ଶ୍ରୀନଗ: ଜୁଲାଇ ୧ ତାରିଖରୁ ଆରମ୍ଭ ହୋଇଥିବା ଅମରନାଥ ଯାତ୍ରାର ଶ୍ରଦ୍ଧାଳୁଙ୍କ ସହିତ ଫ୍ରଡ୍ କରିଥିବା ଅଭିଯୋଗରେ ପୁଲିସ ୩ ଜଣଙ୍କୁ ଗିରଫ କରିଛି । ଏହି ତିନିଜଣ ଜମ୍ମୁ-କଶ୍ମୀରରେ ଯାତ୍ରାର ନକଲି ରେଜିଷ୍ଟ୍ରେସନ୍ ସ୍ଲିପ୍ ପ୍ରସ୍ତୁତ କରି ବିକିବା କାମ କରୁଥିଲେ ବୋଲି ପୁଲିସ କହିଛି । ଏହା ମଧ୍ୟରୁ ମୁଖ୍ୟ ଅଭିଯୁକ୍ତ ଦିଲ୍ଲୀ ନିବାସୀ ହୋଇଥିବା ବେଳେ ସେ ଜାଲ୍ ପରମିଟ୍ ପ୍ରସ୍ତୁତ କରୁଥିଲା । ଅନ୍ୟ ଦୁଇ ସହଯୋଗୀ ବସ୍ସେବାର ବ୍ୟବସ୍ଥା ସହିତ ଶ୍ରଦ୍ଧାଳୁଙ୍କ ପାଇଁ ମେଡିକାଲ୍ ସାର୍ଟିଫିକେଟ୍ ପ୍ରସ୍ତୁତ କାମ କରୁଥିଲେ ।
ଏହି ଅଭିଯୁକ୍ତମାନେ ବହୁ ସଂଖ୍ୟା ଅମରନାଥ ଯାତ୍ରୀଙ୍କ ସହିତ ଫ୍ରଡ୍ କରିଛନ୍ତି । ଏହା ପୂର୍ବରୁ ଶୁକ୍ରବାର ପୁଲିସ ଜମ୍ମୁ, ସାମ୍ବା ଏବଂ କଠୁଆ ଜିଲ୍ଲାର ଯାତ୍ରୀଙ୍କ ନିକଟରୁ ୪୦୦ରୁ ଊର୍ଦ୍ଧ୍ୱ ନକଲି ରେଜିଷ୍ଟ୍ରେସନ୍ ପରମିଟ୍ ଜବତ କରିଥିଲା । ଏହାପରେ ପୁଲିସ ଅଜ୍ଞାତ ବ୍ୟକ୍ତିଙ୍କ ବିରୋଧରେ ମାମଲା ରୁଜୁକରି ତଦନ୍ତ ଚଳାଇଥିଲା । ଏହି ଅବସରରେ ଜମ୍ମୁ-କଶ୍ମୀର ପୁଲିସର ଏକ ଟିମ୍ ଦିଲ୍ଲୀରେ ଚଢ଼ଉ କରି ଶହାଦରା ୱେଷ୍ଟ ରୋହତାସ ନଗରର ହରେନ୍ଦ୍ର ବର୍ମା ନାମକ ଅଭିଯୁକ୍ତକୁ ଗିରଫ କରିଥିଲା । ପରେ ତା’ର ଦୁଇ ସହଯୋଗୀ ଦଲୀପ୍ ପ୍ରଜାପତି ଓ ବିନୋଦ କୁମାରଙ୍କୁ ମଧ୍ୟ ଗିରଫ କରିଥିଲା ।