17.1 C
Bhubaneswar
Tuesday, November 19, 2024
Homeଓଡିଶାପରୀ ମାମଲା : କାହିଁକି ଦୂରେଇ ରହୁଛନ୍ତି ଅପରାଜିତା

ପରୀ ମାମଲା : କାହିଁକି ଦୂରେଇ ରହୁଛନ୍ତି ଅପରାଜିତା

ଭୁବନେଶ୍ୱର : ନୟାଗଡ଼ର କୁନି ଝିଅ ପରୀ ହତ୍ୟା ଘଟଣାକୁ ନେଇ ବିଜେପି ପଲ୍ଲୀରୁ ଦିଲ୍ଲୀ ପର୍ଯ୍ୟନ୍ତି ସ୍ୱର ଉଠାଇଛି । ରବିବାର ଠାରୁ ପରୀକୁ ନ୍ୟାୟ ଦେବା ପାଇଁ ସିବିଆଇ ତଦନ୍ତ ଓ ମନ୍ତ୍ରୀ ଅରୁଣ ସାହୁଙ୍କ ଇସ୍ତଫା ଦାବୀରେ ରାଜ୍ୟବ୍ୟାପି ପଦଯାତ୍ରା କାର୍ଯ୍ୟକ୍ରମ ଆରମ୍ଭ କରିଛି । ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଏହି ପଦଯାତ୍ରା କାର୍ଯ୍ୟକ୍ରମ ଆରମ୍ଭ କରିବା ପାଇଁ ଦିଲ୍ଲୀରୁ ଦଳର ମହିଳା ମୋର୍ଚ୍ଚା ରାଷ୍ଟ୍ରିୟ ସଭାପତି ଆସିଛନ୍ତି । ପୂର୍ବରୁ ଦଳର ଓଡ଼ିଶା ପ୍ରଭାରୀ ଡି. ପୁରନ୍ଦେଶ୍ୱରୀ ଆସି ପରୀ ଗାଁ’କୁ ଯାଇଥିଲେ । ବିଧାନସଭା ଅଧିବେଶସନ ଠାରୁ ଲଗାତାର ଭାବେ ଏହି ଆନ୍ଦୋଳନକୁ ବଜାୟ ରଖିଛି ବିଜେପି । ଏଥିରୁ ସ୍ପଷ୍ଟ ଜଣାପଡ଼ୁଛି ଯେ, ଦଳ ପରୀ ପ୍ରସଙ୍ଗକୁ କେତେ ଗୁରୁତ୍ୱ ଦେଉଛି । ହେଲେ ଦଳ ଭିତରେ ଏହାକୁ ନେଇ କିଛି କେଁ ରହିଥିବା ଏବେ ସୂଚନା ମିଳିଲାଣି । ଦଳ ଏହାକୁ ବିଜେଡି ବିରୋଧରେ ପ୍ରମୁଖ ପ୍ରସଙ୍ଗ ଭାବରେ ଗ୍ରହଣ କରିଥିଲାବେଳେ ଦଳର ସାଂସଦ ତଥା ରାଷ୍ଟ୍ରୀୟ ମୁଖପାତ୍ର ଅପରାଜିତା ଷଢ଼ଙ୍ଗୀ ଭିନ୍ନ ଆଭିମୁଖ୍ୟ ପୋଷଣ କରିଥିବା ଦେଖାଯାଇଛି । ଏହି ପ୍ରସଙ୍ଗରୁ ଅପରାଜିତା ନିଜକୁ ଦୂରେଇ ରଖିବା ଘଟଣା ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରିଛି । ତାଙ୍କ କାର୍ଯ୍ୟଧାରା ମାଧ୍ୟମରେ ସେ ସୂଚାଇ ଦେବାକୁ ଚାହିଁଛନ୍ତି ଯେ, ପରୀ ପ୍ରସଙ୍ଗ ସହ ସେ ନାହାଁନ୍ତି । କିମ୍ବା ଦଳ ଯେଉଁ ଆଭିମୁଖ୍ୟ ଏହି ଘଟଣାରେ ଗ୍ରହଣ କରିଛି ସେଥିସହ ସେ ସହମତ ନୁହଁନ୍ତି ।

