ସମବାୟ ସଂସ୍ଥାଗୁଡ଼ିକର ନିର୍ବାଚନ ଏକପାଖିଆ କରା ନ ଯାଉ
ଭୁବନେଶ୍ୱର – ଆଜି ପ୍ରଦେଶ କଂଗ୍ରେସ କାର୍ଯ୍ୟାଳୟଠାରେ ଓଡ଼ିଶା ପ୍ରଦେଶ କିଷାନ କଂଗ୍ରେସର ରାଜ୍ୟ କାର୍ଯ୍ୟକାରିଣୀ ବୈଠକ ପିସିସି କିଷାନ କଂଗ୍ରେସ ଅଧ୍ୟକ୍ଷ ଅମିୟ କୁମାର ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । କୃଷକ ହେଲେ ଅନ୍ନଦାତା । ଚଷା ଲକ୍ଷେ ଜୀବ ପୋଷା । ସେମାନେ କାହାର ଦୟାର ପାତ୍ର ନୁହନ୍ତି । ଚାଷ କ୍ଷେତ୍ରରେ ଉପୁଜୁଥିବା ବିଭିନ୍ନ ସମସ୍ୟାର ସ୍ଥାୟୀ ସମାଧାନ ପାଇଁ ଚାଷୀ ବାରମ୍ବାର ସରକାରଙ୍କ ନିକଟରେ ସେମାନଙ୍କର ନ୍ୟାର୍ଯ୍ୟଦାବୀ କରିଆସୁଥିବା ବେଳେ ସରକାର ଚାଷୀଙ୍କ ଗଣତାନ୍ତ୍ରିକ ଅଧିକାରକୁ ସବୁବେଳେ ଅଣଦେଖା କରି ଚାଲିଛନ୍ତି । ଯାହାକି ଆମ ରାଜ୍ୟ ପାଇଁ ଏକ ଅଶୁଭ ସଙ୍କେତ । ତେଣୁ ଆଜିର ବୈଠକରେ ଆସନ୍ତାମାସ ମଇ ୩ ତାରିଖ ଦିନ ପବିତ୍ର ଅକ୍ଷୟ ତୃତୀୟା ଦିବସକୁ ପିସିସି କିଷାନ କଂଗ୍ରେସ ପକ୍ଷରୁ ପ୍ରତି ଜିଲ୍ଲାସ୍ତରରେ ଓ ରାଜ୍ୟସ୍ତରରେ କୃଷକ ଅଧିକାର ଦିବସ ରୂପେ ପାଳନ କରାଯିବା ପାଇଁ ନିଷ୍ପତି କରାଯାଇଛି । ଉକ୍ତ ଦିନ ପୂର୍ବାହ୍ନରେ କ୍ଷେତରେ ପାରମ୍ପରିକ ରୀତିରେ ଭୂମିପୂଜା ଓ ଅକ୍ଷିମୁଠି ଶୁଭାରମ୍ଭ କରାଯିବା ସହିତ କୃଷି କ୍ଷେତ୍ରରେ ଉଲ୍ଲେଖନୀୟ ସଫଳ ସ୍ଥାନୀୟ ଚାଷୀଙ୍କୁ ସମ୍ବର୍ଦ୍ଧନା ଦିଆଯିବ । ଓଡ଼ିଶା ରାଜ୍ୟକୁ କିପରି କୃଷି କ୍ଷେତ୍ରରେ ଅଗ୍ରଣୀ ଓ ଆତ୍ମ ନିର୍ଭରଶୀଳ ରାଜ୍ୟ ରୂପେ ଗଢ଼ି ତୋଳାଯାଇ ପାରିବା ସହିତ ଚାଷୀକୁଳର ସାମଗ୍ରୀକ ବିକାଶ ହେବ ଏଥିପାଇଁ ଏକ ବିଦ୍ଧିବଦ୍ଧ ପ୍ରସ୍ତାବ ଗ୍ରହଣ କରାଯିବ । ଯେଉଁ ପ୍ରସ୍ତାବଗୁଡ଼ିକୁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପାଖରେ ପ୍ରଦେଶ କଂଗ୍ରେସ ସ୍ୱୀକୃତି କ୍ରମେ ପିସିସି କିଷାନ କଂଗ୍ରେସ ପକ୍ଷରୁ ଦୃଢ଼ ଦାବୀ କରାଯିବ ବୋଲି ଅଧ୍ୟକ୍ଷ ଶ୍ରୀ ପଟ୍ଟନାୟକ ସୂଚନା ପ୍ରଦାନ କରିଛନ୍ତି ।
ରାଜ୍ୟ ବିଜେଡ଼ି ସରକାର ବିଗତ ୨୨ ବର୍ଷ ମଧ୍ୟରେ ଯେଉଁ ସଂଶୋଧିତ କୃଷିନୀତି ପ୍ରଣୟନ କରିଛନ୍ତି ଏଥିରେ ବର୍ତମାନ ପରିସ୍ଥିତିକୁ ଦେଖିଲେ ନୁତନ୍ୱତ କିଛି ନାହିଁ ବୋଲି କୃଷକ ନେତାମାନେ ଗଭୀର କ୍ଷୋଭ ପ୍ରକାଶ କରିଛନ୍ତି । ଯାହାର ଏକ ନିଚ୍ଛକ ନମୁନା ଓଡ଼ିଶା ଅଦ୍ୟାବଧି ବିହନ ଉତ୍ପାଦନ କ୍ଷେତ୍ରରେ ସ୍ୱାବଲମ୍ବୀ ହୋଇ ପାରିନାହିଁ । ବାହାର ରାଜ୍ୟ ଉପରେ ବିହନ ପାଇଁ ଆଜି ମଧ୍ୟ ନିର୍ଭର କରିବାକୁ ପଡ଼ୁଛି । ବିହନ ପ୍ରତିବଦଳ ହାର ଅଭିବୃନ୍ଧି ବିଶେଷ ଘଟିନାହିଁ । ଫଳରେ ଚାଷୀ ନକଲି ବିହନର ଶିକାର ହେଉଛି । ରାଜ୍ୟରେ ଖରିଫ ଚାଷରେ ପ୍ରାୟ ୧୮ ଲକ୍ଷ କ୍ୱିଂଟାଲ ପ୍ରାମାଣିକ ଧାନ ବିହନର ଆବଶ୍ୟକତା ରହିଥିବା ବେଳେ ରାଜ୍ୟ ସରକାର ମାତ୍ର ୫ ଲକ୍ଷ କ୍ୱିଂଟାଲ ସରକାରୀ ବିହନ ଚାଷୀମାନଙ୍କୁ ରିହାତି ମୂଲ୍ୟରେ ଯୋଗାଉଛନ୍ତି । ଯାହାକି ସମୁଦ୍ରକୁ ଶଙ୍ଖେ । ବିହନଗ୍ରାମ ଯୋଜନାରେ ବିହନ ଉତ୍ପାଦନ ପାଇଁ ପ୍ରତିବର୍ଷ କୋଟି କୋଟି ଟଙ୍କା ବ୍ୟୟ ହେଉଛି । କିନ୍ତୁ ଫଳ ଶୂନ । ସେହିଭଳି ଭାବେ ରାଜ୍ୟରେ ବାର୍ଷିକ ୧୨ ଲକ୍ଷ ମେଟ୍ରିକ୍ ଟନ୍ ଆଳୁର ଚାହିଦା ଥିବା ବେଳେ ଓଡ଼ିଶାରେ ମାତ୍ର ୨ ଲକ୍ଷ ମେଟ୍ରିକ୍ ଟନ୍ ଆଳୁ ଉତ୍ପାଦନ ହେଉଛି । ଖରିଫ୍ ଓ ରବି ଚାଷପାଇଁ କାଳିଆ, ବଳିଆ ଓ ପି.ଏମ୍ କିଷାନ ଯୋଜନାରେ ଚାଷୀଙ୍କୁ ଦିଆଯାଉଥିବା ଆର୍ôଥକ ସହାୟତାରୁ ରାଜ୍ୟର ଅର୍ଦ୍ଧାଧିକ ପ୍ରକୃତ ଚାଷୀ ଏହି ସୁବିଧା ପାଇବାରୁ ବଂଚିତ ହେଉଛନ୍ତି । ଉଭୟ ସରକାରଙ୍କ କୃଷି ଓ କୃଷକ ବିକାଶ କେବଳ ପ୍ରଚାର ଓ ଭୋଟ ସର୍ବସ୍ୱ ହୋଇଛି ବୋଲି ଅଧ୍ୟକ୍ଷ ଶ୍ରୀ ପଟ୍ଟନାୟକ କହିଛନ୍ତି । ସେହିଭଳି ଭାବରେ ବର୍ତମାନ ସମବାୟ ସଂସ୍ଥାଗୁଡ଼ିକର ନିର୍ବାଚନ ରାଜ୍ୟ ସରକାରଙ୍କ କବ୍ଚାରେ । ଜାତିର ଜନକ ମହାତ୍ମା ଗାନ୍ଧୀ ଓ ପଣ୍ଡିତ ଜବାହରଲାଲ ନେହେରୁ ସମବାୟ ସଂସ୍ଥାଗୁଡ଼ିକ କ୍ରିୟାଶୀଳ ହୋଇ ଗଢ଼ି ଉଠିଲେ କୃଷି ଅର୍ଥନୀତିରେ ଏକ ବୈପ୍ଳବିକ ପରିବର୍ତନ ପାଇଁ ଯେଉଁଁ ସ୍ୱପ୍ନ ଦେଖିଥିଲେ ଆଜିର ସରକାର ଏହାକୁ ସମ୍ପୂର୍ଣ୍ଣ ଚୁରମାର କରି ଚାଲିଛନ୍ତି । ତେଣୁ ପ୍ରଚଳିତ ସମବାୟ ନିର୍ବାଚନକୁ କୌଣସି ପରିସ୍ଥିତିରେ ଦଳୀୟ ଭିତିରେ ରାଜନୀତିକରଣ କରା ନ ଯାଉ ବୋଲି କିଷାନ କଂଗ୍ରେସ ପକ୍ଷରୁ ଦୃଢ଼ ଦାବୀ କରାଯାଉଛି । ଏହି ନିର୍ବାଚନରେ ସମବାୟ ସଂସ୍ଥାଗୁଡ଼ିକର ସମସ୍ତ ସଦସ୍ୟମାନଙ୍କୁ ନିର୍ବାଚନରେ ଅଂଶ ଗ୍ରହଣ ପାଇଁ ସୁଯୋଗ ପ୍ରଦାନ କରାଗଲେ ସମବାୟର ପ୍ରକୃତ ମୂଲ୍ୟବୋଧ ସମସ୍ତେ ଉପଲବ୍ôଧ କରିପାରିବେ । ଅନ୍ୟମାନଙ୍କ ମଧ୍ୟରେ ପିସିସି ମୁଖପାତ୍ର ମନୋରଞ୍ଜନ ଦାଶ, କୃଷକ ନେତା ବୃନ୍ଦାବନ ଖଟେଇ, ପଦ୍ମଚରଣ ସାହୁ, ସଦାନନ୍ଦ ଓଝା, ନିରଞ୍ଜନ ବେହେରା, ଅରବିନ୍ଦ ସାମଲ, ବସନ୍ତ କୁମାର ମହାରଣା, ଧୃବଚରଣ ପରିଡ଼ା, ରଜତ କୁମାର ଦାସ ପ୍ରମୁଖ କର୍ମକର୍ତା ଓ ଜିଲ୍ଲା ସଭାପତିମାନେ ଉପସ୍ଥିତ ଥିଲେ ।