ନୂଆଦିଲ୍ଲୀ : ନୂଆଦିଲ୍ଲୀର ଇନ୍ଦିରା ଗାନ୍ଧୀ ଆନ୍ତର୍ଜାତିକ ବିମାନବନ୍ଦରରେ ଗୁରୁବାର ହାଇଡ୍ରାମା ଦେଖିବାକୁ ମିଳିଛି । କଂଗ୍ରେସ ମୁଖପାତ୍ର ପବନ ଖେଡାଙ୍କୁ ବିମାନରୁ ଓହ୍ଲାଇ ଦିଆଯିବାପରେ ଗିରଫ କରାଯାଇଥିଲା । ତେବେ ସୁପ୍ରିମକୋର୍ଟଙ୍କ ହସ୍ତକ୍ଷେପ ପରେ ଖେଡା ଜାମିନରେ ଆସିଥିବା ଜଣାପଡିଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବିରୋଧରେ ଦେଇଥିବା ଏକ ମନ୍ତବ୍ୟକୁ କେନ୍ଦ୍ରକରି ଏଭଳି ପରିସ୍ଥିତି ସୃଷ୍ଟି ହୋଇଥିବା କୁହାଯାଇଛି । ସୂଚନାଯୋଗ୍ୟ ଛତିଶଗଡର ରାଜଧାନୀ ରାୟପୁରରେ ଶୁକ୍ରବାରଠାରୁ ଆରମ୍ଭ ହେଉଥିବା କଂଗ୍ରେସର ଦୁଇଦିନିଆ ଅଧିବେଶନରେ ଯୋଗଦେବାକୁ ୫୦ରୁ ଊର୍ଦ୍ଧ୍ୱ କଂଗ୍ରେସ କର୍ମୀ ଓ ନେତାଙ୍କ ସହ ଖେଡା ବିମାନରେ ବସିସାରିଥିଲେ ।
ତେବେ ବିମାନଟି ଆକାଶକୁ ଉଠିବା ପୂର୍ବରୁ ଆସାମ ପୁଲିସର ଏକ ଦଳ ସେଠାରେ ପହଞ୍ଚି ଖେଡାଙ୍କୁ ବିମାନରୁ ତଳକୁ ଓହ୍ଲାଇବାପରେ ଗିରଫ କରିଥିଲେ । ଏହାର ପ୍ରତିବାଦରେ ଉକ୍ତ ବିମାନରେ ଥିବା କଂଗ୍ରେସ କର୍ମୀମାନେ ମଧ୍ୟ ବିମାନରୁ ଓହ୍ଲାଇପଡି ଏୟାରପୋର୍ଟ ପରିସରରେ ଧାରଣା ଦେଇଥିଲେ । ନିକଟରେ ଏକ ସାମ୍ବାଦିକ ସମ୍ମିଳନୀକୁ ସମ୍ବୋଧିତ କରିବା ସମୟରେ ଖେଡା ପ୍ରଧାନମନ୍ତ୍ରୀ ମୋଦୀଙ୍କ ବିରୋଧରେ ଆପତ୍ତିଜନକ ଶବ୍ଦ ବ୍ୟବହାର କରିଥିଲେ । ଅଦାନି-ହିଣ୍ଡେନବର୍ଗ ମାମଲାରେ କେନ୍ଦ୍ର ସରକାର ନିରବତା ଅବଲମ୍ବନ କରୁଥିବାରୁ ଖେଡା କହିଥିଲେ ‘ଯଦି ନରସିଂହା ରାଓ ଓ ଅଟଳବିହାରୀ ବାଜପେୟୀଙ୍କ ଭଳି ପୂର୍ବତନ ପ୍ରଧାନମନ୍ତ୍ରୀ ସେମାନଙ୍କ ଅମଳରେ କୌଣସି ଦୁର୍ନୀତିକୁ ନେଇ ଜେପିସି (ଜଏଣ୍ଟ ପାର୍ଲାମେଣ୍ଟାରୀ କମିଟି) ଗଠନ ନିର୍ଦ୍ଦେଶ ଦେଇପାରିଥିଲେ, ତେବେ ହିଣ୍ଡେନବର୍ଗ ମାମଲାରେ ଜେପିସି ଗଠନ ନିର୍ଦ୍ଦେଶ ଦେବାରେ ନରେନ୍ଦ୍ର ଗୌତମଦାସ ମୋଦୀ… ସରି…ନରେନ୍ଦ୍ର ଦାମୋଦରଦାସ ମୋଦୀଙ୍କ ପାଇଁ ଅସୁବିଧା କେଉଁଠି ରହିଛି?’ ।
