ଭୁବନେଶ୍ୱର: ୨୦୨୩-୨୪ ଶିକ୍ଷାବର୍ଷ ପାଇଁ ମୁଖ୍ୟମନ୍ତ୍ରୀ ରିସର୍ଚ୍ଚ ଫେଲୋସିପ ଟେଷ୍ଟ(ଏମ୍ଆର୍ଏଫ୍ଟି) ନିମନ୍ତେ ଆଜିଠାରୁ ଆବେଦନ ପ୍ରକ୍ରିୟା ଆରମ୍ଭ ହେବ । ଛାତ୍ରଛାତ୍ରୀମାନ ୱେବ୍ସାଇଟରେ ଆବେଦନ କରିବେ । ଏ ନେଇ ଶୁକ୍ରବାର ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ଏହି ଆବେଦନ ପ୍ରକ୍ରିୟା ୨ତାରିଖ ପୂର୍ବାହ୍ନ ୧୧ଟାରୁ ଆରମ୍ଭ ହୋଇ ୩୦ତାରିଖ ରାତି ୧୧ଟା ୪୫ ପର୍ଯ୍ୟନ୍ତ ଚାଲିବ ।
ଯଦି କୌଣସି ଛାତ୍ରଛାତ୍ରୀ ଆବେଦନ ଫର୍ମ ପରିବର୍ତ୍ତନ କରିବାକୁ ଚାହୁଁଥିବେ ତେବେ ଜାନୁଆରୀ ୩ ଓ ୪ ତାରିଖ ଏହି ଦୁଇଦିନରେ ପରିବର୍ତ୍ତନ କରିପାରିବେ । ତେବେ ଏହି ସମୟରେ କୌଣସି ନୂଆ ଆବେଦନକୁ ଗ୍ରହଣ କରାଯିବ ନାହିଁ । ଜାନୁୟାରୀ ୨୬ରେ ଷ୍ଟେଟ୍ ସିଲେକ୍ସନ ବୋର୍ଡରେ ଆବେଦନକାରୀଙ୍କ ଡାଟା ଦାଖଲ କରାଯିବ । ତେବେ ପରୀକ୍ଷା କେବେ ହେବ ସେ ନେଇ କୌଣସି ନିଷ୍ପତ୍ତି ହୋଇନଥିବା ବେଳେ ୧୦ଦିନ ପୂର୍ବରୁ ଜଣାଇଦିଆଯିବ ବୋଲି ବିଭାଗ ପକ୍ଷରୁ କୁହାଯାଇଛି ।