କିଏଭ୍: ରୁଷ୍ ଆକ୍ରମଣର ମୁକାବିଲା କରିବାକୁ ୟୁକ୍ରେନ୍ ସରକାର ଦେଶର ସବୁ ପ୍ରାପ୍ତ ବୟସ୍କ ପୁରୁଷଙ୍କୁ ବାଧ୍ୟତାମୂଳକଭାବେ ସେନାରେ ଭର୍ତ୍ତି କରିଥିବାବେଳେ କେତେକ ମହିଳା ଓ ଯୁବତୀମାନେ ମଧ୍ୟ ସ୍ୱେଚ୍ଛାକୃତଭାବେ ଦେଶ ପାଇଁ ଅସ୍ତ୍ରଶସ୍ତ୍ର ଧରିଥିବା ଲକ୍ଷ୍ୟ କରାଯାଇଛି । ତେବେ ୟୁକ୍ରେନ୍ର ଜଣେ ୯୮ ବର୍ଷୀୟା ମହିଳା ରୁଷ୍ ବିରୋଧରେ ଲଢିବାକୁ ଆଗ୍ରହ ପ୍ରକାଶ କରିଥିବା ପ୍ରସଙ୍ଗ ବର୍ତ୍ତମାନ ଗଣମାଧ୍ୟମରେ ଚର୍ଚ୍ଚାର ବିଷୟ ପାଲଟିଛି । ଓଲ୍ହା ଭେର୍ଦୋଖ୍ଲିବୋଭା ନାମ୍ନୀ ଏହି ମହିଳା ଦ୍ୱିତୀୟ ବିଶ୍ୱଯୁଦ୍ଧରେ ରୁଷ୍ ପକ୍ଷରୁ ଅଂଶଗ୍ରହଣ କରିଥିଲେ । ବର୍ତ୍ତମାନ ବାର୍ଦ୍ଧକ୍ୟରେ ଉପନୀତ ହୋଇସାରିଥିଲେ ସୁଦ୍ଧା ମାତୃଭୂମିକୁ ଶତ୍ରୁ କବଳରୁ ରକ୍ଷା କରିବାର ଦେଶପ୍ରେମ ତାଙ୍କ ମନରୁ ଉଣା ହୋଇନାହିଁ । ତେଣୁ ଯୁଦ୍ଧରେ ଭାଗନେବାକୁ ସେ ୟୁକ୍ରେନ୍ ସରକାରଙ୍କୁ ଆବେଦନ କରିଥିଲେ । ତେବେ ତାଙ୍କର ବୟସ ଓ ସ୍ୱାସ୍ଥ୍ୟାବସ୍ଥାକୁ ନେଇ ସରକାର ଏହି ଅନୁରୋଧକୁ ପ୍ରତ୍ୟାଖ୍ୟାନ କରିଦେଇଛନ୍ତି।
ଏପର୍ଯ୍ୟନ୍ତ ମଲେଣି ୧୦୨ ୟୁକ୍ରେନ୍ ଶିଶୁ
କିଏଭ୍: ଫେବୃଆରୀ ୨୪ରୁ ୟୁକ୍ରେନ୍ ବିରୋଧରେ ରୁଷ୍ ଯୁଦ୍ଧ ଆରମ୍ଭ କରିଛି । ଇତିମଧ୍ୟରେ ଏହି ଯୁଦ୍ଧ ଚତୁର୍ଥ ସପ୍ତାହରେ ଉପନୀତ ହୋଇଛି । ଏହି ଯୁଦ୍ଧରେ ଅନେକ ୟୁକ୍ରେନ୍ ନାଗରିକ ମୃତାହତ ହୋଇଥିବା ବେଳେ ଏଯାବତ୍ ୧୦୨ ଜଣ ଶିଶୁ ଯୁଦ୍ଧରେ ଜୀବନ ହାରିଛନ୍ତି ବୋଲି ଆନ୍ତର୍ଜାତୀୟ ମାନବାଧିକାର କମିଶନ୍ ସୂଚନା ଦେଇଛି ।