ରାଞ୍ଚି: ଝାଡ଼ଖଣ୍ଡ ଦୁମକା ଜିଲ୍ଲାରେ ଜଣେ ନାବାଳିକା ଅଙ୍କିତା ସିଂହଙ୍କୁ ପୋଡ଼ି ମାରିଦେବା ଘଟଣାକୁ ଝାଡ଼ଖଣ୍ଡ ହାଇକୋର୍ଟ ସ୍ୱତଃ ସଂଜ୍ଞାନକୁ ନେଇଛନ୍ତି । ମଙ୍ଗଳବାର ହାଇକୋର୍ଟ ଡିଜିପି ନୀରଜ ସିହ୍ନାଙ୍କୁ ରିପୋର୍ଟ ତଲବ କରିଛନ୍ତି । ସେହିପରି ଅଙ୍କିତାଙ୍କ ପରିବାର ସଦସ୍ୟଙ୍କୁ ଆବଶ୍ୟକ ସୁରକ୍ଷା ଯୋଗାଇ ଦେବା ପାଇଁ କୋର୍ଟ ରାଜ୍ୟ ପୁଲିସକୁ ନିର୍ଦ୍ଦେଶ ଦେଇଛନ୍ତି । ସୂଚନାଯୋଗ୍ୟ, ୧୯ ବର୍ଷୀୟା ଅଙ୍କିତା ସିଂହ ଦୁମକା ଜିଲ୍ଲା ଜରୁବାଡିହି ମୋହଲ୍ଲାର ନିଜ ଘରେ ଶୋଇଥିବା ବେଳେ ଅଗଷ୍ଟ ୨୩ ତାରିଖ ରାତି ପ୍ରାୟ ପାଞ୍ଚଟା ବେଳେ ମହମ୍ମଦ ଶାହରୁଖ୍ ନାମକ ଦୁର୍ବୃତ୍ତ ଝରକା ଦେଇ ଘର ଭିତରେ ପେଟ୍ରୋଲ୍ ଢ଼ାଳିବା ସହ ନିଆଁ ଲଗାଇ ଦେଇଥିଲା । ଏଥିରେ ଅଙ୍କିତାଙ୍କ ଶରୀରର ୯୫ ଭାଗ ଜଳିଯାଇଥିଲା । ତାଙ୍କୁ ତୁରନ୍ତ ଫୁଲୋ ଝାନୋ ମେଡିକାଲ୍ କଲେଜ ଓ ହସ୍ପିଟାଲ୍ରେ ଭର୍ତ୍ତି କରାଯାଇଥିଲା । ସେଠାରୁ ତାଙ୍କୁ ରାଞ୍ଚିସ୍ଥିତ ରାଜେନ୍ଦ୍ର ଇନ୍ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍ସେସ୍ (ରିମ୍ସ)କୁ ସ୍ଥାନାନ୍ତର କରାଯାଇଥିଲା ।
ସେଠାରେ ପାଞ୍ଚିଦିନ ଚିକିତ୍ସିତ ହେବାପରେ ଅଗଷ୍ଟ ୨୮ (ରବିବାର) ତାରିଖରେ ଅଙ୍କିତା ଶେଷନିଃଶ୍ୱାସ ତ୍ୟାଗ କରିଥିଲେ । ଅତଙ୍କିତାଙ୍କ ମୃତ୍ୟୁ ପରେ ଦୁମକା, ଗିରଡିହ ଏବଂ ରାଞ୍ଚି ସମେତ ରାଜ୍ୟର ଅନ୍ୟ ଜିଲ୍ଲାରେ ମଧ୍ୟ ବିରୋଧ ପ୍ରଦର୍ଶନ ଆରମ୍ଭ ହୋଇଯାଇଥିଲା । ଦୁମକାରେ ବଜରଙ୍ଗ ଦଳ, ବିଜେପି ସମେତ କେତେକ ସାମାଜିକ ସଂଗଠନ ବିରୋଧ ସ୍ୱରୂପ ରାସ୍ତାକୁ ଓହ୍ଲାଇ ପ୍ରଦର୍ଶନ କରିଥିଲେ । ଦୋଷୀ ପ୍ରତି