31.1 C
Bhubaneswar
Monday, October 21, 2024
Homeଓଡିଶାଅଳକାପୁରୀରେ ମହିଳାଙ୍କୁ ହତ୍ୟା ଘଟଣା: ଦୋଷୀକୁ ଆଜୀବନ କାରାଦଣ୍ଡ

ଅଳକାପୁରୀରେ ମହିଳାଙ୍କୁ ହତ୍ୟା ଘଟଣା: ଦୋଷୀକୁ ଆଜୀବନ କାରାଦଣ୍ଡ

ବ୍ରହ୍ମପୁର:  ଜଣେ ମହିଳାଙ୍କୁ ହତ୍ୟା କରିଥିବା ମାମଲାର ବିଚାର କରି ସ୍ଥାନୀୟ ଏଡିଜେ-୩ ରାଜ କୁମାର ଦାଶ ଦୋଷୀକୁ ଆଜୀବନ କାରାଦଣ୍ଡର ରାୟ ଶୁଣାଇଛନ୍ତି । ସୂଚନା ଯୋଗ୍ୟ ଯେ ସଦରଥାନା ଅନ୍ତର୍ଗତ ଅଳକାପୁରୀ ଠାରେ ପ୍ରାୟ ୨ବର୍ଷ  ପୂର୍ବେ ଜଣେ ମହିଳାଙ୍କୁ ଛୁରୀରେ ଆକ୍ରମଣ କରି ହତ୍ୟା କରାଯାଇଥିଲା । ଏହି ମାମଲାରେ ଅଭିଯୁକ୍ତ ଭାବେ ଗିରଫ ହୋଇଥିବା  ବଳରାମ ସାହୁ ନାମକ ଜଣେ ତାଲା ମେକାନିକ୍  ବିଚାର ବେଳେ ଦୋଷୀ ସାବ୍ୟସ୍ତ ହୋଇଛି ।

ବଳରାମର ଘର କବିସୂର୍ଯ୍ୟନଗର ଥାନା ଅନ୍ତର୍ଗତ ବୋଇରାଣୀର ଦେଶୀ ବେହେରା ସାହିର ବୋଲି ଜଣାପଡ଼ିଛି । ଏହି ମାମଲାର ବିଚାର ଏଡିଜେ-୩ ରାଜ କୁମାର ଦାଶଙ୍କ କୋର୍ଟରେ ହୋଇଥିଲା । ସାକ୍ଷ୍ୟ ପ୍ରମାଣକୁ ଭିତ୍ତି କରି ଅଭିଯୁକ୍ତକୁ ଜଜ୍ ଦୋଷୀ ସାବ୍ୟସ୍ତ କରିଥିବା ବେଳେ ତା’କୁ ଆଜୀବନ କାରାଦଣ୍ଡ ସହ ୨୦ହଜାର ଟଙ୍କା ଜରିମାନା, ଏହା ଅନାଦେୟ ହେଲେ ଅଧିକ ୧ବର୍ଷ ସଶ୍ରମ କାରାଦଣ୍ଡାଦେଶ ଦେଇଥିବା ସୂଚନା ମିଳିଛି । ସରକାରଙ୍କ ପକ୍ଷରୁ ଏପିପି ରଜତ କୁମାର ଦାଶ ମକଦ୍ଦମା ପରିଚାଳନା କରିଥିଲେ ।

