ନୂଆଦିଲ୍ଲୀ: ସଂସଦୀୟ ଅଧିବେଶନ ପରମ୍ପରା ଅନୁସାରେ ଯେକୌଣସି ଅଧିବେଶନ ପୂର୍ବରୁ ସର୍ବଦଳୀୟ ବୈଠକ ଆୟୋଜନ କରାଯିବାର ଏକ ନିଆରା ବ୍ୟବସ୍ଥା ରହିଆସିଛି । ଚଳିତ ବଜେଟ୍ ଅଧିବେଶନ ପୂର୍ବରୁ ମଧ୍ୟ ଏହି ବ୍ୟବସ୍ଥାର ପାଳନ କରାଯାଇଛି । ମଙ୍ଗଳବାର ସର୍ବଦଳୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି ।
କେନ୍ଦ୍ର ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହଲ୍ଲାଦ ଯୋଶୀ ଉଭୟ ଗୃହର ସମସ୍ତ ଦଳର ନେତାଙ୍କ ସହ ବୈଠକ କରିଛନ୍ତି । ସଂସଦ ଲାଇବ୍ରେରୀରେ ଏହି ବୈଠକ ଅନୁଷ୍ଠିତ ହୋଇଥିଲା । ଏଥିରେ ଶାସକ ମେଣ୍ଟ ଏନ୍ଡିଏ ସମେତ ପ୍ରାୟ ୩୦ଟି ଦଳର ୪୫ ନେତା ସାମିଲ ହୋଇଥିଲେ । ବଜେଟ୍ ଅଧିବେଶନକୁ କିପରି ସୁରୁଖୁରୁରେ କାର୍ଯ୍ୟକାରୀ କରାଯାଇପାରିବ ସେସମ୍ପର୍କରେ ଶାସକ ଦଳ ପକ୍ଷରୁ ବିରୋଧୀ ଦଳଙ୍କ ସହଯୋଗ ତଥା ମତାମତ ଲୋଡାଯାଇଥିଲା ।