ବ୍ରହ୍ମପୁର: ଜଣେ ନିରାଶ୍ରୟ ମହିଳାଙ୍କୁ ଆଶ୍ରୟ ଦେଇ ତାଙ୍କ ସହ ଜୋରଜବରଦସ୍ତି ବାରମ୍ବାର ଦୁଷ୍କର୍ମ ହୋଇଥିବା ମହିଳା ଜଣଙ୍କ ଥାନାରେ ଅଭିଯୋଗ କରିଛନ୍ତି । ବଡ଼ ବଜାର ପୁଲିସ ଅଭିଯୁକ୍ତକୁ ଗିରଫ କରିଛି । ଅଭିଯୁକ୍ତ ଜଣଙ୍କ ହେଲେ ବୁଗୁଡ଼ା ଥାନା ଅନ୍ତର୍ଗତ ରାମଚନ୍ଦ୍ରପୁରର ଅଭି ପ୍ରଧାନ(୪୭) ବୋଲି ପୁଲିସ କହିଛି । ଉଭୟଙ୍କୁ ପୁଲିସ ଆଜି ଡାକ୍ତର ମାଇନା କରୁଥିବା ସୂଚନା ମିଳିଛି । ଅନ୍ୟପକ୍ଷରେ ଅଭିଯୁକ୍ତ ଅଭିଙ୍କୁ ପୁଲିସ ଆଜି ଦୁଷ୍କର୍ମ ମାମଲାରେ କୋର୍ଟ ଚାଲାଣ କରାଯାଇଥିବା ଥାନା ଅଧିକାରୀ ପ୍ରଶାନ୍ତ ଭୂପତି ସୂଚନା ଦେଇଛନ୍ତି । ସୂଚନାଯୋଗ୍ୟ ଯେ ୩୦ ବର୍ଷିୟ ମହିଳା ଜଣଙ୍କ ଛୋଟ ବେଳୁ ତାଙ୍କ ଏକ ସମ୍ପର୍କୀୟଙ୍କ ଘରେ ଆଶ୍ରୟ ନେଉଥିଲେ ।
ଛୋଟ ବେଳୁ ବାପା ଓ ମା’ଙ୍କ ମୃତ୍ୟୁ ହୋଇଯାଇଥିବା ବେଳେ ମହିଳା ଜଣଙ୍କ ବିଭିନ୍ନ ବ୍ୟାଣ୍ଡ ପାର୍ଟିରେ ଗୀତ ଗାଉଥିଲେ । କିନ୍ତୁ କିଛି ବର୍ଷ ରଖିବା ପରେ ଖଲ୍ଲିକୋଟର ସେହି ସମ୍ପର୍କୀୟ ଜଣଙ୍କ ୫ ହଜାର ଟଙ୍କାରେ ମହିଳାଙ୍କୁ ପୁରୁଷୋତ୍ତମପୁରର ଜଣେ ଯୁବକଙ୍କୁ ବିକ୍ରି କରିଦେଇଥିଲେ । ପରବର୍ତ୍ତୀ ସମୟରେ ଉକ୍ତ ମହିଳା ସେହି ଯୁବକଙ୍କ ସହ ୨୦୧୦ ମସିହାରେ ମନ୍ଦିରରେ ବିବାହ ହୋଇଥିଲେ । ବିବାହର ୩ ବର୍ଷ ପରେ ମହିଳା ଜଣଙ୍କ ଏକ ପୁତ୍ର ସନ୍ତାନ ଜନ୍ମ କରିଥିଲେ । କିଛି ବର୍ଷ ପରେ ସ୍ୱାମୀ ତାଙ୍କୁ ମଦ୍ୟପାନ କରି ଗାଳିଗୁଲଜ ସହ ମାଡ଼ ମାରୁଥିଲେ । ଯାହାଫଳରେ ମହିଳା ଜଣକ ତାଙ୍କ ଠାରୁ ଅଲଗା ରହି ବିଭିନ୍ନ ସ୍ଥାନରେ ଗୀତ ଗାଇ ନିଜର ପରିବାର ଚଳାଉଥିଲେ । ଏଥି ମଧ୍ୟରେ କରୋନା ନିମନ୍ତେ ୨୦୨୦ ମସିହାରେ ରାଜ୍ୟରେ ଲକ୍ଡାଉନ୍ ଘୋଷଣା ହୋଇଥିଲା ।