ସୂଚନା ମୁତାବକ, ସଦର ଥାନା ଅନ୍ତର୍ଗତ ଅଳକାପୁରୀ ୭ମ ଗଳି ସମ୍ପ୍ରସାରଣରେ ଜଣେ ଅବସରପ୍ରାପ୍ତ ସରକାରୀ କର୍ମଚାରୀ ବିଜୟ ଚନ୍ଦ୍ର ବେହେରା ଓ ତାଙ୍କ ସ୍ତ୍ରୀ ସୁରଜା ବେହେରା ରହୁଥିଲେ । ପୁଅ ରଶ୍ମିରଞ୍ଜନ ଭୁବନେଶ୍ୱରରେ ରହୁଥିଲେ । ୨୦୨୨ ଫେବୃଆରୀ ୨୪ ସନ୍ଧ୍ୟାରେ ବିଜୟ ସାନ୍ଧ୍ୟ ଭ୍ରମଣ ସାରି ଘରକୁ ଫେରିଥିଲେ । ବାହାରପଟୁ ତାଲା ପଡ଼ିଥିବା ଦେଖି ସେ ପତ୍ନୀ ସୁରଜାଙ୍କୁ ଫୋନ୍ କରିଥିଲେ । କିନ୍ତୁ କେହି ଫୋନ୍ ନଉଠାଇବାରୁ ସେ ଇଂଜିନିୟରିଂ ସ୍କୁଲ ଛକରେ ରହୁଥିବା ଝିଅ ଘରକୁ ଯାଇ ଜ୍ୱାଇଁଙ୍କୁ ଡାକିଥିଲେ । ତାଲା ଭାଂଗି ଘରକୁ ପଶି ଦେଖିଲା ବେଳକୁ ସୁରଜାଙ୍କ ରକ୍ତ ଜୁଡ଼ୁବୁଡ଼ୁ ମୃତ ଶରୀର ଦେଖିବାକୁ ପାଇ ପୁଲିସକୁ ଖବର କରିଥିଲେ ।

ସଦର ଥାନା ପୁଲିସ ଏନେଇ ଏକ ମାମଲା (କେସ୍‌ନଂ ୯୫/୨୨)ରୁଜୁ କରି ଘଟଣାର ତଦନ୍ତ କରିଥିଲା । ଅଭିଯୁକ୍ତ ବଳରାମ ସାହୁକୁ ଗିରଫ କରି କୋର୍ଟ ଚାଲାଣ କରିଥିଲା । ଅଭିଯୁକ୍ତ ବଳରାମ ନିକଟରେ ଏକ ଆଲମିରା ଦୋକାନରେ ତାଲାଚାବି ମରାମତି କାମ କରିବା ପାଇଁ ନିୟୋଜିତ ଥିଲା । ମୃତକଙ୍କ ସ୍ୱାମୀ ବିଜୟ ଘଟଣାର ଦିନ ସକାଳେ ବଳରାମକୁ ଘରର ଏକ ଆଲମାରୀର ତାଲା ମରାମତି ପାଇଁ ଡକାଇଥିଲେ । ସେହିସମୟରେ ଆଲମାରୀ ଭିତରେ କେତକ ଗହଣା ବାକ୍ସ ଥିବା ସେ ଦେଖିବାକୁ ପାଇଥିଲା ।

ସେସବୁ ଚୋରି କରିବା ପାଇଁ ଯୋଜନା କରିଥିଲା । ସନ୍ଧ୍ୟାଭ୍ରମଣ ପାଇଁ ବିଜୟ ଚାଲିଯିବା ପରେ ଏହାର ସୁଯୋଗ ନେଇ ବଳରାମ ପାଚେରି ଡେଇଁ ତାଙ୍କ ଘରେ ପଶିଥିଲା । ସୁରଜା ବିରୋଧ କରିବାରୁ ତାଙ୍କୁ ରୋଷେଇ ଘରେ ଥିବା ଏକ ଛୁରାରେ ଆକ୍ରମଣ କରି ହତ୍ୟା କରିଥିବା ପୁଲିସ ଜେରା ବେଳେ ବଳରାମ ସ୍ୱୀକାର କରିଥିବା ନେଇ ସେତେବେଳେ ସମ୍ବାଦିକ ସମ୍ମିଳନୀରେ ତତ୍କାଳୀନ ଏସ୍‌ପି ସୂଚନା ଦେଇଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking