28.1 C
Bhubaneswar
Thursday, May 8, 2025
Homeଦେଶ ବିଦେଶଦେଶରେ ଆଉ ଏକ ବଡ଼ ଋଣ ଠକେଇ; ୨୬୨ କୋଟି ଟଙ୍କା ହେରାଫେରି ଅଭିଯୋଗ

ଦେଶରେ ଆଉ ଏକ ବଡ଼ ଋଣ ଠକେଇ; ୨୬୨ କୋଟି ଟଙ୍କା ହେରାଫେରି ଅଭିଯୋଗ

ମୁମ୍ବାଇ: ଜେନ୍‌ସୋଲ ଇଞ୍ଜିନିୟରିଂ ଲି. ନାମକ ଏକ କମ୍ପାନୀ ବିରୋଧରେ ପ୍ରାୟ ୨୬୨ କୋଟି ଟଙ୍କାର ବ୍ୟାଙ୍କ୍ ଠକେଇ ଅଭିଯୋଗ ହୋଇଛି। ଭାରତୀୟ ନବୀକରଣୀୟ ଶକ୍ତି ବିକାଶ ସଂସ୍ଥା (ଆଇଆର୍‌ଇଡିଏ) ଏବଂ ପାୱାର ଫାଇନାନ୍ସ କର୍ପୋରେସନ୍ (ପିଏଫ୍‌ସି)ରୁ ଜେନ୍‌ସୋଲ କମ୍ପାନୀ ମାଲିକମାନେ ପ୍ରାୟ ୯୭୮ କୋଟି ଟଙ୍କାର ଋଣ କରିଥିଲେ। ତେବେ ଏଥିମଧ୍ୟରୁ ପ୍ରାୟ ୨୬୨ କୋଟି ଟଙ୍କାକୁ ହେରଫେର କରାଯାଇଥିବା ଜଣାପଡିଛି। ଅନ୍ୟପକ୍ଷେ ସେବି ପକ୍ଷରୁ କମ୍ପାନୀ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ପରେ ବୁଧବାର ଦିନ କମ୍ପାନୀର ସେୟାର ମୂଲ୍ୟ ପ୍ରାୟ ୫% ପର୍ଯ୍ୟନ୍ତ ହ୍ରାସ ପାଇ ଟ.୧୨୨.୬୮ପ. କୁ ଖସିଆସିଛି। ସେହିପରି ଗତ ୫ଟି ବ୍ୟବସାୟିକ ଦିନରେ କମ୍ପାନୀର ଷ୍ଟକ୍ ୧୬.୫୪% ଏବଂ ଗତ ୧ ମାସ ମଧ୍ୟରେ ଷ୍ଟକ୍ ୪୮.୧୭% ହ୍ରାସ ପାଇଛି। ଏହି ହ୍ରାସ ସହ କେବଳ ଚଳିତ ବର୍ଷ କମ୍ପାନୀର ସେୟାର ମୂଲ୍ୟ ପ୍ରାୟ ୮୫% ପର୍ଯ୍ୟନ୍ତ ହ୍ରାସ ପାଇଛି। ଜେନସୋଲ୍ ଇଞ୍ଜିନିୟରିଂ ଲି. ନାମକ ଏହି କମ୍ପାନୀ ମୁଖ୍ୟତଃ ବୈଦ୍ୟୁତିକ ଯାନ (ଇଭି) ପ୍ରସ୍ତୁତ କରିବା ଏବଂ ଲିଜ୍‌ରେ ଯୋଗାଣ କରିବା ଦିଗରେ କାର୍ଯ୍ୟ କରିଥାଏ। କମ୍ପାନୀର ପ୍ରମୋଟର ଭାବେ ୨ ଭାଇ ଅନମୋଲ ସିଂହ ଜଗ୍‌ଗି ଏବଂ ପୁନିତ୍ ସିଂହ ଜଗ୍‌ଗି ଦାୟିତ୍ୱ ସମ୍ଭାଳି ଆସୁଥିଲେ।

ସମୟକ୍ରମେ ଏମାନେ ଆଇଆରଇଡିଏ ଏବଂ ପିଏଫ୍‌ସିରୁ ପ୍ରାୟ ୯୭୮ କୋଟି ଟଙ୍କାର ଋଣ ଉଠାଇଥିଲେ ଏବଂ ଏହି ଅର୍ଥକୁ ବ୍ୟକ୍ତିଗତ ବ୍ୟବହାର ପାଇଁ ଅନ୍ୟତ୍ର ଖର୍ଚ୍ଚ କରିଥିଲେ। ତେବେ ଏସମ୍ପର୍କରେ ସୂଚନା ମିଳିବା ପରେ ଜୁନ୍‌, ୨୦୨୪ରେ ସେବି ତଦନ୍ତ ଆରମ୍ଭ କରିଥିଲା ଏବଂ ପ୍ରାରମ୍ଭିକ କାର୍ଯ୍ୟାନୁଷ୍ଠାନ ପରିପ୍ରେକ୍ଷୀରେ ଉଭୟ ଭାଇଙ୍କୁ (କମ୍ପାନୀର ମାଲିକ ଦ୍ୱୟଙ୍କୁ) କମ୍ପାନୀର ନିର୍ଦ୍ଦେଶକ ପଦରୁ ହଟାଇଦେଇଥିଲା। ଏପରିକି ଷ୍ଟକ ମାର୍କେଟ୍‌ରେ ମଧ୍ୟ କମ୍ପାନୀର ବ୍ୟବସାୟିକ କାରବାର ଉପରେ ବ୍ୟାନ୍ ଲାଗୁ କରିଥିଲା ସେବି। ସେବି ନିଜ ଆଦେଶରେ ସ୍ପଷ୍ଟ କରିଛି ଯେ, ଜେନସୋଲ ଇଞ୍ଜିନିୟରିଂ ଲି. ନାମକ ଏହି କମ୍ପାନୀର କର୍ପୋରେଟ୍ ଗଭର୍ଣ୍ଣାନ୍ସ ସମ୍ପୂର୍ଣ୍ଣ ବିଫଳ ହୋଇଛି। ପ୍ରମୋଟରମାନେ ଏହି ତାଲିକାଭୁକ୍ତ କମ୍ପାନୀକୁ ନିଜର ସମ୍ପତ୍ତି ବୋଲି ବିବେଚନା କରିଥିଲେ। କମ୍ପାନୀର ଟଙ୍କାକୁ ସମ୍ପୃକ୍ତ ଅଂଶୀଦାରଙ୍କ ମଧ୍ୟରେ ପ୍ରସାରିତ କରି ବ୍ୟକ୍ତିଗତ ଆବଶ୍ୟକତା ପାଇଁ ଖର୍ଚ୍ଚ କରାଯାଇଥିଲା। ଯାହାଫଳରେ କମ୍ପାନୀରେ ନିବେଶ କରିଥିବା ନିବେଶକମାନଙ୍କୁ ବିପୁଳ କ୍ଷତି ସହିବାକୁ ପଡିଛି।