ଯାହାଫଳରେ ମହିଳା ଜଣଙ୍କର କୌଣସି ରୋଜଗାର ନଥିବାରୁ ତାଙ୍କୁ ଘର ଚଳାଇବା କଷ୍ଟକର ହୋଇପଡ଼ିଥିଲା । ଇତି ମଧ୍ୟରେ ତାଙ୍କର ଜଣେ ସଂପର୍କିତ ମହିଳା ଅଭିଯୁକ୍ତ ଅଭିଙ୍କ ସହ ସାକ୍ଷାତ କରାଇଥିଲେ । ଏଥିପାଇଁ ମହିଳା ଜଣକ ତାଙ୍କ ଠାରୁ କିଛି ଟଙ୍କା ନେଇଥିବା ପୀଡିତା ଜଣଙ୍କ ଅଭିଯୋଗ କରିଛନ୍ତି । ଅନ୍ୟପକ୍ଷରେ ଅଭି ମହିଳାଙ୍କୁ କାମ ଦେବି କହି ବଡ଼ବଜାର ଥାନା ଅନ୍ତର୍ଗତ ଫାଷ୍ଟଗେଟ୍ ଅଞ୍ଚଳର ରଘୁପତି ନଗର ୩ୟ ଗଳିରେ ଏକ ଭଡ଼ାଘରେ ରଖିଥିଲେ । ଅଭି ପ୍ରଧାନଙ୍କ ଘର ବୁଗୁଡ଼ା ଥାନା ଅନ୍ତର୍ଗତ ରାମଚନ୍ଦ୍ର ପୁର ହୋଇଥିବା ବେବେ ସେ ବ୍ରହ୍ମପୁର ଫାଷ୍ଟ ଗେଟ୍ ଅଞ୍ଚଳରେ କାଠ ବ୍ୟବସାୟୀ କରୁଛନ୍ତି । କିନ୍ତୁ ପୀଡିତା ମହିଳାଙ୍କୁ ଅଭି କୌଣସି କାମ ନଯୋଗାଇ ତାଙ୍କୁ ବିଭିନ୍ନ ପ୍ରକାର ଧମକ ଦେଇ ଦୁଷ୍କର୍ମ କରିଥିଲେ । ଏଥି ମଧ୍ୟରେ ଅଭି ମହିଳାଙ୍କ ଠାରୁ ତାଙ୍କ ପୁଅର ଜନ୍ମ ପ୍ରମାଣ ପତ୍ର ସହ ସମସ୍ତ କାଗଚପତ୍ର ନେଇ ଯାଇଥିଲେ । ଏହା ସହ ୧୭ ହଜାର ୫୦୦ ଟଙ୍କା ନେଇଯାଇଥିଲେ ।
ଉକ୍ତ ଟଙ୍କାକୁ କେନ୍ଦ୍ରକରି ଉଭୟଙ୍କ ମଧ୍ୟରେ ପାଟିତୁଣ୍ଡ ହେଉଥିବା ପୀଡିତା ମହିଳା ଜଣଙ୍କ ଅଭିଯୋଗ କରିଛନ୍ତି । ଏହା ସହ ଶାରୀରିକ ସମ୍ପର୍କ ରଖିବାକୁ ରାଜି ନହେଲେ ଅଭିଯୁକ୍ତ ଅଭି ପ୍ରଧାନ ପୀଡିତା ମହିଳାଙ୍କ ୯ ବର୍ଷର ପୁଅଙ୍କୁ ହତ୍ୟା କରିବାକୁ ଧମକ ଦେଇଥିଲେ । ଏଥିରେ ଭୟଭୀତ ହୋଇ ସେ ଅଭିଯୁକ୍ତଙ୍କ ସହ ଇଚ୍ଛା ନଥିଲେ ମଧ୍ୟ ଶାରୀରିକ ସମ୍ପର୍କ ରଖିବା ପାଇଁ ବାଧ୍ୟ ହୋଉଥିବା ପୀଡ଼ିତା ଅଭିଯୋଗ କରିଛନ୍ତି । ଗତକାଲି ଉଭୟଙ୍କ ମଧ୍ୟରେ ବାକି ଟଙ୍କାକୁ ନେଇ ପାଟିତୁଣ୍ଡ ହୋଇଥିବା ବେଳେ ଅଭିଯୁକ୍ତ ତାଙ୍କୁ ବିଭିନ୍ନ ଧମକ ଦେଇଥିଲେ । ଶେଷରେ ମହିଳା ଜଣକ ବଡ଼ ବଜାର ଥାନାର ଦ୍ୱାରସ୍ଥ ହୋଇଥିଲେ । ଏହି ଘଟଣାକୁ ନେଇ ବଡ଼ ବଜାର ଥାନା ପୁଲିସ ଏକ ଦୁଷ୍କର୍ମ ମାମଲା ରୁଜୁ କରି ଅଭିଯୁକ୍ତକୁ ଗିରଫ କରିଛି । ଅନ୍ୟପକ୍ଷରେ ଅଭିଯୁକ୍ତଙ୍କ ଦୁଇଟି ଝିଅ ମଧ୍ୟରୁ ପ୍ରଥମଟିର ବାହାଘର ହୋଇଯାଇଥିବା ବେଳେ ଦ୍ୱିତୀୟ ଝିଅର ଆସନ୍ତା ୨୩ ତାରିଖରେ ବହାଘ ନିମନ୍ତେ ଦିନ ଧାର୍ଯ୍ୟ ହୋଇଛି । କିନ୍ତୁ ବାହାଘର ଠିକ୍ ଦୁଇଦିନ ପୂର୍ବରୁ ଦୁଷ୍କର୍ମ ମାମଲାରେ ବାପାଙ୍କୁ ପୁଲିସ ଗିରଫ କରି କୋର୍ଟ ଚାଲାଣ କରିଛି ।