ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ବରିଷ୍ଠ ମନ୍ତ୍ରୀ ଓ ବିଦେଶ ମନ୍ତ୍ରଣାଳୟର ଶୀର୍ଷ ଅଧିକାରୀଙ୍କ ସହିତ ଏକ ଉଚ୍ଚସ୍ତରୀୟ ବୈଠକରେ ଅଧ୍ୟକ୍ଷତା କରିଛନ୍ତି । ସୂଚନାଯୋଗ୍ୟ ଯେ ଯୁଦ୍ଧତ୍ରସ୍ତ ୟୁକ୍ରେନ୍ର ପିସୋଚାଇନ୍ ସହରରେ ଫସି ରହିଥିବା ସମସ୍ତ ଭାରତୀୟ ନାଗରିକଙ୍କୁ ଉଦ୍ଧାର କରାଯାଇସାରିଛି ବୋଲି ୟୁକ୍ରେନ୍ରେ ଅବସ୍ଥିତ ଭାରତୀୟ ଦୂତାବାସ ଆଜି ସ୍ପଷ୍ଟ କରିଛି । ଅପରପକ୍ଷରେ ୟୁକ୍ରେନ୍ରେ ଫସି ରହିଥିବା ସମସ୍ତ ଭାରତୀୟ ନାଗରିକଙ୍କୁ ସୁରକ୍ଷିତ ଅବସ୍ଥାରେ ଉଦ୍ଧାର କରାଯିବ । ସେମାନଙ୍କ ସୁରକ୍ଷା ଆମର ସର୍ବାଧିକ ପ୍ରାଥମିକତା ବୋଲି ବିଦେଶ ମନ୍ତ୍ରଣାଳୟ ଟ୍ୱିଟ୍ କରି ସୂଚନା ଦେଇଛି । ପାଖାପାଖି ସମସ୍ତ ଭାରତୀୟ ନାଗରିକ ୟୁକ୍ରେନ୍ର ସର୍ବାଧିକ ପ୍ରଭାବିତ ସହର ଖାର୍କିଭ୍ ଛାଡ଼ି ସାରିଛନ୍ତି ବୋଲି ବିଦେଶ ମନ୍ତ୍ରଣାଳୟର ପ୍ରବକ୍ତା ଅରିନ୍ଦମ୍ ବାଗ୍ଚୀ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି । ସମ୍ପ୍ରତି ସରକାରଙ୍କ ପ୍ରମୁଖ ଲକ୍ଷ୍ୟ ରହିଛି ସୁମି ଅଞ୍ଚଳରେ ଫସି ରହିଥିବା ଛାତ୍ରଛାତ୍ରୀଙ୍କୁ ଉଦ୍ଧାର କରିବା । ବୋମାବର୍ଷଣ ଲାଗିରହିଥିବା ସହିତ ପରିବହନର ସୁବିଧା ଉପଲବ୍ଧ ନଥିବାରୁ ସେମାନଙ୍କ ଉଦ୍ଧାର ଅଦ୍ୟାବଧି ଚାଲେଞ୍ଚ୍ ହୋଇପଡ଼ିଛି ।