ମୁମ୍ବାଇ: ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଚାରି ମ୍ୟାଚ୍ ବିଶିଷ୍ଟ ବର୍ଡର-ଗାଭାସ୍କର ଟ୍ରଫିର ଚତୁର୍ଥ ତଥା ଅନ୍ତିମ ମ୍ୟାଚ୍ ମାର୍ଚ୍ଚ ୯ ତାରିଖରୁ ଅହମ୍ମଦାବାଦରେ ଖେଳାଯିବ । ସିରିଜ୍ର ଏହି ମ୍ୟାଚ୍ ଟିମ୍ ଇଣ୍ଡିଆ ପାଇଁ ବହୁ ଗୁରୁତ୍ୱପୂର୍ଣ୍ଣ । ଡବ୍ଲ୍ୟୁଟିସି ଫାଇନାଲ୍ରେ ସିଧା ପ୍ରବେଶ ପାଇଁ ଯେକୌଣସି ପ୍ରକାରେ ଭାରତକୁ ଏହି ମ୍ୟାଚ୍ ଜିତିବାକୁ ହେବ । ଅହମ୍ମଦାବାଦରେ ଖେଳାଯିବାକୁ ଥିବା ଏହି ମ୍ୟାଚ୍ରେ ସ୍ପିନ୍ ପିଚ୍ ନିର୍ମାଣ କରାଯିବ ନାହିଁ ବୋଲି କୁହାଯାଉଛି । ଏହାକୁ ଦୃଷ୍ଟିରେ ରଖି କ୍ୟାପ୍ଟେନ୍ ରୋହିତ ଶର୍ମା ଚୂଡ଼ାନ୍ତ ଏକାଦଶରେ କେତେକ ପରିବର୍ତ୍ତନ କରିପାରନ୍ତି । ମ୍ୟାଚ୍ରେ ସେ ଏପରି ଜଣେ ଖେଳାଳିଙ୍କୁ ସୁଯୋଗ ଦେଇପାରନ୍ତି, ଯିଏ ଅଷ୍ଟ୍ରେଲିଆ ପାଇଁ ଘାତକ ସାବ୍ୟସ୍ତ ହୋଇପାରିବେ । ଏପରି ସ୍ଥିତିରେ ଶମୀଙ୍କୁ ଚୂଡ଼ାନ୍ତ ଏକାଦଶରେ ସାମିଲ କରାଯିବା ସମ୍ଭାବନା ସୃଷ୍ଟି ହୋଇଛି । ଶମୀଙ୍କ ୱାର୍କରୋଡ୍ ମ୍ୟାନେଜମେଣ୍ଟ୍ କାରଣରୁ ଇନ୍ଦୋର ଟେଷ୍ଟ୍ରେ ବିଶ୍ରାମ ଦିଆଯାଇଥିଲା । ତାଙ୍କ ସ୍ଥାନରେ ଉମେଶ ଯାଦବ ଚୂଡ଼ାନ୍ତ ଏକାଦଶରେ ସାମିଲ ହୋଇଥିଲେ ।