କଠୋର ଦଣ୍ଡବିଧାନ କରାଯିବାକୁ ପ୍ରଦର୍ଶନକାରୀ ଦାବି କରିଥିଲେ । ମାଜିଷ୍ଟ୍ରେଟ୍ଙ୍କ ସମ୍ମୁଖରେ ପୀଡ଼ିତାଙ୍କ ମୃତ୍ୟୁକାଳୀନ ବୟାନକୁ ଭିତ୍ତିକରି ସେହିଦିନ ହିଁ ଅଭିଯୁକ୍ତ ଶାହରୁଖ୍କୁ ଗିରଫ କରାଯାଇଥିଲା । ସେହିପରି ମାମଲାରେ ପୀଡ଼ିତ ଦର୍ଶାଇଥିବା ଅନ୍ୟତମ ଅଭିଯୁକ୍ତ ନସୀମ ଓରଫ୍ ଛୋଟୁଖାନ୍କୁ ସୋମବାର ଗିରଫ କରାଯାଇଛି ।
ଏଏନ୍ଆଇ ରିପୋର୍ଟ ଅନୁସାରେ ମାମଲାର ତଦନ୍ତ ପାଇଁ ରାଜ୍ୟ ପୁଲିସ ଏକ ଏସ୍ଆଇଟି ଗଠନ କରିଛି । ମାମଲାର ଗମ୍ଭୀରତା ଦୃଷ୍ଟିରୁ ୧୦ ଜଣିଆ ଏସ୍ଆଇଟିର ନେତୃତ୍ୱରେ ଜଣେ ଏସ୍ପି କରିବେ ବୋଲି ରାଜ୍ୟ ପୁଲିସ ଏଡିଜି ହେଡ୍କ୍ୱାର୍ଟର୍ ଏମ୍ଏଲ୍ ମୀନା କହିଛନ୍ତି । ସେହିପରି ବର୍ତ୍ତମାନ ସୁଦ୍ଧା ଦୁଇଜଣଙ୍କୁ ଗିରଫ କରାଯାଇଛି ଏବଂ ମାମଲାର ସମସ୍ତ ଦିଗରୁ ତଦନ୍ତ ଚାଲିଛି ବୋଲି ସେ କହିଛନ୍ତି ।
ଦୁମକା ଜିଲ୍ଲା ପ୍ରଶାସନର ଦେଖରେଖରେ ସୋମବାର ସକାଳେ ଅଙ୍କିତାଙ୍କ ଶେଷକୃତ୍ୟ ସମ୍ପନ୍ନ ହୋଇଛି । ଇତିମଧ୍ୟରେ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ୍ ଦୋଷୀ ପ୍ରତି କଠୋର ଦଣ୍ଡବିଧାନ କରାଯିବାକୁ କହିଛନ୍ତି । ସେହିପରି ଏପରି ଘଟଣା ପାଇଁ ବର୍ତ୍ତମାନ ଥିବା ଆଇନକୁ ଆହୁରି କଠୋର କରାଯିବା ଆବଶ୍ୟକ ବୋଲି ମଧ୍ୟ ସେ କହିଛନ୍ତି । ଏହା ସହିତ ପୀଡ଼ିତା ପରିବାରକୁ ୧୦ ଲକ୍ଷ ଟଙ୍କା ଆର୍ଥିକ ସହାୟତା ଯୋଗାଇ ଦେବାକୁ ଦୁମ୍କା ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି । ଦୋଷୀ ବିରୋଧରେ ସମସ୍ତ ଆଇନଗତ କାର୍ଯ୍ୟ ଫାଷ୍ଟ୍ ଟ୍ରାକ୍ କୋର୍ଟରେ କରିବାକୁ ମୁଖ୍ୟମନ୍ତ୍ରୀ ଆଦେଶ ମଧ୍ୟ ଦେଇଛନ୍ତି ।