31.1 C
Bhubaneswar
Friday, October 18, 2024
Homeଓଡିଶାଅଙ୍ଗନବାଡ଼ି କେନ୍ଦ୍ର ବନ୍ଦ କରିବା ମାମଲା:ରାଜ୍ୟ ସରକାରଙ୍କୁ ହାଇକୋର୍ଟଙ୍କ ନିର୍ଦ୍ଦେଶ; ୨ ସପ୍ତାହ ମଧ୍ୟରେ ନିଷ୍ପତ୍ତି...

ଅଙ୍ଗନବାଡ଼ି କେନ୍ଦ୍ର ବନ୍ଦ କରିବା ମାମଲା:ରାଜ୍ୟ ସରକାରଙ୍କୁ ହାଇକୋର୍ଟଙ୍କ ନିର୍ଦ୍ଦେଶ; ୨ ସପ୍ତାହ ମଧ୍ୟରେ ନିଷ୍ପତ୍ତି ନିଅ

କଟକ:ପ୍ରବଳ ଗ୍ରୀଷ୍ମ ପ୍ରବାହ ସମୟରେ ରାଜ୍ୟର ଅଙ୍ଗନବାଡ଼ି କେନ୍ଦ୍ରଗୁଡ଼ିକୁ ବନ୍ଦ କରିବା ମାମଲାରେ ୨ ସପ୍ତାହ ମଧ୍ୟରେ ନିଷ୍ପତ୍ତି ନେବାକୁ ରାଜ୍ୟ ସରକାରଙ୍କୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଭାରତୀୟ ବିକାଶ ପରିଷଦ ନୟାଗଡ଼ ଜିଲ୍ଲା ଶାଖା ପକ୍ଷରୁ ଦାୟର ଏହି ମାମଲାର ଶୁଣାଣି କରି ବିଚାରପତି ଭି. ନରସିଂହ ରାଜ୍ୟ ମୁଖ୍ୟ ଶାସନ ସଚିବଙ୍କୁ ଏହି ନିର୍ଦ୍ଦେଶ ଦେବା ସହ ମାମଲାର ଅନ୍ତ ଘଟାଇଛନ୍ତି ।

ଭାରତୀୟ ବିକାଶ ପରିଷଦ ନୟାଗଡ଼ ଜିଲ୍ଲା ଶାଖା ପକ୍ଷରୁ ଦାୟର ମାମଲାରେ ଦର୍ଶାଯାଇଥିଲା ଯେ, ଗ୍ରୀଷ୍ମର ପ୍ରବଳ ଉତ୍ତାପରେ ଜନଜୀବନ ଅସ୍ତବ୍ୟସ୍ତ ହେଉଥିବା ବେଳେ ଅଙ୍ଗନବାଡ଼ି କେନ୍ଦ୍ରଗୁଡ଼ିକ ପୂର୍ବବତ୍ ଚାଲୁଛି । ଛୋଟ ଛୋଟ ପିଲା ଖରାରେ ଯିବାଆସିବା କରିବା ଅତ୍ୟନ୍ତ କଷ୍ଟସାଧ୍ୟ ହୋଇଥିଲା ବେଳେ ଏହାକୁ ଦୃଷ୍ଟିରେ ରଖି ରାଜ୍ୟରେ ସ୍କୁଲ ଓ କଲେଜ ଭଳି ଅଙ୍ଗନବାଡ଼ି କେନ୍ଦ୍ରଗୁଡ଼ିକୁ ଛୁଟି ଘୋଷଣା କରାଯିବା ନିମନ୍ତେ ନିର୍ଦ୍ଦେଶ ଦେବାକୁ ସଂଗଠନ ପକ୍ଷରୁ ପ୍ରଦତ୍ତ ପିଟିସନ୍‌ରେ ପ୍ରାର୍ଥନା କରାଯାଇଥିଲା ।

