ୍ଷାରେ ଆଣି ଭୁବନେଶ୍ୱର ଏସଡିଜେଏମ କୋର୍ଟରେ ହାଜର କରାଯାଇଛି । ଗିରଫ ପରେ ପ୍ରଥମ ଥର ପାଇଁ ଦେଖାଦେଲେ ଅର୍ଚ୍ଚନା । କୋର୍ଟରେ ସେ ଜାମିନ ଆବେଦନ କରିଛନ୍ତି । ସିନେ ପ୍ରଯୋଜକ ଅକ୍ଷୟ ପରିଜାଙ୍କୁ ୩ କୋଟି ଟଙ୍କା ବ୍ଲାକମେଲ୍ ଅଭିଯୋଗ ମାମଲାରେ ଅର୍ଚ୍ଚନାକୁ କୋର୍ଟରେ ହାଜର କରାଯାଇଛି । ଆଉ ଭିଡିଓ କନ୍ଫରେନ୍ସିଂ ନୁହେଁ ବରଂ ସିଧାସଳଖ ଭୁବନେଶ୍ୱର ଏସଡିଜେଏମଙ୍କ କୋର୍ଟରେ ଅର୍ଚ୍ଚନାକୁ ହାଜର କର ବୋଲି କୁହାଯାଇଥିଲା । ପ୍ରଥମେ ଜଣେ ଯୁବତୀଙ୍କୁ ମୋହରା ବନାଇ ଅକ୍ଷୟ ପରିଜାଙ୍କ ଆପତ୍ତିଜନକ ଫଟୋ ସୁଟ୍ କରିବା ସହ ୩ କୋଟି ଟଙ୍କା ମାଗିଥିବା ନେଇ ନୟାପଲ୍ଲୀ ଥାନାରେ ଅଭିଯୋଗ କରିଥିଲେ ସିନେ ପ୍ରଯୋଜକ ଅକ୍ଷୟ ପରିଜା ।