ଜେନସୋଲର ପ୍ରମୋଟରମାନେ ଆଇଆରଇଡିଏ ଏବଂ ପିଏଫ୍‌ସି ଠାରୁ ନିଆଯାଇଥିବା ୯୭୭.୭୫୮ କୋଟି ଟଙ୍କାର ଏକ ମିଆଦୀ ଋଣ ପ୍ରକ୍ରିୟାରେ ଠକେଇରେ ଲିପ୍ତ ଅଛନ୍ତି। ସେବି କହିଛି ଯେ, କମ୍ପାନୀ ନିଜ ଋଣ ଆବେଦନରେ ଦର୍ଶାଇଥିଲା ଯେ, କମ୍ପାନୀକୁ ୬,୪୦୦ ଇଲେକ୍ଟ୍ରିକ୍ ଯାନ (ଇଭି) ପ୍ରସ୍ତୁତ ତଥା କିଣିବା ପାଇଁ ୬୬୪ କୋଟି ଟଙ୍କାର ଆବଶ୍ୟକତା ରହିଛି। ଏସବୁ ଇଭିଗୁଡ଼ିକୁ କମ୍ପାନୀ, ବ୍ଲୁ-ସ୍ମାର୍ଟ ନାମକ ଅନ୍ୟ ଏକ କମ୍ପାନୀକୁ ଲିଜ୍ ଦେବ ବୋଲି ମଧ୍ୟ ଉଲ୍ଲେଖ କରିଥିଲା। କିନ୍ତୁ କମ୍ପାନୀ ଫେବୃଆରୀ ୨୦୨୫ ସୁଦ୍ଧା ୫୬୭.୭୩ କୋଟି ମୂଲ୍ୟର କେବଳ ୪,୭୦୪ଟି ଯାନ କିଣିଥିବା ବେଳେ ବାକି ୨୬୨.୧୩ କୋଟି ଟଙ୍କାର ହିସାବ ଦେଇପାରିନଥିଲା। ଏହି ୨୬୨.୧୩ କୋଟି ଟଙ୍କାକୁ କମ୍ପାନୀର ପ୍ରମୋଟର୍ସ ଭାଇ ଅନମୋଲ ସିଂହ ଜଗ୍‌ଗି ଏବଂ ପୁନିତ୍ ସିଂହ ଜଗ୍‌ଗି ନିଜ ନିଜ ସହ ପ୍ରତ୍ୟକ୍ଷ କିମ୍ବା ପରୋକ୍ଷ ଭାବରେ ଜଡିତ ଥିବା ଛୋଟମୋଟ କମ୍ପାନୀଙ୍କୁ ପୈଠ କରିଥିଲେ। କିନ୍ତୁ ପରେ ଏହି ଅର୍ଥ ସେମାନଙ୍କ ପାଖକୁ ଫେରିଆସିଥିବା ମଧ୍ୟ ଜଣାପଡିଛି। ତଦନ୍ତରେ ସେବି ଏହା ମଧ୍ୟ ଜାଣିବାକୁ ପାଇଛି ଯେ, ଉଭୟ ଭାଇ ଅନମୋଲ ଏବଂ ପୁନିତ୍ ଏହି ଅର୍ଥକୁ ବିଳାସପୂର୍ଣ୍ଣ ଫ୍ଲାଟ କିଣିବା, ବ୍ୟବସାୟ କରିବା, ଏକ ଗଲ୍ଫ ସେଟ୍ କିଣିବା ଆଦିରେ ଖର୍ଚ୍ଚ କରିଥିଲେ। ପାଣ୍ଠିର ଅପବ୍ୟବହାରକୁ ଲୁଚାଇବା ପାଇଁ ଜେନସୋଲ ଝଋଈଓ, କ୍ରେଡିଟ୍ ରେଟିଂ ଏଜେନ୍ସି (ସିଆରଏ) ଏବଂ ଋଣଦାତାମାନଙ୍କ ନିକଟରେ ମିଥ୍ୟା “ଆଚରଣ ପତ୍ର’ ମଧ୍ୟ ଦାଖଲ କରିଥିଲା।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking