ଇମ୍ଫାଲ: କିଛି ଦିନର ବ୍ୟବଧାନ ପରେ ପୁଣି ମଣିପୁରରେ ହିଂସାକାଣ୍ଡ ଘଟିଛି । ଗୁରୁବାର ରାତିରେ ରାଜ୍ୟର ଚୁରାଚାନ୍ଦପୁର ଜିଲ୍ଲାରେ ଥିବା ପୋଲିସ ଅଧୀକ୍ଷକଙ୍କ (ଏସପି) କାର୍ଯ୍ୟାଳୟ ଉପରେ ଶତାଧିକ ଲୋକେ ଆକ୍ରମଣ କରିବାକୁ ଉଦ୍ୟମ କରିଥିଲେ । ସ୍ଥିତିକୁ ଆୟତ୍ତ କରିବା ପାଇଁ ପୋଲିସ ପକ୍ଷରୁ ଆରଏଏଫ ଯବାନ ମୁତୟନ କରାଯିବା ସହ ଲୁହବୁହା ଗ୍ୟାସ ପ୍ରୟୋଗ କରାଯାଇଥିଲା । ଏହାପରେ ଜିଲ୍ଲାରେ ୧୪୪ ଧାରା ଜାରି କରାଯାଇଛି ଏବଂ ୫ ଦିନ ପାଇଁ ଇଣ୍ଟରନେଟ୍ ସେବା ବନ୍ଦ ରହିଛି । ସୋସିଆଲ ମିଡିଆ ଏକ୍ସରେ ଏନେଇ ମଣିପୁର ପୋଲିସ ସୂଚନା ଦେଇଛି ।
“ଗୁରୁବାର ଦିନ ପାଖାପାଖି ୩୦୦ରୁ ୪୦୦ ଲୋକେ ଚୁରାଚାନ୍ଦପୁର ଜିଲ୍ଲା ଏସପି କାର୍ଯ୍ୟାଳୟରେ ପଥର ମାଡ କରିବା ସହ ବ୍ୟାପକ ହିଂସାକାଣ୍ଡ ଘଟାଇଥିଲେ । ଏହାକୁ ଅଟକାଇବାକୁ ଯାଇ ଘଟଣାସ୍ଥଳରେ ରାପିଡ ଆକ୍ସନ ଫୋର୍ସ (ଆରଏଏଫ) ମୁତୟନ କରାଯାଇଥିଲା । ସ୍ଥିତିକୁ ଆୟତ୍ତ କରିବାକୁ ପୋଲିସ ପକ୍ଷରୁ ଲୁହାବୁହା ଗ୍ୟାସ୍ ପ୍ରୟୋଗ କରାଯାଇଥିଲା । ତେବେ ଘଟଣା ଉପରେ ନଜର ରଖାଯାଇଛି ଓ ତଦନ୍ତ ଜାରି ରହିଛି ଅନ୍ୟପଟେ ଉତ୍ତେଜନାକୁ ନଜରରେ ରଖି ମଣିପୁର ସରକାର ଚୁରାଚନ୍ଦପୁର ଜିଲ୍ଲାରେ ୧୪୪ ଧାରା ଜାରି କରିଛନ୍ତି ।
ଗୁରୁବାର ବିଳମ୍ବିତ ରାତି ୧ଟା ୪୦ରୁ ୫ ଦିନ ପାଇଁ ଇଣ୍ଟରନେଟ ସେବା ବନ୍ଦ କରାଯାଇଛି । ସରକାରଙ୍କ ନିର୍ଦ୍ଦେଶ ଅନୁଯାୟୀ, ହିଂସାକୁ ଉସକାଇବା ପାଇଁ କିଛି ଅସାମାଜିକ ବ୍ୟକ୍ତି ସୋସିଆଲ ମିଡିଆରେ କିଛି ଫଟୋ, ପୋଷ୍ଟ କିମ୍ବା ଭିଡିଓ ବାର୍ତ୍ତା ପ୍ରସାରଣ କରିବାର ଆଶଙ୍କା ରହିଛି । ଯାହା ରାଜ୍ୟର ଆଇନ ଶୃଙ୍ଖଳା ପରିସ୍ଥିତି ଉପରେ ଗୁରୁତର ପ୍ରଭାବ ପକାଇପାରେ । ଜୀବନ ଯିବା ଏବଂ କିମ୍ବା ସାର୍ବଜନୀନ ତଥା ବେସରକାରୀ ସମ୍ପତ୍ତି ନଷ୍ଟ ହେବାର ମଧ୍ୟ ବିପଦ ରହିଛି । ସାଧାରଣ ଲୋକଙ୍କ ଶାନ୍ତିପୂର୍ଣ୍ଣ ଜୀବନଯାପନ ତଥା ସାମ୍ପ୍ରଦାୟିକ ସଦଭାବରେ ମଧ୍ୟ ବ୍ୟାଘାତ ଘଟିପାରେ । ଏହି ମିଥ୍ୟା ଅପପ୍ରଚାର ତଥା ଗୁଜବକୁ ସୋସିଆଲ ମିଡିଆରେ ପ୍ରସାରଣକୁ ରୋକିବା ପାଇଁ ମୋବାଇଲ ସେବା, ମେସେଜ ସେବା, ଡଙ୍ଗଲ ସେବା ବନ୍ଦ କରାଯାଉଛି ବୋଲି ସରକାରୀ ନିର୍ଦ୍ଦେଶନାମାରେ କୁହାଯାଇଛି ।