28.1 C
Bhubaneswar
Monday, October 21, 2024
Homeଓଡିଶାଚିକିତ୍ସା ଅବହେଳାରୁ ହଷ୍ଟେଲ ଛାତ୍ରୀଙ୍କ ମୃତ୍ୟୁ ଅଭିଯୋଗ

ଚିକିତ୍ସା ଅବହେଳାରୁ ହଷ୍ଟେଲ ଛାତ୍ରୀଙ୍କ ମୃତ୍ୟୁ ଅଭିଯୋଗ

କନ୍ଧମାଳ: ଅବ୍ୟବସ୍ଥା ମଧ୍ୟରେ ଚାଲିଛି କନ୍ଧମାଳ ଜିଲ୍ଲାର ବିଭିନ୍ନ ସେବାଶ୍ରମ । କେଉଁଠି ନାବାଳିକା ଛାତ୍ରୀ ଗର୍ଭବତୀ ହେବାର ଖବର ମିଳୁଛି ତ କେଉଁଠି କର୍ତ୍ତୃପକ୍ଷଙ୍କ ଅବହେଳାରୁ ଯାଉଛି ଅନ୍ତେବାସୀଙ୍କ ଜୀବନ । ଏଭଳି ଆଉ ଏକ ଘଟଣା ଘଟିଛି ଖଜୁରୀପଡା ବ୍ଲକ ବିଲାବାଡି ପଞ୍ଚାୟତରେ । ପ୍ରଧାନ ଶିକ୍ଷକଙ୍କ ଖାମଖିଆଲି ନୀତି ଏବଂ ଚିକିତ୍ସା ଅବହେଳା କାରଣରୁ ଜଣେ ହଷ୍ଟେଲ ଛାତ୍ରୀଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ଆଣିଛନ୍ତି ପରିବାର ଲୋକ ।

ଏପରିକି ଏକଥା କାହାକୁ ନ କହିବା ପାଇଁ ପ୍ରଧାନ ଶିକ୍ଷକ ଲାଞ୍ଚ ଯାଚିଥିବା ଭଳି ସଙ୍ଗୀନ ଅଭିଯୋଗ ଆଣିଛନ୍ତି ପରିବାର ଲୋକେ । ମୃତ ଛାତ୍ରୀ ଜଣକ ହେଲେ ବିଲାବାଡି ପଞ୍ଚାୟତ କୁଟିବାରୀ ଗାଁର ମମିତା ଦେହୁରୀ (୧୭) । ସୂଚନା ଅନୁଯାୟୀ, ମମିତା ବିଲାବାଡି ସ୍ଥିତ ଅନୁସୂଚିତ ଜାତି ଓ ଜନଜାତି ବିଭାଗ ଅଧୀନସ୍ଥ ଉଚ୍ଚ ବିଦ୍ୟାଳୟରେ ଦଶମ ଶ୍ରେଣୀରେ ପଢ଼ୁଥିଲେ । ଶୀତ ଛୁଟିରେ ଘରକୁ ଆସି କିଛି ଦିନ ରହିବା ପରେ ହଷ୍ଟେଲକୁ ଫେରିଥିଲେ । ୨୩ ତାରିଖ ଦିନ ମମିତା ଅସୁସ୍ଥତା ଅନୁଭବ କରିଥିଲା ।

ତେବେ ବିଦ୍ୟାଳୟ କର୍ତ୍ତୃପକ୍ଷ ଚିକିତ୍ସା ପାଇଁ କୌଣସି ପଦକ୍ଷେପ ନେଇ ନ ଥିଲେ । ସ୍ୱାସ୍ଥ୍ୟ ଗୁରୁତର ହେବାରୁ ୨୪ ତାରିଖ ପ୍ରଧାନ ଶିକ୍ଷକ ମମିତାକୁ ଡାକ୍ତରଖାନା ନେବା ପରିବର୍ତ୍ତେ ଝିଅକୁ ଘରକୁ ନେଇଯିବା ପାଇଁ ପରିବାର ଲୋକଙ୍କୁ ଖବର ଦେଇଥିଲେ । ଏକ ଅଟୋ ରିକ୍ସାରେ ଅସୁସ୍ଥ ମମିତାକୁ ନେଇ କରଡ଼ା ବଣିଆ ଘାଟିରେ ଆଣି ଛାଡ଼ି ଦେଇଥିଲେ ପ୍ରଧାନ ଶିକ୍ଷକ । ସେଠାରୁ ଆଉ ରାସ୍ତା ନ ଥିବାରୁ ବାଧ୍ୟ ହୋଇ ବାପା ବ୍ରହ୍ମା ଦେହୁରୀ ପ୍ରାୟ ୪ କିମି ବାଟ ଝିଅକୁ କାନ୍ଧରେ ବୋହି ଘରକୁ ନେଇଥିଲେ ।

