ନୂଆଦିଲ୍ଲୀ : ଆଗାମୀ ଗ୍ରୀଷ୍ମ ସିଜିନରେ ଲଙ୍ଗ୍ ରୁଟ୍ରେ ବିମାନ ଚଳାଚଳକୁ ସୀମିତ କରିବାକୁ ଏୟାର ଇଣ୍ଡିଆ କର୍ତ୍ତୃପକ୍ଷ ନିଷ୍ପତ୍ତି ନେଇଛନ୍ତି । ପାଇଲଟ୍ ଅଭାବ ଏହାର ମୁଖ୍ୟ କାରଣ ବୋଲି କମ୍ପାନୀ ପକ୍ଷରୁ କୁହାଯାଇଛି । ଏ ପ୍ରସଙ୍ଗରେ ଗଣମାଧ୍ୟମକୁ ସୂଚନା ଦେଇ ଏୟାର ଇଣ୍ଡିଆ ସିଇଓ କ୍ୟାମ୍ପବେଲ ୱିଲସନ କହିଛନ୍ତି ଯେ ବର୍ତ୍ତମାନ ଆମେରିକାର ଦୁଇଟି ସହର ଯଥା ନେୱାର୍କ ଓ ସାନ୍ ଫ୍ରାନ୍ସିସ୍କୋକୁ ସପ୍ତାହରେ ୬ଟି (ତିନିଟି ଲେଖାଏଁ) ଏୟାର ଇଣ୍ଡିଆ ବିମାନ ଯାତାୟାତ କରୁଛି । ତେବେ ଆଗାମୀ ୨/୩ ମାସ ମଧ୍ୟରେ ଏହାକୁ ୩ରେ ସୀମିତ ରଖାଯିବାର ଯୋଜନା ରହିଛି । ଆଗାମୀ ତିନି ମାସ (ମାର୍ଚ୍ଚ ୨୬ରୁ ଜୁନ୍ ୨୯) ପର୍ଯ୍ୟନ୍ତ ଦିଲ୍ଲୀରୁ ସାନ୍ ଫ୍ରାନ୍ସିିସ୍କୋ ପର୍ଯ୍ୟନ୍ତ ବିମାନ ଚଳାଚଳକୁ ବାତିଲ କରାଯିବ । ସେହିପରି ଦିଲ୍ଲୀରୁ ନେୱାର୍କ ପର୍ଯ୍ୟନ୍ତ ଫ୍ଲାଇଟ୍କୁ ଏକ ମାସ (ମାର୍ଚ୍ଚ ୨୬ରୁ ଏପ୍ରିଲ ୨୯) ପର୍ଯ୍ୟନ୍ତ ବାତିଲ କରାଯିବ । ଆସନ୍ତା ମେ’ରେ ମୁମ୍ବାଇରୁ ଏୟାର ଇଣ୍ଡିଆର କୌଣସି ବିମାନ ନ୍ୟୁୟର୍କ ଉଡିବନି ବୋଲି ମଧ୍ୟ କୁହାଯାଇଛି । ସାଧାରଣତଃ ଗୋଟିଏ ସପ୍ତାହରେ ଏୟାର ଇଣ୍ଡିଆର ୪୭ଟି ଫ୍ଲାଇଟ୍ ଆମେରିକାକୁ ଯାତାୟାତ କରିଥାଏ ।
ଏଥିମଧ୍ୟରୁ ୧୭ଟି ସାନ୍ ଫ୍ରାନ୍ସିସ୍କୋକୁ, ୧୪ଟି ନ୍ୟୁୟର୍କକୁ, ୭ଟି ସିକାଗୋକୁ, ୬ଟି ନେୱାର୍କକୁ ଓ ୩ଟି ବିମାନ ଡୁଲେସ୍କୁ ଚଳାଚଳ କରିଥାଏ ।କ୍ରିଉ (ପାଇଲଟ୍ ଓ ଏୟାର ହୋଷ୍ଟେସ) ଅଭାବ ଯୋଗୁଁ ଏୟାର ଇଣ୍ଡିଆ କର୍ତ୍ତୃପକ୍ଷ ଦୁବାଇ ଓ ବ୍ୟାଙ୍କକ୍କୁ ବୋଇଙ୍ଗ୍ ୭୮୭ ବଦଳରେ ନ୍ୟାରୋ ବଡି (କମ ଆସନ ବିଶିଷ୍ଟ) ବିମାନ ଉଡାଇବାକୁ ନିଷ୍ପତ୍ତି ନେଇଛନ୍ତି । ୨୦୨୨ରେ ଟାଟା ଗ୍ରୁପ୍ ଏୟାର ଇଣ୍ଡିଆର ମାଲିକାନା ସ୍ୱତ୍ୱ ହାସଲ କରିଥିଲା । ବ୍ୟବସାୟ ବୃଦ୍ଧି କରିବାକୁ କମ୍ପାନୀ ଗୋଟିଏପଟେ ୪୫୦ ନୂଆ ବିମାନ କିଣିବାକୁ ବୋଇଙ୍ଗ୍ ଓ ଏୟାରବସ୍ କମ୍ପାନୀ ସହ ଚୁକ୍ତି ସ୍ୱାକ୍ଷର କରିଥିବାବେଳେ ଅନ୍ୟପଟରେ କର୍ମଚାରୀ (ଫ୍ଲାଇଙ୍ଗ୍ ଓ ନନ୍ ଫ୍ଲାଇଙ୍ଗ୍)ଙ୍କ ପାଇଁ ଦୁଇଥର ଲେଖାଏଁ ଭିଆରଏସ୍ (ସ୍ୱେଚ୍ଛାକୃତ ଅବସର) ଯୋଜନାକୁ କାର୍ଯ୍ୟକାରୀ କରିଛନ୍ତି । ତେବେ ଦ୍ୱିତୀୟ ଦଫା ଭିଆରଏସ୍ ଯୋଜନାରେ ପାଇଲଟ୍ ଓ କ୍ୟାବିନ କ୍ରିଉଙ୍କୁ ବାଦ ଦିଆଯାଇଛି ।