ଭୁବନେଶ୍ୱର : ମହିଳା ଓ ଶିଶୁ ବିକାଶ କୁୁ ପ୍ରାଧାନ୍ୟ ଦେଇ ଆଉ ୧୫୬୭ଟି ଅଙ୍ଗନବାଡି କେନ୍ଦ୍ର ଖୋଲିବାକୁ କେନ୍ଦ୍ର ସରକାର ପଦକ୍ଷେପ ନେଇଛନ୍ତି । ଜନଜାତି ଓ ଅପପୁଷ୍ଟି ଦେଖାଯାଉଥିବା ଅଞ୍ଚଳରେ ଏହି ଅଙ୍ଗନବାଡି ଖୋଲିବାକୁ ଜିଲ୍ଲାପାଳଙ୍କୁ କୁହାଯାଇଛି । ସହରାଞ୍ଚଳୋର ଅଙ୍ଗନବାଡି କେନ୍ଦ୍ର ଖୋଲିବା ପାଇଁ ଜାଗା ସମସ୍ୟା ଥିଲେ ଜିଲ୍ଲାପାଳ ଚିହ୍ନଟ କରିବେ । ଗୋଟିଏ ଅଙ୍ଗନବାଡି କେନ୍ଦ୍ର ଖୋଲିବାକୁ ୭ ଲକ୍ଷ ଟଙ୍କା ଲେଖାଏଁ ଯୋଗାଇ ଦେବାକୁ ବ୍ୟବସ୍ଥା ହୋଇଛି । ମନରେଗାରେ ୫ ଲକ୍ଷ ଓ ରାଜ୍ୟ ସରାକାର ୨ ଲକ୍ଷ ଟଙ୍କା ବ୍ୟବସ୍ଥା କରାଯାଇଛି ବୋଲି ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ଟୁକୁନି ସାହୁ କହିଛନ୍ତି ।
ତେବେ ରାଜ୍ୟରେ ୭ହଜାର ୮୪୪ଟି ନୂଆ ଅଙ୍ଗନବାଡି କେନ୍ଦ୍ର ଖୋଲିବା ଲାଗି ଯୋଜନା ହୋଇଥିଲା । ଏନେଇ କେନ୍ଦ୍ରକୁ ପ୍ରସ୍ତାବ ଦିଆଯାଇଥିଲା । ହେଲେ ତର୍ଜମା କରି ରିପୋର୍ଟ ଦେବାକୁ କହି କେନ୍ଦ୍ର ଫରାଇ ଦେଇଥିଲା । ରାଜ୍ୟରେ ମହିଳା ଓ ଶିଶୁ ବିକାଶ ସମ୍ପର୍କିତ ସୂଚନା ଦେଇ ମନ୍ତ୍ରୀ କହିଛନ୍ତି ଯେ, ପୁଷ୍ଟି ସାଧନ ଲାଗି ସରକାର ପ୍ରାଥମିକତା ଦେଇଛନ୍ତି । ଏଥିଲାଗି ଅଙ୍ଗନବାଡି କେନ୍ଦ୍ରରେ ୫ ଦିନ ଅଣ୍ଡା ଯୋଗାଇ ଦେବାକୁ ବ୍ୟବସ୍ଥା ହୋଇଛି । ତାହାଛଡା ଆହୁରି ଅଙ୍ଗନବାଡି କେନ୍ଦ୍ର ଖୋଲିବା ପାଇଁ ପଦକ୍ଷେପ ନିଆଯାଇଛି । ଏବେ ୬୨ ହଜାର ୧୭୧ ଟି ଅଙ୍ଗନବାଡି କେନ୍ଦ୍ର ଓ ୧୦ ହଜାର୪୧୬ଟି ମିନି ଅଙ୍ଗନବାଡି କେନ୍ଦ୍ର ରହିଛି ।