ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସି ଇମ୍ପାକ୍ଟ ଶିଖର ସମ୍ମିଳନୀ ତଥା ଏକ୍ସପୋ (ପ୍ରଦର୍ଶନୀ)କୁ ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରିଛନ୍ତି। ୭୦,୦୦୦ ବର୍ଗ ମିଟରରୁ ଅଧିକ ଅଞ୍ଚଳରେ ଆୟୋଜିତ ଏହି ମେଗା ଏଆଇ ଏକ୍ସପୋ ବା ପ୍ରଦର୍ଶନୀରେ ଭାରତର ଜିଓ ଇଣ୍ଟେଲିଜେନ୍ସ ଭଳି ପ୍ରାୟ ୩୦ ଦେଶର ୩୦୦ରୁ ଅଧିକ କମ୍ପାନୀ ସେମାନଙ୍କ ନବସୃଜନ(ଏଆଇ ଗ୍ୟାଜେଟ୍ ଏବଂ ପ୍ରଯୁକ୍ତିବିଦ୍ୟା)ଗୁଡ଼ିକୁ ପ୍ରଦର୍ଶନ କରିଥିବା ବେଳେ ପ୍ରଧାନମନ୍ତ୍ରୀ ଏସବୁକୁ ବୁଲି ଦେଖିବା ସହ ଅଂଶଗ୍ରହଣକାରୀ ଷ୍ଟାର୍ଟଅପ୍ମାନଙ୍କୁ ବେଶ୍ ପ୍ରଶଂସା କରିଛନ୍ତି। ପ୍ରଧାନମନ୍ତ୍ରୀ ମୋଦୀ ଏକ୍ସ’ରେ ଏକ ପୋଷ୍ଟ କରି ଲେଖିଛନ୍ତି, “ଆମେ ସାରା ବିଶ୍ୱର ଲୋକଙ୍କୁ ସ୍ୱାଗତ କରୁଛୁ। ଦିଲ୍ଲୀର ଭାରତ ମଣ୍ଡପମ୍ରେ ଆଜି ଇଣ୍ଡିଆ ଏଆଇ ଇମ୍ପାକ୍ଟ ଶିଖର ସମ୍ମିଳନୀ ଆରମ୍ଭ ହେଉଛି। ମୁଁ ଏହି ଶିଖର ସମ୍ମିଳନୀରେ ଅଂଶଗ୍ରହଣ କରିବାକୁ ଆସିଥିବା ବିଶ୍ୱର ନେତା, ପ୍ରମୁଖ ବ୍ୟବସାୟ ନେତା, ନବସୃଜନକାରୀ, ନୀତି ନିର୍ଦ୍ଧାରକ, ଗବେଷକ ଏବଂ ପ୍ରଯୁକ୍ତି ବିଶେଷଜ୍ଞମାନଙ୍କୁ ହୃଦୟର ସହିତ ସ୍ୱାଗତ କରୁଛି। ଏହି ଶିଖର ସମ୍ମିଳନୀର ବିଷୟବସ୍ତୁ ହେଉଛି “ସର୍ବଜନ ହିତାୟ, ସର୍ବଜନ ସୁଖାୟ’ ଯାହାର ଅର୍ଥ “ସମସ୍ତଙ୍କ ପାଇଁ ସୁଖ ସମ୍ବୃଦ୍ଧି କାମନା କରିବା’ ଏହା ମାନବତାର ପ୍ରଗତି ପାଇଁ କୃତ୍ରିମ ବୁଦ୍ଧିମତ୍ତା (ଏଆଇ) ବ୍ୟବହାର କରିବାର ଆମର ମିଳିତ ସଂକଳ୍ପକୁ ପ୍ରତିଫଳିତ କରେ।”
ନୂଆଦିଲ୍ଲୀର ଭାରତ ମଣ୍ଡପମ୍ଠାରେ ଆୟୋଜିତ ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସି ଇମ୍ପାକ୍ଟ ଶିଖର ସମ୍ମିଳନୀ ଆସନ୍ତା ୨୦ ତାରିଖ ପର୍ଯ୍ୟନ୍ତ ଚାଲିବ। ବିଶ୍ୱର ସର୍ବବୃହତ୍ ପ୍ରଯୁକ୍ତିବିଦ୍ୟା କାର୍ଯ୍ୟକ୍ରମ ମଧ୍ୟରୁ ଅନ୍ୟତମ ଏଆଇ ଇମ୍ପାକ୍ଟ ଶିଖର ସମ୍ମିଳନୀ ୨୦୨୬ କେବଳ ଏକ ପ୍ରଯୁକ୍ତିବିଦ୍ୟା କାର୍ଯ୍ୟକ୍ରମ ନୁହେଁ ବରଂ ଭାରତର ବର୍ଦ୍ଧିତ ବିଶ୍ୱ ଭୂମିକା ପାଇଁ ଏକ ପ୍ରମୁଖ ମଞ୍ଚ ମଧ୍ୟ ସାଜିବାକୁ ଯାଉଛି। ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ଅନୁଯାୟୀ, ଏହି ଶିଖର ସମ୍ମିଳନୀରେ ଅଂଶଗ୍ରହଣ କରିବା ପାଇଁ ସାରା ବିଶ୍ୱରୁ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ ଏବଂ ଅନ୍ତର୍ଜାତୀୟ ସଂଗଠନର ମୁଖ୍ୟମାନେ ଭାରତରେ ପହଞ୍ଚୁଛନ୍ତି। ଏହି ସମ୍ମିଳନୀରେ ସାମିଲ ହେବାକୁ ଥିବା ଅନ୍ତର୍ଜାତୀୟ ନେତାମାନଙ୍କ ମଧ୍ୟରେ ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ ମାକ୍ରନ, ଏଷ୍ଟୋନିଆ ରାଷ୍ଟ୍ରପତି ଆଲାର କାରିସ, ବୋଲିଭିଆ ଉପରାଷ୍ଟ୍ରପତି ଏଡମୁଣ୍ଡୋ ନୋଭିଲୋ, ଗୁଆନା ଉପରାଷ୍ଟ୍ରପତି ଭରତ ଜଗଦେଓ, ଶ୍ରୀଲଙ୍କା ରାଷ୍ଟ୍ରପତି ଅନୁରା କୁମାରା ଦିସାନାୟକେ ଏବଂ ସର୍ବିଆ ରାଷ୍ଟ୍ରପତି ଆଲେକଜାଣ୍ଡର ଭୁଚିଚ୍ଙ୍କ ଭଳି ବ୍ୟକ୍ତିତ୍ୱ ସାମିଲ ଅଛନ୍ତି। ଏହି ବ୍ୟକ୍ତିବିଶେଷ ୧୭ ତାରିଖରେ ଶିଖର ସମ୍ମିଳନୀରେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ସେହିପରି ୧୮ ତାରିଖରେ ମଧ୍ୟ ଫିନ୍ଲ୍ୟାଣ୍ଡ, ସ୍ପେନ୍, ମରିସସ୍, କ୍ରୋଏସିଆ ଭଳି ଦେଶର ପ୍ରଧାନମନ୍ତ୍ରୀଙ୍କ ସହ ସେଚେଲ୍ସର ଉପରାଷ୍ଟ୍ରପତି ଏବଂ ସ୍ଲୋଭାକିଆର ରାଷ୍ଟ୍ରପତି ମଧ୍ୟ ଯୋଗଦେବେ ବୋଲି ସୂଚନା ମିଳିଛି। ଏମାନଙ୍କ ବ୍ୟତୀତ ୟୁଏଇର କ୍ରାଉନ ପ୍ରିନ୍ସ ଖାଲେଦ୍ ବିନ୍ ମହମ୍ମଦ ବିନ ଜାଏଦ୍ ଅଲ ନାହ୍ୟାନ, ଆଇଏମଏଫର ମୁଖ୍ୟ କ୍ରିଷ୍ଟାଲିନା ଜର୍ଜିଭା, ନେଦରଲ୍ୟାଣ୍ଡସ୍ର ପ୍ରଧାନମନ୍ତ୍ରୀ ଡିକ ସ୍କୋଫ, ମିଳିତ ଜାତିସଂଘ ମହାସଚିବ ଆଣ୍ଟୋନିଓ ଗୁଟେରେସ, ଆର୍ମେନିଆ ପ୍ରଧାନମନ୍ତ୍ରୀ ନିକୋଲ ପାଶିନ୍ୟାନ, ଭୁଟାନ ପ୍ରଧାନମନ୍ତ୍ରୀ ଶେରିଂ ଟୋବଗେ, କାଜକ୍ସ୍ତାନ ପ୍ରଧାନମନ୍ତ୍ରୀ ଓଲଜାସ ବେକଟେନୋଭ ଏବଂ ବ୍ରାଜିଲ୍ ରାଷ୍ଟ୍ରପତି ଲୁଇଜ ଇନାସିୟ ଲୁଲା ଡା ସିଲଭାଙ୍କ ଭଳି ବିଶ୍ୱ ଏବଂ ଆଞ୍ଚଳିକ ସ୍ତରର ଅନେକ ପ୍ରମୁଖ ବ୍ୟକ୍ତି ମଧ୍ୟ ଦିଲ୍ଲୀରେ ପହଞ୍ଚିବେ। ଏଆଇକୁ କିପରି ସୁରକ୍ଷିତ ଏବଂ ବିଶ୍ୱସନୀୟ କରାଯିବ ସେସମ୍ପର୍କରେ ଆଲୋଚନା କରିବା ପାଇଁ ଜିପିଏଆଇ (ଗ୍ଲୋବାଲ୍ ପାର୍ଟନରସିପ୍ ଅନ୍ ଏଆଇ)ର ସଦସ୍ୟ ଦେଶଗୁଡ଼ିକର ପ୍ରତିନିଧିମାନେ ବୈଠକ କରିବେ।
ରିପୋର୍ଟ ଅନୁସାରେ ପ୍ରଧାନମନ୍ତ୍ରୀ ମୋଦୀ ଆସନ୍ତା ୧୯ ତାରିଖରେ ସିଇଓମାନଙ୍କ ସହ ସାକ୍ଷାତ କରିବେ। ଏହି ଦିନ ପ୍ରଧାନମନ୍ତ୍ରୀ ଉଦ୍ଘାଟନୀ ସମାରୋହକୁ ଆନୁଷ୍ଠାନିକ ଭାବରେ ସମ୍ବୋଧିତ କରିବା ସହ ଗୁଗୁଲ୍ ସିଇଓ ସୁନ୍ଦର ପିଚାଇ, ସାମ୍ ଅଲ୍ଟମ୍ୟାନ୍, ମୁକେଶ ଅମ୍ବାନୀ, ବିଲ୍ ଗେଟ୍ସ, ଏନ. ଚନ୍ଦ୍ରଶେଖରନ୍, ନନ୍ଦନ ନିଲେକାନୀଙ୍କ ସମେତ ୧୦୦ରୁ ଅଧିକ ବିଶ୍ୱସ୍ତରୀୟ ହାଇଟେକ୍ କମ୍ପାନୀର ମୁଖ୍ୟ ତଥା ସିଇଓମାନଙ୍କ ସହ ଏକ ଗୋଲ୍ ଟେବୁଲ ବୈଠକ କରିବେ। ଏହି ଅବସରରେ ଭାରତର ଏଆଇ କ୍ଷେତ୍ରରେ ପ୍ରମୁଖ ନିବେଶ ଏବଂ ରଣନୈତିକ ସହଭାଗୀତା ସମ୍ପର୍କରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯିବ। ଅନ୍ୟପକ୍ଷେ ଏହି ଶିଖର ସମ୍ମିଳନୀ ଏପରି ଏକ ସମୟରେ ଅନୁଷ୍ଠିତ ହେଉଛି ଯେତେବେଳେ କୃତ୍ରିମ ବୁଦ୍ଧିମତ୍ତା ବା ଏଆଇ ସମଗ୍ର ବିଶ୍ୱ ଅର୍ଥନୀତି, ସୁରକ୍ଷା, ଶାସନ ଏବଂ ଶିଳ୍ପକୁ ପରିବର୍ତ୍ତନ କରୁଛି। ଭାରତ ଏହି ମଞ୍ଚକୁ ବ୍ୟବହାର କରି ନିଜକୁ ଏଆଇ ନୀତି, ନବସୃଜନ ଏବଂ ବିଶ୍ୱ ସହଯୋଗର କେନ୍ଦ୍ରରେ ସ୍ଥାନିତ କରିବାକୁ ଲକ୍ଷ୍ୟ ରଖିଛି। ଅନ୍ୟପକ୍ଷେ ଉପରୋକ୍ତ ନେତାମାନଙ୍କର ଉପସ୍ଥିତି ୟୁରୋପ, ଲାଟିନ ଆମେରିକା ଏବଂ ଦକ୍ଷିଣ ଏସିଆରେ ଭାରତ ସହିତ ଏଆଇ ସହଯୋଗ ପ୍ରତି ଦୃଢ଼ ଆଗ୍ରହକୁ ମଧ୍ୟ ପ୍ରଦର୍ଶିତ କରୁଛି। ସୁତରାଂ ଏହି ଶିଖର ସମ୍ମିଳନୀ ଭାରତର ଡିଜିଟାଲ କ୍ଷମତା, ନୀତି ନିର୍ଦ୍ଧାରଣରେ ଭୂମିକା ଏବଂ ପ୍ରଯୁକ୍ତିବିଦ୍ୟା କୂଟନୀତିକୁ ମଜବୁତ କରିବାର ଏକ ସୁଯୋଗ ମଧ୍ୟ ପାଲଟିଛି।










