କେନ୍ଦ୍ରାପଡ଼ା : ଅପହୃତା ଝିଅକୁ ଉଦ୍ଧାର ପାଇଁ ପରିବାର ଲୋକେ ସୋମବାର ଏସ୍ଡିପିଓଙ୍କୁ ଭେଟି ଗୁହାରି କରିଛନ୍ତି । ପ୍ରକାଶ ଯେ, କେନ୍ଦ୍ରାପଡା ଜିଲ୍ଲା ତନ୍ତିଆପାଳ ଥାନା ଭୂପାଳ ଗ୍ରାମର ନୀତିମା ଗୁଇଆ ଏବଂ ତାଙ୍କ ସ୍ୱାମୀ ନିରଞ୍ଜନ ଗୁଇଆଙ୍କ ୧୮ ବର୍ଷର ଝିଅ ଏପ୍ରିଲ୧୫ ତାରିଖରେ କେଉଁଆଡେ ପଳାଇ ଯାଇଥିବା ତନ୍ତିଆପାଳ ଥାନାରେ ଅଭିଯୋଗ କରିଥିଲେ । ପରେ ତାଙ୍କ ଝିଅକୁ ରାଜନଗର ଥାନା ବାରାହାପୁର ଗ୍ରାମର ପ୍ରଭାତ ଖଣ୍ଡୁଆଳ ଅପହରଣ କରି ନେଇଯାଇଥିବା ଜାଣିବାକୁ ପାଇ ରାଜନଗର ଥାନାରେ ୨୧ ତାରିଖରେ ଅଭିଯୋଗ କରିଥିଲେ ।
ପ୍ରଥମେ ତନ୍ତିଆପାଳ ଥାନାରେ ଅଭିଯୋଗ କରି ସେଠାରୁ ନ୍ୟାୟ ପାଇନଥିଲେ । ପରେ ସେମାନେ ରାଜନଗର ଥାନାରେ ଅଭିଯୋଗ କରିଥିଲେ । ଅପହୃତା ଝିଅର ବାପା-ମା’ ଏ ଥାନାରୁ ସେ ଥାନା ଦୌଡ଼ି ଦୌଡ଼ି ନ୍ୟାୟ ନ ପାଇ ଶେଷରେ ଏସ୍ଡିପିଓ ରାଜୀବ ଲୋଚନ ପଣ୍ଡାଙ୍କୁ ଭେଟି ଅପହୃତା ଝିଅକୁ ଉଦ୍ଧାର କରିବାକୁ ନିବେଦନ କରିଛନ୍ତି । ଅଭିଯୋଗ ପାଇ ଏସ୍ଡିପିଓ ଶ୍ରୀ ପଣ୍ଡା ରାଜନଗର ଏବଂ ତନ୍ତିଆପାଳ ଥାନାଧିକାରୀଙ୍କ ସହିତ କଥା ହୋଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦେଇଥିବା ଜଣାପଡିଛି ।