ଉଲ୍ଲେଖଯୋଗ୍ୟ ଯେ ମୋଦୀଙ୍କ ପିତାଙ୍କ ନାମ ଦାମୋଦରଦାସ ହୋଇଥିବାବେଳେ ଖେଡା ଏହାକୁ ଗୌତମଦାସ ଉଚ୍ଚାରଣ କରିଥିଲେ । ଅବଶ୍ୟ ଏହା ଭୁଲରେ ପାଟିରୁ ଖସିଥିଲା ବୋଲି ସ୍ୱୀକାର କରିବା ସହ ଖେଡା କ୍ଷମାପ୍ରାର୍ଥନା ମଧ୍ୟ କରିଥିଲେ । ତେବେ ବରିଷ୍ଠ ବିଜେପି ନେତା ତଥା ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା କିନ୍ତୁ ଏହାକୁ ସହଜରେ ଗ୍ରହଣ କରିପାରିନଥିଲେ । ତାଙ୍କ ନିର୍ଦ୍ଦେଶକ୍ରମେ ଅସାମର ଏକ ଥାନାରେ ଖେଡାଙ୍କ ବିରୋଧରେ ମାମଲା ଦାଏର କରାଯାଇଥିଲା । ୱାରେଣ୍ଟ ବଳରେ ଖେଡାଙ୍କୁ ଗିରଫ କରିବାକୁ ଆସାମ ପୁଲିସର ଏକ ଦଳ ଗୁରୁୁବାର ଦିଲ୍ଲୀରେ ପହଞ୍ଚିଥିଲେ । ଖେଡାଙ୍କ ଗିରଫ ପ୍ରତିବାଦରେ କଂଗ୍ରେସ ପକ୍ଷରୁ ସୁପ୍ରିମକୋର୍ଟରେ ଏକ ପିଟିସନ ଦାଏର କରାଯାଇଥିଲା । ପ୍ରଧାନ ବିଚାରପତି ଜଷ୍ଟିସ ଡି.ୱାଇ.ଚନ୍ଦ୍ରଚୂଡଙ୍କ ଅଧ୍ୟକ୍ଷତାରେ ଗଠିତ ଖଣ୍ଡପୀଠ ଏହାର ତ୍ୱରିତ୍ ଶୁଣାଣି କରି ଖେଡାଙ୍କୁ ଜାମିନ ପ୍ରଦାନ କରିଛନ୍ତି । କିଛି ବେଆଇନ କାର୍ଯ୍ୟ ହୋଇଥିବାରୁ ଆମେ ଆପଣଙ୍କୁ ସୁରକ୍ଷା ଦେଉଛୁ ବୋଲି ଜଷ୍ଟିସ ଚନ୍ଦ୍ରଚୂଡ ତାଙ୍କ ମନ୍ତବ୍ୟରେ କହିଛନ୍ତି ।
ଏଥିସହିତ ଖେଡାଙ୍କ ବିରୋଧରେ ଆସାମ ଓ ଉତ୍ତରପ୍ରଦେଶରେ ଦାଏର ହୋଇଥିବା ମାମଲାର ଏକାଠି ଶୁଣାଣି କରିବାକୁ କଂଗ୍ରେସ ପକ୍ଷରୁ ଯେଉଁ ଆବେଦନ କରାଯାଇଥିଲା, ତାହାକୁ ମଧ୍ୟ ସୁପ୍ରିମକୋର୍ଟ ଅନୁମତି ଦେଇଛନ୍ତି । ଜାମିନରେ ଆସିବାପରେ ଖେଡା ଗଣମାଧ୍ୟମକୁ ପ୍ରତିକ୍ରିୟା ଜଣାଇ କହିଛନ୍ତି ଯେ କୌଣସି ନୋଟିସ ଦିଆନଯାଇ ମୋତେ ଯେଭଳି ବିମାନରୁ ଓହ୍ଲାଇ ଦିଆଗଲା, ସତେ ଯେପରି ମୁଁ ଏକ ଆତଙ୍କବାଦୀ । ଏଥିରୁ ଜଣାପଡୁଛି ଯେପରି ଦେଶରେ ଜରୁରୀ ପରିସ୍ଥିତି ଲାଗୁ କରାଯାଇଛି । ଅପରପକ୍ଷରେ ବିଜେପି ପକ୍ଷରୁ କୁହାଯାଇଛି ଯେ ପ୍ରଧାନମନ୍ତ୍ରୀ ପିତାଙ୍କ ନାମକୁ ଭୁଲ ଉଚ୍ଚାରଣ କରିବା ଦ୍ୱାରା ପ୍ରଧାନମନ୍ତ୍ରୀ ପଦକୁ ଅସମ୍ମାନ କରାଯାଇଛି ଏବଂ ଏହା ନିଶ୍ଚିତଭାବେ ଅକ୍ଷମଣୀୟ ।