ନୂଆଦିଲ୍ଲୀ: ପ୍ରେମ ସମ୍ପର୍କରେ ତୃତୀୟ ବ୍ୟକ୍ତିର ହସ୍ତକ୍ଷେପକୁ ନେଇ ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଛନ୍ତି ଆହ୍ଲାବାଦ ହାଇକୋର୍ଟ । କୋର୍ଟଙ୍କ କହିବା ମୁତାବକ, ଜୀବନସାଥୀ ଚୟନ, ସମ୍ପର୍କ, ପ୍ରେମ ସମ୍ବନ୍ଧ, ବ୍ୟକ୍ତିଗତ ଅନ୍ତରଙ୍ଗ ଇଚ୍ଛା, ଦୁଇ ବୟସ୍କଙ୍କ ମଧ୍ୟରେ ମାନବୀୟ ସମ୍ପର୍କ ମଧ୍ୟରେ କୌଣସି ବାହାର ବ୍ୟକ୍ତି ହସ୍ତକ୍ଷେପ କରିପାରିବେ ନାହିଁ । ଏହି ମାମଲାରେ କୋର୍ଟ ଆବେଦନକାରୀ ଯୁବକ ଓ ତାଙ୍କ ପତ୍ନୀଙ୍କୁ ଏକାଠି ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି । ହାଇକୋର୍ଟ କହିଛନ୍ତି ଯେ ଦୁଇଜଣ ସାବାଳକ ବ୍ୟକ୍ତିଗତ ଜୀବନରେ ହସ୍ତକ୍ଷେପ କରିବାର କାହାର ଅଧିକାର ନାହିଁ । ସନ୍ଦୀପ କୁମାର ଓ ଅନ୍ୟମାନଙ୍କ ହାବିସ୍ କର୍ପସ ଆବେଦନ ଉପରେ ହାଇକୋର୍ଟର ଏକକ ବେଞ୍ଚ ଏହି ନିର୍ଦ୍ଦେଶ ଦେଇଛନ୍ତି । ବାସ୍ତବରେ ବାଗପତର ବାସିନ୍ଦା ସନ୍ଦୀପ କୁମାର ପତ୍ନୀଙ୍କୁ ତାଙ୍କ ବାପା ଘରେ ବନ୍ଦୀ କରି ରଖିଥିବା ଅଭିଯୋଗ କରିଥିଲେ । ପତ୍ନୀଙ୍କ ପରିବାର ସଦସ୍ୟ ଉକ୍ତ ଯୁବକଙ୍କ ବିରୋଧରେ ମାମଲା ଦାୟର କରିଥିଲେ ।
ଯୁବକ ତାଙ୍କ ଝିଅକୁ ଯୌନ ନିର୍ଯାତନା ଦେଇଥିବା ଅଭିଯୋଗ ହୋଇଥିଲା । ଏହି ମାମଲାରେ କୋର୍ଟ ଉକ୍ତ ଝିଅକୁ ଡକାଇଥିଲେ । କୋର୍ଟରେ ହାଜର ହୋଇ ମହିଳା କହିଥିଲେ ଯେ ସେ ତାଙ୍କ ସ୍ୱାମୀଙ୍କ ସହ ରହିବାକୁ ଚାହୁଁଛନ୍ତି । ଯୁବତୀଙ୍କ ବିବୃତ୍ତି ପରେ କୋର୍ଟ ଆବେଦନକାରୀଙ୍କୁ ତାଙ୍କ ସହ ରହିବାକୁ ଅନୁମତି ଦେଇଛନ୍ତି । ଏହା ସହିତ ପରିବାର ସଦସ୍ୟ ଉଭୟଙ୍କ ଜୀବନରେ କୌଣସି ପ୍ରକାରର ହସ୍ତକ୍ଷେପକୁ ବାରଣ କରିଛନ୍ତି । କୁହାଯାଉଛି ଯେ ଉଭୟ ଯୁବକ ଓ ଯୁବତୀ ପରସ୍ପରକୁ ଭଲ ପାଉଛନ୍ତି । ସେମାନେ ଉଭୟ ମଧ୍ୟ ବିବାହ କରିଛନ୍ତି । ପରିବାର ସେମାନଙ୍କୁ ଏକାଠି ରହିବାକୁ ଦେଉନାହାଁନ୍ତି। ଏ ସମ୍ପର୍କରେ ହାଇକୋର୍ଟରେ ଏକ ପିଟିସନ ଦାଖଲ କରାଯାଇଥିଲା । ଆବେଦନକାରୀ ଯୁବକ କହିଛନ୍ତି ଯେ ଉଭୟ ଝିଅ ଓ ପୁଅ ସାବାଳକ । ସେମାନେ ଦୁହେଁ ଏକାଠି ରହିବାକୁ ଚାହାଁନ୍ତି କିନ୍ତୁ ପରିବାର ଏହା କରିବାକୁ ଦେଉନାହାଁନ୍ତି । କୋର୍ଟ ବନ୍ଦୀ ପ୍ରତ୍ୟକ୍ଷୀକରଣ ଆବେଦନକୁ ସ୍ୱୀକାର କରି ପତ୍ନୀଙ୍କୁ ତାଙ୍କ ସହମତି ପରେ ସ୍ୱାମୀଙ୍କ ସହ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି ।