ମୁମ୍ବାଇ: ଶେୟାର୍ ବଜାରର ବିଗ୍ ବୁଲ୍ ରାକେଶ ଝୁନ୍ଝୁନ୍ୱାଲାଙ୍କ ଏୟାରଲାଇନ୍ସ ‘ଅକାସା ଏୟାର୍’ ଅଗଷ୍ଟ ୭ ତାରିଖରେ ଉଡ଼ାଣ ଆରମ୍ଭ କରିବ । ଏଥିପାଇଁ ଏୟାରଲାଇନ୍ସ ଆଜିଠାରୁ ଟିକେଟ୍ ବୁକିଂ ଆରମ୍ଭ କରିଛି । ଅକାସା ଫ୍ଲାଇଟ୍ ପ୍ରାଥମିକ ସ୍ତରରେ ମୁମ୍ବାଇ-ଅହମ୍ମଦାବାଦ ଏବଂ ବେଙ୍ଗାଲୁରୁ-କୋଚି ରୁଟ୍ରେ ଚଳାଚଳ କରିବ । ଫ୍ଲାଇଟ୍ର ସର୍ବନିମ୍ନ ଭଡ଼ା ୩୨୩୨ ଟଙ୍କା ରହିଛି । ଏହା ଏକ ଲୋ କଷ୍ଟ୍ ଏୟାର୍ଲାଇନ୍ସ ହୋଇଥିବାରୁ ସ୍ପାଇସ୍ଜେଟ୍, ଇଣ୍ଡିଗୋ, ଗୋ ଫାର୍ଷ୍ଟ ପରି କମ୍ପାନୀ ସହିତ ଏହା ଟକ୍କର ଦେବ । ଅକାସା ସମସ୍ତ ରୁଟ୍ରେ ନିଜର ବୋଇଙ୍ଗ୍ ୭୩୭ ମ୍ୟାକ୍ସ ବିମାନର ବ୍ୟବହାର କରିବ । ଟିକେଟ୍ ବିକ୍ରି ଆରମ୍ଭକୁ ନେଇ ଏୟାରଲାଇନ୍ ଫାଉଣ୍ଡର୍ ଏବଂ ସିସିଓ ବିନୟ ଦୁବେଙ୍କ ବିଶେଷ ଉତ୍ସାହିତ ଥିବା କହିଛନ୍ତି ।
ଅକାସା ଏୟାର୍ ବୁଧବାର ବ୍ୟତୀତ ସପ୍ତାହର ଅନ୍ୟ ଦିନରେ ମୁମ୍ବାଇ ଏବଂ ଅହମ୍ମଦାବାଦ ମଧ୍ୟରେ ଚଳାଚଳ କରିବ । ମୁମ୍ବାଇରୁ ଏହା ପ୍ରତ୍ୟେକ ଦିନ ସକାଳ ୧୦.୦୫ଟାରେ ଅହମ୍ମଦାବାଦ ଅଭିମୁଖେ ଯାତ୍ରା କରିବ । ସେହିପରି ବୁଧବାରକୁ ଛାଡ଼ି ପ୍ରତ୍ୟେକ ଦିନ ୧୨ଟା ୦୫ ମିନିଟ୍ରେ ଅହମ୍ମଦାବାଦରୁ ଫେରିବ । ମୁମ୍ବାଇରୁ ସର୍ବନିମ୍ନ ଟିକେଟ୍ ମୂଲ୍ୟ ୪୨୧୪ ଟଙ୍କା ଥିବାବେଳେ ଅହମ୍ମଦାବାଦରୁ ଏହି ମୂଲ୍ୟ ୩,୯୦୬ ଟଙ୍କା ରହିଛି । ମୁମ୍ବାଇର ଦ୍ୱିତୀୟ ଉଡ଼ାଣ ଅପରାହ୍ଣ ୨.୦୫ ମିନିଟ୍ରେ ଆରମ୍ଭ ହୋଇ ଅହମ୍ମଦାବାଦରୁ ସନ୍ଧ୍ୟା ୪.୦୫ ମିନିଟ୍ରେ ଫେରିବ । ଏହି ଫ୍ଲାଇଟ୍ ପାଇଁ ମୁମ୍ବାଇରୁ ସର୍ବନିମ୍ନ ଟିକେଟ୍ ମୂଲ୍ୟ ୩,୯୪୮ ଟଙ୍କା ଏବଂ ଅହମ୍ମଦାବାଦରୁ ଟିକେଟ୍ର ସର୍ବନିମ୍ନ ମୂଲ୍ୟ ୫,୦୦୮ ଟଙ୍କା ରହିଛି ।
ସେହିପରି ଏହାର ଫ୍ଲାଇଟ୍ ବେଙ୍ଗାଲୁରୁରୁ କୋଚି ଅଭିମୁଖେ ସକାଳ ୭.୧୫ ଏବଂ ୧୧.୦୦ଟା ବେଳେ ପ୍ରତ୍ୟେକ ଦିନ ଚଳାଚଳ କରିବ । ଏହାର ଟିକେଟ୍ ର୍ସନିମ୍ନ ମୂଲ୍ୟ ୩୪୮୩ ଟଙ୍କା ରହିଛି । କୋଚିରୁ ଫେରନ୍ତା ଫ୍ଲାଇଟ୍ ସକାଳ ୯.୦୫ ଏବଂ ଅପରାହ୍ଣ ୧.୧୦ରେ ଚଳାଚଳ କରିବ । ଏହାର ଟିକେଟ୍ ମୂଲ୍ୟ ୩୨୩୨ ଟଙ୍କାରୁ ଉପରକୁ ରହିଛି । ଫ୍ଲାଇଟ୍ ଟିକେଟ୍ ବୁକିଂ ମୋବାଇଲ୍ ଆପ୍, ମୋବାଇଲ୍ ୱେବ୍ ଏବଂ ଡେସ୍କଟପ୍ ୱେବ୍ସାଇଟ୍ ଅକାସଏୟାର୍ ଡଟ୍ କମ୍ ଏବଂ ଟ୍ରାଭେଲ୍ ଏଜେଣ୍ଟଙ୍କ ମାଧ୍ୟମରେ କରାଯାଇ ପାରିବ । ଏୟାରଇଲାଇନ୍ରେ ଅନ୍-ବୋର୍ଡ ମିଲ୍ ସର୍ଭିସ୍ ସୁବିଧା ରହିଛି, ଯାହା କେଫେ ଅକାସାରୁ ବୁକ୍ କରାଯାଇପାରିବ ।
କେଫେ ଅକାସାରେ ପାସ୍ତା, ଭିଏତ୍ନାମୀ ରାଇସ୍ ରୋଲ୍, ହଟ୍ ଚକୋଲେଟ୍ ଏବଂ ଇଣ୍ଡିଆନ୍ କିଜନ୍ ପରି ସାମଗ୍ରୀ ମିଳିବ । ୨୦୨୩ ଖରାଦିନ ସୁଦ୍ଧା ଏୟାରଲାଇନ୍ର ଅନ୍ତର୍ଜାତୀୟ ଉଡ଼ାଇ ଆରମ୍ଭ କରାଯିବ । ସ୍ଥାନୀୟ ନିୟମ ଅନୁସାରେ ବିଦେଶ ପଥରେ ବିମାନ ଯାତ୍ରା ସେବା ପାଇଁ ଆବଶ୍ୟକ ୨୦ ଏୟାର୍କ୍ରାଫ୍ଟ ଏୟାର୍ଲାଇନ୍ରେ ସାମିଲ ହୋଇସାରିଥିବ ବୋଲି କମ୍ପାନୀ ପକ୍ଷରୁ କୁହାଯାଇଛି । ଅକାସାର ସମସ୍ତ ୭୩୭ ମ୍ୟାକ୍ସ ବିମାନ ମଧ୍ୟପୂର୍ବ, ଦକ୍ଷିଣ-ପୂର୍ବ ଏସିଆ, ନେପାଳ, ବାଂଲାଦେଶ ଏବଂ ଶ୍ରୀଲଙ୍କା ଉଡ଼ାଣ ପାଇଁ ବିକଳ୍ପ ହେବ । ଅକାସା ଏୟାର୍ଲାଇନ୍ର କୋଡ୍ ‘କ୍ୟୁପି’ ହୋଇଥିବା ବେଳେ ଏହାର ଲୋଗୋ ‘ରାଇଜିଂ ଏ’ ରହିଛି ।