25.1 C
Bhubaneswar
Tuesday, November 26, 2024
Homeଖେଳଆଣ୍ଡର୍‌ସନ୍ ଓ ରବିନ୍‌ସନ୍‌ଙ୍କ ଘାତକ ବୋଲିଂ: ପ୍ରଥମ ଟେଷ୍ଟ୍‌କୁ ୭୪ ରନ୍‌ରେ ଜିତିଲା ଇଂଲଣ୍ଡ

ଆଣ୍ଡର୍‌ସନ୍ ଓ ରବିନ୍‌ସନ୍‌ଙ୍କ ଘାତକ ବୋଲିଂ: ପ୍ରଥମ ଟେଷ୍ଟ୍‌କୁ ୭୪ ରନ୍‌ରେ ଜିତିଲା ଇଂଲଣ୍ଡ

ରାୱଲପିଣ୍ଡି : ଦୀର୍ଘ ୧୭ ବର୍ଷ ପରେ ପାକିସ୍ତାନ ମାଟିରେ ଟେଷ୍ଟ୍ କ୍ରିକେଟ୍ ଖେଳିବାର ସୁଯୋଗ ପାଇଥିବା ଇଂଲଣ୍ଡ ୩ ମ୍ୟାଚ୍ ବିଶିଷ୍ଟ ସିରିଜ୍‌କୁ ବିଜୟ ସହ ଆରମ୍ଭ କରିଛି । ମ୍ୟାଚ୍‌ର ଅନ୍ତିମ ଦିନରେ ସୋମବାର ପାକିସ୍ତାନର ଦ୍ୱିତୀୟ ଇନିଂସକୁ ୨୬୮ ରନ୍‌ରେ ଶେଷ କରି ଦଳର ପେସର୍‌ମାନେ ଇଂଲଣ୍ଡକୁ ଏହି ବିଜୟ ଦେଇଛନ୍ତି । ୩୪୩ ରନ୍‌ର ବିଜୟ ଲକ୍ଷ୍ୟ ପାଇଥିôବା ପାକିସ୍ତାନ ସୋମବାରର ଖେଳ ୮୦/୨ରୁ ଆରମ୍ଭ କରିବା ପରେ ଅନ୍ତିମ ଦିନର ଶେଷ ସେସନ୍‌ରେ ଅଲ୍‌ଆଉଟ୍ ହୋଇଯାଇଥିଲା । ଇଂଲଣ୍ଡର ତାରକା ପେସର୍ ଜେମ୍ସ ଆଣ୍ଡର୍‌ସନ୍ ଓ ଓଲି ରବିନ୍‌ସନ୍ ୪ଟି ଲେଖାଏଁ ୱିକେଟ୍ ନେଇ ପାକି୍‌ସ୍ତାନ ବ୍ୟାଟିଂ ଲାଇନ୍‌କୁ ଧ୍ୱସ୍ତବିଧ୍ୱସ୍ତ କରିପକାଇଥିଲେ । ଶେଷରେ ନସୀମ୍ ଶାହଙ୍କୁ ଏଲ୍‌ବିଡବ୍‌ଲ୍ୟୁ ଆଉଟ୍ କରି ଜ୍ୟାକ୍ ଲିଚ୍ ପାକିସ୍ତାନ ଦ୍ୱିତୀୟ ଇନିଂସର ମୁଣ୍ଡି ମାରିଥିଲେ । ଇଂଲିଶ୍ ବୋଲରଙ୍କ ମୁକାବିଲା କରିନପାରିବାରୁ ପାକିସ୍ତାନ ତା’ର ଅନ୍ତିମ ୫ଟି ୱିକେଟ୍ ମାତ୍ର ୯ ରନ୍ ମଧ୍ୟରେ ହରାଇଥିଲା । ଏକଦା ଦଳ ୫ ୱିକେଟ୍ ବିନିମୟରେ ୨୫୯ ରନ୍ କରି ମ୍ୟାଚ୍‌କୁ ଡ୍ର’ ଆଡ଼କୁ ନେଇଯାଉଥିଲେ ହେଁ ଅନ୍ତିମ ଭାଗର ବ୍ୟାଟ୍ସମ୍ୟାନ୍‌ମାନେ ନିରାଶ କରିଥିଲେ । ମ୍ୟାଚ୍‌ରେ ୫ ୱିକେଟ୍ ନେଇଥିବା ରବିନ୍‌ସନ୍‌ଙ୍କୁ ପ୍ଲେୟର୍ ଅଫ୍ ଦି ମ୍ୟାଚ୍ ବିବେଚିତ କରାଯାଇଥିଲା ।

ରବିବାର ଖେଳ ଶେଷ ବେଳକୁ ପାକିସ୍ତାନୀ ଓପନର ଇମାମ୍‌-ଉଲ୍‌-ହକ୍ ୪୩ ଓ ଅନ୍ୟତମ ଡେବ୍ୟୁଟାଣ୍ଟ୍ ସାଉଦ୍ ଶକିଲ୍ ୨୪ ରନ୍ କରି ଅପରାଜିତ ଥିଲେ । ଉଭୟ ସୋମବାର ଦିନର ଖେଳ ଆରମ୍ଭ କରିବା ପରେ ଇମାମ୍ ୭୭ ବଲ୍ ଖେଳି ୮ଟି ଚୌକା ମାଧ୍ୟମରେ ୪୮ ରନ୍ କରିଥିବା ସମୟରେ ବିଦାୟ ନେଇଥିଲେ । ଏହାପରେ ଶକିଲ୍ ଓ ମହମ୍ମଦ ରିଜୱାନ୍‌ଙ୍କ ମଧ୍ୟରେ ଇନିଂସର ସର୍ବାଧିକ ୮୭ ରନ୍‌ର ଭାଗୀଦାରୀ ହୋଇଥିଲା । ରିଜୱାନ୍ ୯୨ ବଲ୍ ଖେଳି ୬ଟି ଚୌକା ଓ ୨ଟି ଛକା ସହାୟତାରେ ୪୬ ରନ୍ କରି ଆଉଟ୍ ହେବା ଫଳରେ ଏହି ଭାଗୀଦାରୀରେ ବ୍ରେକ୍ ଲାଗିଥିଲା । ସେହିପରି ଶକିଲ୍ ତାଙ୍କ ଅର୍ଦ୍ଧଶତକ ପୂରଣ କରିବା ପରେ ବ୍ୟକ୍ତିଗତ ଭାବେ ୭୬ ରନ୍ କରି ବିଦାୟ ନେଇଥିଲେ । ତାଙ୍କର ଏହି ଇନିଂସରେ ୧୨ଟି ଚୌକା ସାମିଲ୍ ଥିଲା । ରବିବାର କୌଣସି ରନ୍ କରିବା ପୂର୍ବରୁ ରିଟାୟର୍ଡ ହର୍ଟ ହୋଇଥିବା ଆଝାର୍ ଅଲୀ ପଡ଼ିଆକୁ ବ୍ୟାଟିଂ ପାଇଁ ଓହ୍ଲାଇବା ସହ ଆଗା ସଲମାନ୍‌ଙ୍କ ସହ ଷଷ୍ଠ ୱିକେଟ୍‌ରେ ୨୫୯ ରନ୍ ଯୋଡ଼ିଥିଲେ । ଦଳୀୟ ସ୍କୋର୍ ୨୫୯ ଥିବା ସମୟରେ ସଲମାନ୍ ୪ଟି ଚୌକା ସହ ୩୦ ରନ୍ କରି ଆଉଟ୍ ହେବା ପରେ ପରେ ଆଝାର୍ ୪ଟି ଚୌକା ସହ ୪୦ ରନ୍‌ରେ ବିଦାୟ ନେଇଥିଲେ ।

ଏହାପରେ ଇଂଲିଶ୍ ବୋଲରମାନେ କେବଳ ଔପଚାରିକତା ପୂରଣ କରିଥିଲେ । ପାକିସ୍ତାନର ଅନ୍ୟ କୌଣସି ବ୍ୟାଟ୍ସମ୍ୟାନ୍ ବେଶୀ ସମୟ ପଡ଼ିଆରେ ତିଷ୍ଠି ନ ପାରିବା ଫଳରେ ୯୬.୩ ଓଭର୍‌ରେ ଦ୍ୱିତୀୟ ଇନିଂସର ଯବନିକା ପଡ଼ିଥିଲା । ରବିନ୍‌ସନ୍ ଓ ଆଣ୍ଡର୍‌ସନ୍‌ଙ୍କ ବ୍ୟତୀତ ଅଧିନାୟକ ବେନ୍ ଷ୍ଟୋକ୍ସ ଓ ଜ୍ୟାକ୍ ଲିଚ୍ ଗୋଟିଏ ଲେଖାଏଁ ୱିକେଟ୍ ନେଇଥିଲେ । ଏଥିସହ ଏହି ମ୍ୟାଚ୍ ରେକର୍ଡ ବୁକ୍‌ରେ ସାମିଲ୍ ହୋଇଛି । ମ୍ୟାଚ୍‌ରେ ୫ ଦିନରେ ମୋଟ ୧୭୬୮ ରନ୍ ହୋଇଥିବା ସତ୍ତ୍ୱେ ମ୍ୟାଚ୍‌ର ଫଳାଫଳ ବାହାରିପାରିଛି । ଟେଷ୍ଟ୍ କ୍ରିକେଟ୍ ଇତିହାସରେ ୧୯୩୯ରେ ଇଂଲଣ୍ଡ ଓ ସାଉଥ୍ ଆଫ୍ରିକା ମଧ୍ୟରେ ଖେଳାଯାଇଥିବା ଟେଷ୍ଟ୍‌ରେ ସର୍ବାଧିକ ୧୯୮୧ ରନ୍ ହୋଇଥିଲା, ଯାହାକି ବିନା ଫଳାଫଳରେ ଶେଷ ହୋଇଥିଲା । ସେହିପରି ୧୯୩୦ରେ ୱେଷ୍ଟ୍‌ଇଣ୍ଡିଜ୍‌-ଇଂଲଣ୍ଡ ଟେଷ୍ଟ୍‌ରେ ଦ୍ୱିତୀୟ ସର୍ବାଧିକ ୧୮୧୫ ରନ୍ ହୋଇଥିଲା । ସିରିଜ୍‌ରେ ଭ୍ରମଣକାରୀ ଇଂଲଣ୍ଡ ୧-୦ରେ ଆଗୁଆ ରହିଥିବା ବେଳେ ଦ୍ୱିତୀୟ ଟେଷ୍ଟ୍‌ଟି ଆସନ୍ତା ଶୁକ୍ରବାରଠାରୁ ମୁଲତାନ୍‌ଠାରେ ଆରମ୍ଭ ହେବ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking