ପୋର୍ଟ ସୁଦାନ: ଅପରେସନ କାବେରୀ ଯୋଜନାରେ ଯୁଦ୍ଧବିଧ୍ୱସ୍ତ ସୁଦାନରୁ ବୁଧବାର ଆଉ ୧୩୭ ଭାରତୀୟଙ୍କୁ ଉଦ୍ଧାର କରାଯାଇଛି । ଭାରତୀୟ ବାୟୁସେନାର ସି-୧୩୦ ପରିବହନ ବିମାନ ବୁଧବାର ଏମାନଙ୍କୁ ପୋର୍ଟ ସୁଦାନରୁ ଆଣି ସାଉଦି ଆରବର ଜେଦାହ୍ଠାରେ ପହଞ୍ଚାଇଛି । ଏମାନଙ୍କୁ ମିଶାଇ ୨୧ଟି ପର୍ଯ୍ୟାୟରେ ପ୍ରାୟ ୩ ହଜାର ଭାରତୀୟଙ୍କୁ ସୁଦାନରୁ ଉଦ୍ଧାର କରାଯାଇଥିବାବେଳେ ୨୩୦୦ ଭାରତୀୟ ସ୍ୱଦେଶ ଫେରିଆସିଛନ୍ତି ବୋଲି ବିଦେଶ ମନ୍ତ୍ରଣାଳୟର ମୁଖପାତ୍ର ଅରିନ୍ଦମ ବାଗ୍ଚୀ କହିଛନ୍ତି ।
ପୋର୍ଟ ସୁଦାନରୁ ଜେଦାହ୍ ପହଞ୍ଚିବାପରେ ବାୟୁସେନା ବିମାନରେ ଏମାନଙ୍କୁ ଭାରତ ଅଣାଯାଉଛି । ଅପରେସନ କାବେରୀ କାର୍ଯ୍ୟକାରୀ ହେବାପରଠାରୁ ଏପର୍ଯ୍ୟନ୍ତ ୮ଟି ଫ୍ଲାଇଟ୍ରେ ୨୩୦୦ ଭାରତୀୟ ସ୍ୱଦେଶ ଫେରିଥିବା ପ୍ରକାଶ । ଇତିମଧ୍ୟରେ ସୁଦାନ ଆର୍ମି ଏବଂ ବିଦ୍ରୋହୀ ର୍ୟାପିଡ୍ ସପୋର୍ଟ ଫୋର୍ସ ସାତଦିନ ପାଇଁ ଅସ୍ତ୍ରବିରତି ଘୋଷଣା କରିଛନ୍ତି । ଏଥିସହିତ ଶାନ୍ତି ଫେରାଇ ଆଣିବାକୁ ଉଭୟ ଗୋଷ୍ଠୀ ଆଲୋଚନା ଟେବୁଲରେ ମିଳିତ ହେବାକୁ ମଧ୍ୟ ରାଜି ହୋଇଛନ୍ତି ।
ଏପ୍ରିଲ ୧୫ରୁ ଦୁଇ ଗୋଷ୍ଠୀ ମଧ୍ୟରେ ଆରମ୍ଭ ହୋଇଥିବା ସଂଘର୍ଷରେ ଏପର୍ଯ୍ୟନ୍ତ ୫୨୮ ଜଣ ପ୍ରାଣ ହରାଇଥିବାବେଳେ ୫ ହଜାରରୁ ଅଧିକ ଆହତ ହୋଇଛନ୍ତି । ଯୁଦ୍ଧ ଭୟରେ ପ୍ରାୟ ୧ ଲକ୍ଷ ଲୋକ ଶରଣାର୍ଥୀଭାବେ ଅନ୍ୟ ଦେଶକୁ ଚାଲିଯାଇଛନ୍ତି ବୋଲି ଜାତିସଂଘ ମାନବାଧିକାର ସଂଗଠନ ପକ୍ଷରୁ କୁହାଯାଇଛି ।