ଘରେ ରଖି ଚିକିତ୍ସା କରୁଥିବା ବେଳେ ୨୭ ତାରିଖ (ଶନିବାର) ଦିନ ଝିଅ ମୃତ୍ୟୁ ବରଣ କରିଥିଲା । ୨୮ ତାରିଖ ଦିନ ପ୍ରଧାନ ଶିକ୍ଷକ ସମୀର କୁମାର ପାଢୀ ନିଜ ସହକର୍ମୀଙ୍କୁ ଧରି ମୃତ ଛାତ୍ରୀଙ୍କ ଘରକୁ ଯାଇ ୨ ହଜାର ଟଙ୍କା ଦେଇ ସମ୍ପର୍କରେ କାହାକୁ କିଛି ନ କହିବା ପାଇଁ କହିଥିଲେ ବୋଲି ଅଭିଯୋଗ କରିଛନ୍ତି ମୃତ ମାମିତାଙ୍କ ମା ସୁମତି ଦେହୁରୀ । ସୁମତୀଙ୍କ କହିବା ଅନୁଯାୟୀ, ଆମ୍ଭେ ଗରିବ ଲୋକ ଚାଷ ବାସ ସହିତ ମୂଲ ମଜୁରୀ କରି ଆମ ଚାରି ପ୍ରାଣୀ କୁଟୁମ୍ବ ଚଳୁଥିଲୁ ।

ଦିନରାତି ପରିଶ୍ରମ କରି ପୁଅଝିଅଙ୍କୁ ପାଠ ପଢେଇ ଭଲ ମଣିଷ କରିବା ପାଇଁ ସ୍ୱପ୍ନ ଦେଖିଥିଲୁ । ସେଥି ପାଇଁ ବଡ ଝିଅ ମମିତାଙ୍କୁ ବିଲାବାଡ଼ି ଆଶ୍ରମ ସ୍କୁଲରେ ନାମ ଲେଖାଇ ପାଠ ପଢାଉଥିଲୁ । କିନ୍ତୁ ପ୍ରଧାନ ଶିକ୍ଷକଙ୍କ ଅବହେଳାରୁ ଜୀବନ ଚାଲିଗଲା ବୋଲି ଦୁଃଖର ସହ ପ୍ରକାଶ କରିଛନ୍ତି ବାପା ମା । ଏ ନେଇ ଖଜୁରୀପଡା ବ୍ଲକ ମଙ୍ଗଳ ସମ୍ପ୍ରସାରଣ ଅଧିକାରୀ ରାଜେଶ୍ ମୁର୍ମୁଙ୍କୁ ପଚାରିବାରୁ ସେ ଏ ସମ୍ବନ୍ଧରେ ଅବଗତ ନ ଥିବା ପ୍ରକାଶ କରିଛନ୍ତି । ପ୍ରଧାନ ଶିକ୍ଷକ କହିଛନ୍ତି, ସ୍ୱାସ୍ଥ୍ୟ ବିଭାଗ ଟିମ୍ ଆସି ୧୬ ତାରିଖରେ ଝିଅର ସ୍ୱାସ୍ଥ୍ୟ ପରୀକ୍ଷା କରିଥିଲେ । ସେ ସମୟରେ ସବୁ ରିପୋର୍ଟ ଠିକ୍ ଥିଲା ବୋଲି କହିଛନ୍ତି ପ୍ରଧାନ ଶିକ୍ଷକ ।

୨୩ ତାରିଖ ଦିନ ଝିଅ ଅସୁସ୍ଥ ଥିବା ତାଙ୍କ ପରିବାରଙ୍କୁ ସୂଚନା ଦିଆଯାଇଥିଲା ଏବଂ ୨୪ ତାରିଖ ଦିନ ଅଟୋ ଯୋଗେ ତାଙ୍କ ଘରକୁ ନେବା ବେଳେ ରାସ୍ତା ସମସ୍ୟା ଥିବାରୁ ଅଟୋ ଚାଳକ କରଡ଼ାବଣିଆ ଘାଟିରେ ଓହ୍ଲାଇ ଦେଇଥିବା କହିଛନ୍ତି । ତେବେ ଅସୁସ୍ଥ ଛାତ୍ରୀଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରିବା ବଦଳରେ ଘରକୁ ପଠାଇ ଦେବା କେତେଦୂର ଯୁକ୍ତିଯୁକ୍ତ ବୋଲି ପ୍ରଶ୍ନ ଉଠୁଛି । ଛାତ୍ରୀଙ୍କ ଶରୀର ଗତ କିଛି ଦିନ ଧରି ଅସୁସ୍ଥ ଥିଲେ ବି ଏ ନେଇ ତାଙ୍କ ପରିବାର ଲୋକଙ୍କୁ ମଧ୍ୟ ଠିକ ସମୟରେ ଅବଗତ କରାଯାଇ ନ ଥିବା ଅଭିଯୋଗ ହେଉଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking