ଲୋୟା : ଆମେରିକାରେ ସ୍କୁଲରେ ଶୁଭିଲା ଗୁଳିକାଣ୍ଡ । ଆତତାୟୀର ଗୁଳିରେ ଜଣେ ଷଷ୍ଠ ଶ୍ରେଣୀ ପିଲା ମୃତ । ଅନ୍ୟ ୫ ଜଣ ଗୁରୁତର । ଗୁରୁତର ଆହତମାନଙ୍କୁ ହସପିଟାଲରେ ଭର୍ତ୍ତି କାରାଯାଇଛି । ଶୀତ ଛୁଟି ପରେ ସ୍କୁଲ ଖୋଲିଥିବା ବେଳେ, ସ୍କୁଲ ଭିତରେ ପଶି ଗୁଳି କରିଥିଲା ଆତତାୟୀ । ସୂଚନା ଅନୁସାରେ, ଗୁଳିକାଣ୍ଡ ଘଟାଇଥିବା ଆସାମୀର ମଧ୍ୟ ମୃତ୍ୟୁ ଘଟିଛି । ଆମେରିକାର ପେରି ଅନ୍ତର୍ଗତ ଲୋୟା ସହରର ଏକ ସ୍କୁଲରେ ଗୁଳିକାଣ୍ଡ ଘଟିଛି । ଏଥିରେ ଷଷ୍ଠ ଶ୍ରେଣୀରେ ପଢୁଥିବା ଜଣେ ୧୭ ବର୍ଷୀୟ ଛାତ୍ରର ଘଟଣାସ୍ଥଳରେ ମୃତ୍ୟୁ ଘଟିଛି । ଗୁଳିକାଣ୍ଡରେ ଅତି କମରେ ପାଞ୍ଚ ଜଣ ଆହତ ହୋଇଛନ୍ତି । ଶୀତ ଛୁଟି ପରେ ସ୍କୁଲ ଖୋଲିଥିବା ବେଳେ, ଛାତ୍ରଛାତ୍ରୀମାନେ ସ୍କୁଲକୁ ଆସିଥିଲେ । ପ୍ରଥମ ଦିନର ପ୍ରଥମ କ୍ଲାସର ପାଠପଢ଼ା ପାଇଁ ଛାତ୍ରଛାତ୍ରୀମାନେ ପ୍ରସ୍ତୁତ ହେଉଥିବା ବେଳେ, ଶ୍ରେଣୀଗୃହରେ ହଠାତ ପ୍ରବେଶ କରିଥିଲା ଜଣେ ବନ୍ଧୁକଧାରୀ । ସେ ପିଲାମାନଙ୍କ ଉପରକୁ ଆଖି ବୁଜା ଗୁଳି କରିଥିଲା । ସ୍କୁଲ କର୍ତ୍ତୃପକ୍ଷଙ୍କ ସୂଚନା ଅନୁସାରେ, ଗୁଳିକାଣ୍ଡ ପରେ ଆତତାୟୀ ନିଜ ଉପରକୁ ଗୁଳି ଚଳାଇଥିଲା । ଏଥିରେ ତାର ମୃତ୍ୟୁ ଘଟିଛି । ମୃତ ବନ୍ଧୁକଧାରୀର ପରିଚୟ ମିଳିଛି । ତାର ନାମ ଡାଇଲାନ୍ ବଟଲର୍ ।
ଗୁଳିକାଣ୍ଡ ପରେ ସ୍କୁଲ ପରିସରରେ ସୁରକ୍ଷା ବ୍ୟବସ୍ଥା ବଢ଼ାଇ ଦିଆଯାଇଛି । ମୃତ ବନ୍ଧୁକଧାରୀ ବ୍ୟବହାର କରିଥିବା ବନ୍ଧୁକ ଏବଂ ଗୁଳି ଜବତ କରାଯାଇଛି । ତେବେ ସେ କାହିଁକି ଗୁଳିକାଣ୍ଡ ଘଟାଇଲା, ତାର ଅନୁସନ୍ଧାନ ଚଳାଇଛି ପୋଲିସ । ଆସୋସିଏଟେଡ ପ୍ରେସକୁ ଆତତାୟୀର ମାଆ ସୂଚନା ଦେଇଛନ୍ତି ଯେ, ତାଙ୍କ ପୁଅ ବେଶ୍ ଶାନ୍ତ ଥିଲା । ତେବେ ସେ ସବୁବେଳେ ଗାଳି ଗୁଲଜ କରୁଥିଲା । ମୃତ ବନ୍ଧୁକଧାରୀ ବଟଲରର ଦୁଇ ଜଣ ବନ୍ଧୁ ମଧ୍ଯ ସମାନ କଥା କହିଛନ୍ତି । ତଦନ୍ତକାରୀ ଅଧିକାରୀ କହିଛନ୍ତି ଯେ, ବନ୍ଧୁକଧାରୀର ମୋଟିଭ୍ ଉପରେ ମୁଖ୍ୟତଃ ତଦନ୍ତ କରାଯାଉଛି । ଗୁଳିକାଣ୍ଡରେ ଆହତ ପିଲାମାନଙ୍କର ସ୍ୱାସ୍ଥ୍ୟାବସ୍ଥା ସ୍ଥିର ଅଛି ବୋଲି ହସପିଟାଲ ସୂତ୍ରରୁ ଜଣାପଡ଼ିଛି । ଆମେରିକାରେ ମାସ୍ ସୁଟିଂ ଚିନ୍ତା ବଢ଼ାଇଛି । ସାଧାରଣତଃ ସ୍କୁଲଗୁଡ଼ିକୁ ସପ୍ଟ ଟାର୍ଗେଟ କରିଥାନ୍ତି ବନ୍ଧୁକଧାରୀ । ପ୍ରତିବର୍ଷ ଆମେରିକାର ବିଭିନ୍ନ ସ୍କୁଲରେ ଗୁଳିକାଣ୍ଡ ଘଟୁଛି । ବନ୍ଧୁକ ଲାଇସେନ୍ସ ନେଇ କଡ଼ା ଆଇନ ନ ରହିବା ଏବଂ ଲୋକଙ୍କ ଅସନ୍ତୁଳିତ ମାନସିକତା, ଗୁଳିକାଣ୍ଡର ପ୍ରମୁଖ କାରଣ ବୋଲି ମନସ୍ତତ୍ୱବିତ୍ ମତ ଦେଇଛନ୍ତି ।