ଅପରାଜିତା ହେଉଛନ୍ତି ଭୁବନେଶ୍ୱର ସାଂସଦ । ସେ ଓଡ଼ିଶାରେ ଅଛନ୍ତି । ପରୀ ଘଟଣାରରେ ତାଙ୍କ ସାଂସଦୀୟ କ୍ଷେତ୍ର ଲିଙ୍ଗରାଜ ମନ୍ଦିରରୁ ଦଳ ଆଜି ପଦଯାତ୍ରା ଆରମ୍ଭ କରିଛି । ହେଲେ ସେ ଏହି କାର୍ଯ୍ୟକ୍ରମରେ ସାମିଲ ନହୋଇ ନିଜକୁ ଦୂରେଇ ରଖିଛନ୍ତି । ଏହି କାର୍ଯ୍ୟକମ୍ରରେ ଯୋଗ ଦେବା ପାଇଁ କେବଳ ମହିଳାମୋର୍ଚ୍ଚାର ରାଷ୍ଟ୍ରିୟ ସଭାନେତ୍ରୀ ଭି. ଶ୍ରୀନିବାସନ୍ ଏକୁଟିଆ ନୁହଁନ୍ତି ଦଳର ରାଷ୍ଟ୍ରୀୟ ମୁଖପାତ୍ର ସମ୍ବିତ ପାତ୍ର ମଧ୍ୟ ଦିଲ୍ଲୀରୁ ଆସି ସାମିଲ ହୋଇଛନ୍ତି । ହେଲେ ଅପରାଜିତା ଏଥିରେ ସାମିଲ ନହୋଇ ଯାଜପୁରରେ ଯାଇ ଏକ କାର୍ଯକ୍ରମରେ ଯୋଗ ଦେଇଛନ୍ତି । ଏଥିରୁ ଜଣାପଡ଼ୁଛି ଯେ, ଅପରାଜିତା ଜାଣିଶୁଣି ଦଳର ଆଭିମୁଖ୍ୟ ସହ ଏହି ଘଟଣାରେ ସାମିଲ ହେବାକୁ ଚାହୁଁ ନାହାଁନ୍ତି । ନଚେତ୍ ଦଳ ପକ୍ଷରୁ ଏତେ ବଡ଼ କାର୍ଯ୍ୟକ୍ରମ ହେଉଥିବାବେଳ ସେ ଉପସ୍ଥିତ ନ ରହି ଅନ୍ୟ ଜିଲ୍ଲା କାର୍ଯ୍ୟକମ୍ରରେ ଯୋଗଦେଇ ନଥା’ନ୍ତେ । ଏପରିକି ଦଳର ପ୍ରଭାରୀ ଡି. ପୁରନ୍ଦେଶ୍ୱରୀ ଆସିଥିବାେବେଳ ସେ ଏକ ପ୍ରତିନିଧି ଦଳ ନେଇ ନୟାଗଡ଼ ସ୍ଥିତ ପରୀ ଗାଁ’କୁ ଯାଇଥିଲେ । ଏହି ପତିନିଧି ଦଳରେ ମଧ୍ୟ ଅପରାଜିତା ସାମିଲ ହୋଇ ନଥିଲେ । ଦଳ ପକ୍ଷରୁ ଏକ ମହିଳା ପ୍ରତିନିଧି ଦଳ ମଧ୍ୟ ପ୍ରଥମେ ପରି ଗାଁ’କୁ ଯାଇଥିଲେ । ସେତେବେଳେ ବି ଅପରାଜିତା ନିଜକୁ ଦୂରେଇ ରଖିଥିଲେ । ଦଳ ପକ୍ଷରୁ ଧାରଣା କାର୍ଯ୍ୟକ୍ରମ ଅବ୍ୟାହତ ରହିଥିବାବେଳ ଦିନେ ବି ଅପରାଜିତା ଯୋଗ ଦେଇ ନାହାଁନ୍ତି ।

ସାମାଜିକ ଗଣମାଧ୍ୟମକୁ ଅପରାଜିତା ବହୁତ ଗୁରୁତ୍ୱ ଦିଅନ୍ତି । ବିଭିନ୍ନ ପ୍ରସଙ୍ଗରେ ସେ ସରକାରଙ୍କୁ ସମାଲୋଚନା କରିଛନ୍ତି । ସବୁକିଛି ସେ ତାଙ୍କ ଫେସ୍‌ବୁକ୍ ଓ ଟ୍ୱିଟର ପ୍ରଭୃତିରେ ସେୟାର କରି ଜନମତ ସୃଷ୍ଟି କରିବାକୁ ଉଦ୍ୟମ କରିଥିବା ଦେଖା ଯାଇଆସିଛି । ହେଲେ ପରୀ ଘଟଣାକୁ ନେଇ ଏତେ ହୋ ହାଲ୍ଲା ଦଳ ପକ୍ଷରୁ କରାଯାଉଥିବା ବେଳେ ଗୋଟିଏ ହେଲେ ମତାମତ ଏ ସମ୍ପର୍କରେ ସେ ତାଙ୍କ ଫେସ୍‌ବୁକ୍ କି ଟ୍ୱିଟ୍‌ରରେ ରଖି ନାହାଁନ୍ତି । ଏପରିକି କୌଣସି ବିବୃତି ମଧ୍ୟ ଦେଇ ନାହାଁନ୍ତି । ନିଜକୁ ସମ୍ପୂର୍ଣ୍ଣ ଭାବରେ ଦୂରେଇ ରଖିବା ପଛରେ କ’ଣ ରହିଛି ରହସ୍ୟ ତାକୁ ନେଇ ରାଜନୈତିକ ମହଲରେ ସନ୍ଦେହ ସୃଷ୍ଟି ହୋଇଛି। ପରୋକ୍ଷରେ ଦଳର ଏହି କାର୍ଯ୍ୟ ଧାରା ସହ ସେ ସହମତ ନୁହନ୍ତି, ଏଭଳି ଏକ ବାର୍ତ୍ତା ଦବା ପାଇଁ ସେ ଉଦ୍ୟମ କରିଛନ୍ତି ବୋଲି କୁହାଯାଉଛି । ନଚେତ୍ କାହିଁକି ଅପରାଜିତା ଏହି ପ୍ରସଙ୍ଗରୁ ନିଜକୁ ଦୂରେଇ ରଖିଥା’ନ୍ତେ ବୋଲି କୁହାଯାଉଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking