ମୁମ୍ବାଇ : ମହାରାଷ୍ଟ୍ରର ଅକୋଲାରେ ସୋସିଆଲ୍ ମିଡିଆ ପୋଷ୍ଟ୍କୁ ନେଇ ଶନିବାର ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ଘଟି ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଛି । ଓଲ୍ଡ ସିଟି ଅଞ୍ଚଳରେ ସାମାନ୍ୟ କଥାକୁ ନେଇ ଦୁଇ ସମ୍ପ୍ରଦାୟ ମଧ୍ୟରେ ଟେକାପଥର ମାଡ଼ ହୋଇଥିବା ଏସ୍ପି ସନ୍ଦୀପ ଘୁଘେ କହିଛନ୍ତି । ଉପଦ୍ରବୀ କେତେକ ବାହନରେ ନିଆଁ ଲଗାଇ ଦେଇଥିବା ବେଳେ କେତେକ ଲୋକ ଥାନା ଘେରାଉ ଉଦ୍ୟମ କରିଥିଲେ । ବର୍ତ୍ତମାନ ସ୍ଥିତି ନିୟନ୍ତ୍ରଣରେ ଥିବା ପୁଲିସ ପକ୍ଷରୁ କୁହାଯାଇଛି । ଏସ୍ପି ଘୁଘେ କହିଛନ୍ତି ଟେକା ପଥର ମାଡ଼ରେ ୮ ଜଣ ଆହତ ହୋଇଛନ୍ତି ।
ଆହତଙ୍କ ମଧ୍ୟରେ ଦୁଇଜଣ ପୁଲିସ କର୍ମଚାରୀ ସାମିଲ । ରବିବାର ହସ୍ପିଟାଲ୍ରେ ଚିକିତ୍ସା ବେଳେ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି । ପୁଲିସ ବର୍ତ୍ତମାନ ସୁଦ୍ଧା ୩୦ ଜଣଙ୍କୁ ଗିରଫ କରି ସେମାନଙ୍କ ପଚରା ଉଚରା ଚଳାଇଛି । ସହାରେ ୧୪୪ ଧାରା ଲାଗୁ କରାଯାଇଥିବା ବେଳେ ପଡ଼ୋଶୀ ଜିଲ୍ଲାରୁ ଅତିରିକ୍ତ ପୁଲିସ୍ ଫୋର୍ସ ମଗାଯାଇଥିବା ଜିଲ୍ଲାପାଳ ନୀମା ଆରୋରା କହିଛନ୍ତି ।
ଶନିବାରର ହିଂସାକାଣ୍ଡ ପରେ ପୁଲିସ ପକ୍ଷରୁ ଶାନ୍ତି କମିଟି ବୈଠକ ଡକାଯାଇଥିଲା । ଏଥିରେ ସମସ୍ତ ଧର୍ମ ଓ ସମ୍ପ୍ରଦାୟର ପ୍ରତିନିଧିଙ୍କ ସମେତ ରାଜନୈତିକ ଦଳର ନେତା ଓ ସମାଜସେବୀ ସାମିଲ ହୋଇଥିଲେ । ପୁଲିସ ଶାନ୍ତି ବଜାୟ ରଖିବା ନିମନ୍ତେ ନାଗରିକଙ୍କୁ ନିବେଦନ ରିଛି । ଉପମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ଼ନାବିସ୍ ମଧ୍ୟ ଘଟଣାକୁ ନେଇ ଡିଜିପି ଏବଂ ଅକୋଲା ପୁଲିସ ପ୍ରଶାସନିକ ଅଧିକାରୀଙ୍କ ସହିତ କଥାବାର୍ତ୍ତା କରିଛନ୍ତି ।