ନୂଆଦିଲ୍ଲୀ: ଚଳିତ ବର୍ଷ କର୍ଣ୍ଣାଟକରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି । ନିର୍ବାଚନ ବର୍ଷରେ ନେତାଙ୍କ ମଧ୍ୟରେ ଶୀତଳ ଯୁଦ୍ଧ ତୀବ୍ର ହେବାରେ ଲାଗିଛି । ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା କଂଗ୍ରେସର ବରିଷ୍ଠ ନେତା ସିଦ୍ଧରମୈୟା ପୁଣି ଥରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଉପରେ ବିବାଦୀୟ ବୟାନ ଦେଇଛନ୍ତି । ସିଦ୍ଧରମୈୟା ପିଏମ ମୋଦୀଙ୍କୁ ହିଟଲରଙ୍କ ସହ ତୁଳନା କରିଛନ୍ତି । ତାଙ୍କ ବୟାନରେ ବିଜେପି ଅସନ୍ତୋଷ ପ୍ରକାଶ କରିଛି ।
ବର୍ତ୍ତମାନ ସିଦ୍ଧରମୈୟାଙ୍କ ବିବାଦୀୟ ବୟାନ ଉପରେ ନିଜର ଆଭିମୁଖ୍ୟ ସ୍ପଷ୍ଟ କରିବାକୁ ବିଜେପି କଂଗ୍ରେସ ଦଳକୁ କହିଛି । ବିଜେପି ନେତା ତଥା କେନ୍ଦ୍ର ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ କହିଛନ୍ତି, “ସିଦ୍ଧରମୈୟା ଖଡଗେଙ୍କୁ ଦଳର ସଭାପତି ଭାବରେ ଗ୍ରହଣ କରିବାକୁ ମଧ୍ୟ ପ୍ରସ୍ତୁତ ନୁହଁନ୍ତି । ତାଙ୍କର ଏହି ବୟାନରେ କଂଗ୍ରେସକୁ ନିଜର ଆଭିମୁଖ୍ୟ ସ୍ପଷ୍ଟ କରିବା ଉଚିତ ।’
କଂଗ୍ରେସ ଅଧ୍ୟକ୍ଷଙ୍କ ଉପରେ ବିଜେପିର ଆକ୍ରମଣ:- କଂଗ୍ରେସ ଅଧ୍ୟକ୍ଷଙ୍କୁ ଆକ୍ରମଣ କରି କେନ୍ଦ୍ର ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ କହିଛନ୍ତି, “ଆଜି ମଧ୍ୟ ସିଦ୍ଧରମୈୟା ମଲ୍ଲିକାର୍ଜୁନ ଖଡଗେଙ୍କୁ ଦଳର ସଭାପତି ଭାବରେ ଗ୍ରହଣ କରିବାକୁ ପ୍ରସ୍ତୁତ ନୁହଁନ୍ତି । ତାଙ୍କ କହିବା ମୁତାବକ, କେବଳ ରାହୁଲ ଗାନ୍ଧୀଙ୍କ ଆଦର୍ଶକୁ ସମର୍ଥନ କରାଯିବ । ମୁଁ ପଚାରିବାକୁ ଚାହୁଁଛି ତାଙ୍କ ଦଳର ସ୍ଥିତି କ’ଣ?’ କେନ୍ଦ୍ର ମନ୍ତ୍ରୀ କହିଛନ୍ତି, “ଖଡଗେ କେବଳ ନାମକୁ ଦଳର ମୁଖ୍ୟ । କିନ୍ତୁ ମୋଦୀ ଜଣେ ନିର୍ବାଚିତ ନେତା ହୋଇଥିବାବେଳେ ସେ କୌଣସି ଗାନ୍ଧୀ ପରିବାରର ନୁହଁନ୍ତି ।’
ଉଡୁପିରେ ସିଦ୍ଧରମୈୟା ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ହିଟଲରଙ୍କ ସହ ତୁଳନା କରି କହିଥିଲେ ଯେ, ଲୋକମାନେ ତାଙ୍କୁ ଭବିଷ୍ୟତରେ ବିଶ୍ୱାସ କରିବେ ନାହିଁ । କଂଗ୍ରେସ ନେତା କହିଥିଲେ, “ତାଙ୍କର ସମୟ ଆଉ କିଛି ଦିନ ରହିବ । ସେ ଏହାକୁ ୧୦୦ ଥର କହିଲେ ବି ବିଜେପି କ୍ଷମତାକୁ ଆସିବ ନାହିଁ । ଲୋକମାନେ ବିଶ୍ୱାସ କରିବେ ନାହିଁ । ହିଟଲରଙ୍କ ସହିତ କ’ଣ ହେଲା? କିଛି ଦିନ ଧରି ସେ ଧୁମଧାମରେ ବୁଲାବୁଲି କରିଥିଲେ । ମୁସୋଲିନି ଏବଂ ଫ୍ରାଙ୍କୋଙ୍କ ସହିତ କ’ଣ ହେଲା? ସେ ମଧ୍ୟ କିଛି ଦିନ ଏହିପରି ଘୁରି ବୁଲିବେ ।’