ନୂଆଦିଲ୍ଲୀ : ଦିଲ୍ଲୀ ସରକାରଙ୍କ ବିବାଦୀୟ ଅବକାରୀ ନୀତିକୁ ନେଇ କେନ୍ଦ୍ର ସରକାର କଡା ଆଭିମୁଖ୍ୟ ଗ୍ରହଣ କରିଥିବାବେଳେ ସିବିଆଇ ପକ୍ଷରୁ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କ ଘର ଉପରେ ଚଢଉ ହୋଇସାରିଛି । ଏଥିସହିତ ସିସୋଦିଆ ଓ ଅନ୍ୟ ୧୪ ଜଣଙ୍କ ବିରୋଧରେ ସିବିଆଇ ମାମଲା ମଧ୍ୟ ରୁଜୁ କରିସାରିଛି । ଏଭଳି ଏକ ସମ୍ବେଦନଶୀଳ ପ୍ରସଙ୍ଗକୁ କେନ୍ଦ୍ରକରି ଆପ୍ (ଆମ୍ ଆଦ୍ମୀ ପାର୍ଟି) ଓ କେନ୍ଦ୍ରରେ କ୍ଷମତାସୀନ ବିଜେପି ମଧ୍ୟରେ ଟଣାଓଟରା ପରିସ୍ଥିତି ସୃଷ୍ଟି ହୋଇଛି । ଏହି ପରିପ୍ରେକ୍ଷୀରେ ବିଶିଷ୍ଟ ଗାନ୍ଧୀବାଦୀ ନେତା ତଥା ସାମାଜିକ କର୍ମୀ ଆନ୍ନା ହଜାରେ ମୁହଁ ଖୋଲିଛନ୍ତି । ଏକଦା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ଗୁରୁଭାବେ ମାନ୍ୟତା ପାଇଥିବା ଆନ୍ନା ବର୍ତ୍ତମାନ ଆପ୍ ସରକାରଙ୍କ ଅବକାରୀ ନୀତିକୁ ନେଇ ତୀବ୍ର ଅସନ୍ତୋଷ ବ୍ୟକ୍ତ କରିଛନ୍ତି ।
ଦିନେ ଭ୍ରଷ୍ଟାଚାର ବିରୋଧରେ ସ୍ୱର ଉତ୍ତୋଳନ କରୁଥିବା କେଜ୍ରିୱାଲ ବର୍ତ୍ତମାନ କ୍ଷମତା ପାଇଁ ନିଶାସକ୍ତ ହୋଇପଡିଛନ୍ତି ବୋଲି ଆନ୍ନା ଆକ୍ଷେପ କରିଛନ୍ତି । କେଜ୍ରିୱାଲ ମୁଖ୍ୟମନ୍ତ୍ରୀ ହେବାପରେ ଆନ୍ନା ପ୍ରଥମ ଥର ତାଙ୍କ ନିକଟକୁ ପଠାଇଥିବା ଚିଠିରେ ଏଭଳି ବିଷୋଦଗାର କରିଛନ୍ତି । ୨୦୧୧ରେ ଦେଶରୁ ଦୁର୍ନୀତି ମୂଳପୋଛ କରିବାକୁ ଆନ୍ନାଙ୍କ ନେତୃତ୍ୱରେ ଦିଲ୍ଲୀରେ ବିଶାଳ ଜନ ଆନ୍ଦୋଳନ ଆୟୋଜିତ ହୋଇଥିଲା । ସେତେବେଳେ କେଜ୍ରିୱାଲଙ୍କର କୌଣସି ରାଜନୈତିକ ପରିଚୟ ନଥିଲା ।
ଆନ୍ନାଙ୍କ ଆଲୋକରେ ସେ ଆଲୋକିତ ହେଉଥିଲେ । ତେବେ ଏହି ଆନ୍ଦୋଳନ ସଫଳ ହେବାପରେ କେଜ୍ରିୱାଲ ରାଜନୀତିରେ ପ୍ରବେଶ ଲକ୍ଷ୍ୟ ରଖି ‘ଆମ୍ ଆଦ୍ମୀ ପାର୍ଟି’ (ଆପ୍) ଗଠନ କରିଥିଲେ । ଏହା ଆନ୍ନାକୁ ବେଶ ବାଧିଥିଲା, ଯାହାଫଳରେ କେଜ୍ରିୱାଲଙ୍କ ସହ ସେ ସମ୍ପର୍କ ଏକପ୍ରକାର ତୁଟାଇ ଦେଇଥିଲେ । ଜନ ଆନ୍ଦୋଳନରୁ ସୃଷ୍ଟି ହୋଇଥିବା ଆପ୍ ଆଜି ତାହାର ମୂଳ ଲକ୍ଷ୍ୟରୁ ଓହରିଯାଇଥିବା ଆନ୍ନା କହିଛନ୍ତି । ମହାରାଷ୍ଟ୍ରର ନିଜ ଗ୍ରାମ ରାଲେଗାଓଁ ସିଦ୍ଧିରେ ମଦ ବିକ୍ରିକୁ ବନ୍ଦ କରିବାରେ ଆନ୍ନା ସଫଳ ହୋଇଥିବାବେଳେ ତାଙ୍କର ଶିଷ୍ୟ ବୋଲାଉଥିବା କେଜ୍ରିୱାଲ କିପରି ରାଜଧାନୀ ଦିଲ୍ଲୀରେ ମଦ ବିକ୍ରିକୁ ପ୍ରୋତ୍ସାହନ ଦେଉଛନ୍ତି ବୋଲି ଆନ୍ନା ପ୍ରଶ୍ନ କରିଛନ୍ତି ।