ନୂଆଦିଲ୍ଲୀ : କୋରୋନା ମହାମାରୀ ଦ୍ୱାରା ପ୍ରଭାବିତ ଗ୍ରାମାଞ୍ଚଳର ବେରୋଜଗାରୀ ଏବଂ ଗରିବଙ୍କ ପାଇଁ ସରକାର ଏକ ନୂଆ ଯୋଜନା ପ୍ରସ୍ତୁତ କରୁଛନ୍ତି । ୧ ଫେବୃଆରୀରେ ଉପସ୍ଥାପିତ ହେବାକୁ ଥିବା ବଜେଟରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଏହା ଘୋଷଣା କରିପାରନ୍ତି ।
ଯୋଜନା କାର୍ଯ୍ୟରେ ଜଡିତ ଅଧିକାରୀମାନେ କହିଛନ୍ତି ଯେ ବେକାର ଏବଂ ଚାକିରୀ ହରାଇଥିବା ଗରିବ ଲୋକଙ୍କୁ ସାମାଜିକ ସୁରକ୍ଷା ଯୋଗାଇବା ପାଇଁ ଏକ ନୂତନ ଚିନ୍ତାଧାରା ନିଆଯାଉଛି । ଯଦି ସବୁକିଛି ଠିକ ରହେ, ତେବେ ପିଏମ କିସାନ ଯୋଜନା ପରି, ହିତାଧିକାରୀଙ୍କ ବ୍ୟାଙ୍କ ଆକାଉଣ୍ଟକୁ ଟଙ୍କା ସିଧାସଳଖ ପଠାଯିବ । ତେବେ ଏପର୍ଯ୍ୟନ୍ତ ରାଜ୍ୟମାନଙ୍କ ସହ ଏହା ଆଲୋଚନା ହୋଇ ନାହିଁ ଏବଂ ସେମାନଙ୍କ ସମ୍ମତି ପରେ ବଜେଟରେ ଏକ ଘୋଷଣା କରାଯିବ । ଏହାର ଲାଭ ଗ୍ରାମାଞ୍ଚଳର ଗରିବ, ପ୍ରବାସୀ ଶ୍ରମିକ, କୃଷି ଶ୍ରମିକ ଏବଂ ଅସଂଗଠିତ କ୍ଷେତ୍ରର ଶ୍ରମିକମାନଙ୍କୁ ଦିଆଯିବ । ମହାମାରୀ ଯୋଗୁଁ ଲକ୍ଷ ଲକ୍ଷ ଲୋକ ବେକାର ହୋଇପଡିଛନ୍ତି ଏବଂ ସେମାନଙ୍କ ଉପରେ ସ୍ୱାସ୍ଥ୍ୟ ସେବାର ମୂଲ୍ୟ ମଧ୍ୟ ବଢୁଛି । ଏହି ସଙ୍କଟକୁ ହ୍ରାସ କରିବା ପାଇଁ ଏହି ନୂତନ ଯୋଜନା ପ୍ରସ୍ତୁତ କରାଯାଉଛି ।
ଇ-ଶ୍ରମ ପୋର୍ଟାଲରୁ ସଂଗ୍ରହ କରାଯିବ ଡାଟା
ଏହି ଯୋଜନା କାର୍ଯ୍ୟକାରୀ କରିବା ପାଇଁ ସରକାର ଇ-ଶ୍ରମ ପୋର୍ଟାଲରୁ ହିତାଧିକାରୀଙ୍କ ଡାଟା ସଂଗ୍ରହ କରିବେ । 23 କୋଟିରୁ ଅଧିକ ଅସଂଗଠିତ ତଥା ପ୍ରବାସୀ ଶ୍ରମିକ ଅଗଷ୍ଟ ୨୦୨୧ ରେ ଆରମ୍ଭ ହୋଇଥିବା ଏହି ପୋର୍ଟାଲରେ ନିଜକୁ ପଞ୍ଜୀକୃତ କରିଛନ୍ତି । ସରକାର ସେମାନଙ୍କର ଆଧାର, ମୋବାଇଲ୍ ନମ୍ବର ଏବଂ ବ୍ୟାଙ୍କ ଆକାଉଣ୍ଟ୍ ବିବରଣୀ ସହିତ ଇ-ଶ୍ରମ କାର୍ଡ ମଧ୍ୟ ଦେଇଛନ୍ତି । ଏହି ପଞ୍ଜୀକରଣ ଆଧାରରେ ନୂତନ ଯୋଜନାର ପରିସର ପ୍ରସ୍ତୁତ ହେବ ବୋଲି ବିଶେଷଜ୍ଞମାନେ କହିଛନ୍ତି ।