ଭୁବନେଶ୍ୱର: ବିଭିନ୍ନ ଘଟଣାରେ ବିବାଦୀୟ ହୋଇ ଚର୍ଚ୍ଚାରେ ଥିବା ବିଜେପିର ବରିଷ୍ଠ ନେତ୍ରୀ ତଥା ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ ନୂଆଦିଲ୍ଲୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ସାକ୍ଷାତକରିଛନ୍ତି । ଏନେଇ ମଙ୍ଗଳବାର ଟ୍ୱିଟ୍କରି ସୂଚନା ଦେଇଛନ୍ତି ଶ୍ରୀମତୀ ଷଡ଼ଙ୍ଗୀ । ସେ କହିଛନ୍ତି ଯେ ପ୍ରଧାନମନ୍ତ୍ରୀଙ୍କୁ ସାକ୍ଷାତ କରି ସେ ନିଜ ସଂସଦୀୟ ନିର୍ବାଚନୀ କ୍ଷେତ୍ରରେ କ’ଣ ସବୁ କାର୍ଯ୍ୟ କରିଛନ୍ତି; ତା’ର ଏକ ସୁବିସ୍ତୃତ ରିପୋର୍ଟ କାର୍ଡ ପ୍ରଦାନ କରିଛନ୍ତି । ଏଥିସହ ରାଜ୍ୟର ୩୭୫ ଜନଔଷଧି କେନ୍ଦ୍ର ଉପରେ ଆଲୋଚନା କରିବା ସହ ଭୁବନେଶ୍ୱରରେ ଟାଟା କ୍ୟାନ୍ସର ହସ୍ପିଟାଲ ପାଇଁ ଅନୁମତି ମିଳିଥିବାରୁ କୃତଜ୍ଞତା ଦେଇଛନ୍ତି ।
ପ୍ରଧାନମନ୍ତ୍ରୀଙ୍କ ମାର୍ଗଦର୍ଶନ ଓ ଆଶୀର୍ବାଦ ଭିକ୍ଷାକରି ଆସିଥିବା ଶ୍ରୀମତୀ ଷଡ଼ଙ୍ଗୀ ସ୍ପଷ୍ଟକରିଛନ୍ତି । ଗତ ୨୫ ଜୁନରେ ବିଜେପିର ବରିଷ୍ଠ ନେତ୍ରୀ ତଥା ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ ନିଜ କ୍ଷେତ୍ରର ତୃତୀୟ ରିପୋର୍ଟ କାର୍ଡ ସାର୍ବଜନୀନ କରିଥିଲେ । ସେଥିରେ ସେ କହିଥିଲେ, ତାଙ୍କ ପ୍ରଚେଷ୍ଟାରେ ଏନ୍ଏଚ୍ଏଆଇ ଅଧୀନରେ ମୋଟ୍ ୬୪୭୩.୬୨ କୋଟି ଟଙ୍କା ଅନୁମୋଦିତ ହେବା ସହ ବିଏମ୍ସିରେ ୬ଟି ପ୍ରମୁଖ ଡ୍ରେନ୍ ପାଇଁ ୧୦.୨୦ କୋଟି ମଞ୍ଜୁର ହୋଇଛି ।
ସେହିପରି ଏମ୍ପିଲାଡ୍ରେ ୧୧୪୩ ଅନୁମୋଦିତ ପ୍ରକଳ୍ପରୁ ୧୦୭ଟିର ନିର୍ମାଣ ଶେଷହୋଇଛି । ରାଜପଥ କର୍ତ୍ତୃପକ୍ଷ (ଏନ୍ଏଚ୍ଏଆଇ) ଜରିଆରେ ମୋଟ୍ ୧୦ଟି ଫ୍ଲାଏଉଭର, ୨୮ଟି ଅଣ୍ଡରପାସ୍, ୪ଟି ଫୁଟ୍ ଉଭରବ୍ରିଜ, କଟକ-ଭୁବନେଶ୍ୱର କ୍ୟାପିଟାଲ ରିଂ ରୋଡ୍ ଏବଂ ଖୋର୍ଦ୍ଧା ରୋଡ୍ ବାଇପାସ୍ ନିର୍ମାଣ ଯୁଦ୍ଧକାଳୀନ ଭିତ୍ତିରେ ଚାଲିଛି । ତାଙ୍କ ପ୍ରଚେଷ୍ଟାରୁ ବହୁ ପ୍ରକଳ୍ପ ଆସିପାରିଛି ଏବଂ ଧାର୍ଯ୍ୟ ସମୟରେ ସେସବୁ ଶେଷ କରିବାକୁ ପ୍ରଚେଷ୍ଟା ଜାରି ରହିଛି । ଏହି ରିପୋର୍ଟ କାର୍ଡକୁ ସେ ପ୍ରଧାନମନ୍ତ୍ରୀଙ୍କୁ ପ୍ରଦାନ କରିଥିବା ଅପରାଜିତା ପ୍ରକାଶ କରିଛନ୍ତି ।