ଚଳିତବର୍ଷ ଏପ୍ରିଲ ୨୦ ତାରିଖରେ ମୁଖ୍ୟ ଶାସନ ସଚିବ, ରାଜ୍ୟ ମହିଳା ଓ ଶିଶୁ ବିକାଶ ବିଭାଗର ପ୍ରମୁଖ ଶାସନ ସଚିବ ଓ ନୟାଗଡ଼ ଜିଲ୍ଲାପାଳଙ୍କୁ ଅଙ୍ଗନବାଡ଼ି କେନ୍ଦ୍ର ବନ୍ଦ ନିମନ୍ତେ ଘୋଷଣା କରିବାକୁ ସଂଗଠନ ପକ୍ଷରୁ ଦାବି କରାଯାଇଥିଲା । ଦିନର ତାପମାତ୍ରା ପ୍ରାୟ ୪୦ଡିଗ୍ରୀରୁ ଊର୍ଦ୍ଧ୍ୱ ରହୁଥିବା ବେଳେ ସକାଳ ୮ଟାଠାରୁ ଘରୁ ବାହାରକୁ ବାହାରିବା କଷ୍ଟକର । ଗ୍ରୀଷ୍ମ ଲହରୀକୁ ଦେଖି ରାଜ୍ୟ ସରକାର ରାଜ୍ୟର ସମସ୍ତ ସ୍କୁଲ ଓ କଲେଜ ଛୁଟି ଘୋଷଣା କରିଛନ୍ତି ।

ସମସ୍ତ ଜିଲ୍ଲା, ବ୍ଲକ ଓ ତହସିଲ କାର୍ଯ୍ୟାଳୟରେ ସକାଳ ଅଫିସ କରିବା ପାଇଁ ନିର୍ଦ୍ଦେଶ ପ୍ରଦାନ କରିଛନ୍ତି । ସେହିପରି ସମସ୍ତ କୋର୍ଟ, କଚେରୀ ଓ ହାଇକୋର୍ଟରେ ମଧ୍ୟ ଗ୍ରୀଷ୍ମଛୁଟି ଘୋଷଣା କରି ବନ୍ଦ କରାଯାଇଛି । ହେଲେ କୋମଳମତି ଶିଶୁମାନେ ଟାଣଖରାରେ ଅଙ୍ଗନବାଡ଼ି କେନ୍ଦ୍ରକୁ ଯିବାଆସିବ ବହୁତ କଷ୍ଟସାଧ୍ୟ ହୋଇଥିବା ବେଳେ ରାଜ୍ୟ ସରକାର ଅଙ୍ଗନବାଡ଼ି କେନ୍ଦ୍ରଗୁଡ଼ିକୁ ଗ୍ରୀଷ୍ମ ଛୁଟି ଘୋଷଣା କରୁନାହାନ୍ତି ।

ଏହାଦ୍ୱାରା କିଛି ଜୀବନ ହାନୀ ଘଟିଲେ ରାଜ୍ୟ ମହିଳା ଓ ଶିଶୁ ବିକାଶ ବିଭାଗର ପ୍ରମୁଖ ଶାସନ ସଚିବ ବ୍ୟକ୍ତିଗତ ଭାବେ ଦାୟୀ ରହିବେ ବୋଲି ପରିଷଦ ପକ୍ଷରୁ ଦର୍ଶାଯାଇଥିଲା । ଏହି ମାମଲାରେ ରାଜ୍ୟ ମୁଖ୍ୟ ଶାସନ ସଚିବ, ମହିଳା ଓ ଶିଶୁ ବିକାଶ ବିଭାଗର ପ୍ରମୁଖ ଶାସନ ସଚିବ ଓ ନୟାଗଡ଼ ଜିଲ୍ଲାପାଳଙ୍କୁ ପକ୍ଷଭୁକ୍ତ କରାଯାଇଥିଲା । ସଂଗଠନର ନୟାଗଡ଼ ଜିଲ୍ଲା ସମ୍ପାଦକ ନିରଞ୍ଜନ ଦାସଙ୍କ ପକ୍ଷରୁ ଏହି ଜନସ୍ୱାର୍ଥ ମାମଲା ରୁଜୁ ହୋଇଥିଲା ବେଳେ ଆବେଦନକାରୀଙ୍କ ପକ୍ଷରୁ ଆଇନଜୀବୀ ଗୋପାଳ ପ୍ରସାଦ ଜେନା ମାମଲା ପରିଚାଳନା କରୁଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking