ନୂଆଦିଲ୍ଲୀ : ବରିଷ୍ଠ ଆଇନଜୀବୀ ମୁକୁଲ ରୋହତଗୀ ପୁଣିଥରେ ଆଟର୍ଣ୍ଣି ଜେନେରାଲ ଦାୟିତ୍ୱ ସମ୍ଭାଳିବେ ବୋଲି ନିର୍ଭରଯୋଗ୍ୟ ସୂତ୍ରରୁ ଜଣାପଡିଛି । ୬୭ ବର୍ଷୀୟ ରୋହତଗୀ ୨୦୧୭ ଜୁନ୍ରେ ଏହି ଦାୟିତ୍ୱରୁ ଅବ୍ୟାହତି ନେବାପରେ କେ.କେ.ବେଣୁଗୋପାଳଙ୍କୁ ଆଟର୍ଣ୍ଣି ଜେନେରାଲ ନିଯୁକ୍ତ କରାଯାଇଥିଲା । ଆସନ୍ତା ୩୦ ସୁଦ୍ଧା ବେଣୁଗୋପାଳଙ୍କ କାର୍ଯ୍ୟକାଳ ଶେଷ ହେଉଛି । ଏହି ପଦରେ ୫ ବର୍ଷ କାର୍ଯ୍ୟ କରିସାରିଥିବାରୁ କାର୍ଯ୍ୟକାଳ ଆଉ ବୃଦ୍ଧି ନକରିବାକୁ ୯୧ ବର୍ଷୀୟ ବେଣୁଗୋପାଳ ଇତିମଧ୍ୟରେ କେନ୍ଦ୍ର ସରକାରଙ୍କୁ ଅନୁରୋଧ କରିସାରିଛନ୍ତି ।
ଫଳରେ ଅକ୍ଟୋବର ୧ରୁ ରୋହତଗୀ ପୁଣିଥରେ ଆଟର୍ଣ୍ଣି ଜେନେରାଲ ପଦରୁ ଫେରିବା ନିଶ୍ଚିତ ହୋଇପଡିଛି । ରୋହତଗୀ ପୂର୍ବରୁ ଅତିରିକ୍ତ ସଲିସିିଟର ଜେନେରାଲ ଭାବେ ମଧ୍ୟ କାର୍ଯ୍ୟ କରିସାରିଛନ୍ତି । ୨୦୧୭ରେ ଆଟର୍ଣ୍ଣି ଜେନେରାଲ ପଦରୁ ଅବ୍ୟାହତି ନେବାପରେ ମଧ୍ୟ ସରକାର କେତେକ ଗୁରୁତ୍ୱପୂର୍ଣ୍ଣ ମାମଲାରେ ତାଙ୍କର ପରାମର୍ଶ ଲୋଡୁଥିଲେ । ଏଗୁଡିକ ମଧ୍ୟରେ ଜମ୍ମୁ-କଶ୍ମୀରରୁ ଧାରା ୩୭୦ ପ୍ରତ୍ୟାହାର ଅନ୍ୟତମ । ସରକାରୀ ଓକିଲଭାବେ ରୋହତଗୀ ୨୦୦୨ ଗୁଜରାଟ ଦଙ୍ଗା ଭଳି ସମ୍ବେଦନଶୀଳ ମାମଲା ପରିଚାଳନା କରି ପ୍ରଶଂସିତ ହୋଇଥିଲେ ।