ନୂଆଦିଲ୍ଲୀ: କିଛିଦିନର ବ୍ୟବଧାନ ପରେ ପୁଣି ଏଲ୍ଏସିରେ ଉତ୍ପାତ ଆରମ୍ଭ କରିଛି ଚୀନ । ବାସ୍ତବିକ ନିୟନ୍ତ୍ରଣ ରେଖାରେ ଚୀନର ଚାଲବାଜୀ ଦେଖିବାକୁ ମିଳିଛି । ଲଦାଖରେ ଡ୍ରାଗନ ସୈନ୍ୟମାନେ ନିୟନ୍ତ୍ରର ରେଖା ଡେଇଁ ଅନୁପ୍ରବେଶ କରିଥିବା ଜଣାପଡ଼ିଛି । ପୂର୍ବରୁ ଜାନୁଆରୀ ୨୬ରେ ଜଣେ ଚୀନ ନାଗରିକ ସୀମା ଡେଇଁ ଭାରତରେ ଅନୁପ୍ରବେଶ କରିବାକୁ ଉଦ୍ୟମ କରିଥିଲା । ତେବେ ଭାରତୀୟ ସେନା ଓ ଆଇଟିବିପିର ଯବାନମାନେ ସଂପୃକ୍ତ ବ୍ୟକ୍ତିଙ୍କୁ କାବୁ କରିଥିଲେ । ତାଙ୍କୁ ପଚରାଉଚୁରାବେଳେ ସେ କହିଥିଲା ଯେ, ହଜି ଯାଇଥିବା ଗାଈକୁ ଖୋଜିବା ପାଇଁ ଆସିଛି । ଏହି ଭିଡିଓ ଭାଇରାଲ ହୋଇଥିବାବେଳେ ଏବେ ପୁଣି ଏକ ଭିଡିଓ ସାମନାକୁ ଆସିଛି । ଉରାଗେନ ଛେଦାନ ନାମକ ଜଣେ ବ୍ୟକ୍ତି ଟୁଇଟ୍ କରି କହିଛନ୍ତି ଯେ, ଗତମାସ ୨୮ ତାରିଖରେ ଚୀନ ସେନା ଭାରତୀୟ ସୀମାରେ ଅନୁପ୍ରବେଶ କରିଥିଲେ ଏବଂ ଗୃହପାଳିତ ପଶୁଙ୍କୁ ଚରିବାକୁ ଦେଇନଥିଲେ । ତେବେ ଭାରତୀୟ ପ୍ରତିରକ୍ଷା ବିଭାଗ ପକ୍ଷରୁ ଏନେଇ ଏକ ବିବୃତିରେ କୁହାଯାଇଛି ଯେ ଭାଇରାଲ ହୋଇଥିବା ଭିଡିଓଟି ପୁରୁଣା ଓ ଗ୍ରୀଷ୍ମ ଋତୁରେ ରେକର୍ଡ କରାଯାଇଛି । କାରଣ ଭିଡିଓରେ ବରଫ ଆଦୌ ଦେଖିବାକୁ ମିଳୁନାହିଁ । ସୂଚନାଯୋଗ୍ୟ ଯେ ଗତ ଦୁଇବର୍ଷ ହେବ ଭାରତ ଏବଂ ଚୀନ ମଧ୍ୟରେ ଏଲଏସିରେ ଉତ୍ତେଜନାମୂଳକ ସ୍ଥିତି ଲାଗିରହିଛି । ଅବଶ୍ୟ ଉଭୟ ପକ୍ଷ ମଧ୍ୟରେ ଏନେଇ ବାରମ୍ବାର ଆଲୋଚନା କରାଯାଉଛି । ଗତ ଜାନୁଆରୀ ୧୨ ତାରିଖରେ ଭାରତ ଓ ଚୀନ ସେନା ମଧ୍ୟରେ କମାଣ୍ଡରସ୍ତରୀୟ ବୈଠକ ଅନୁଷ୍ଠିତ ହୋଇ ଶାନ୍ତିପୂର୍ଣ୍ଣ ଭାବେ ମାମଲାର ସମାଧାନ ନିମନ୍ତେ ଉଭୟ ପକ୍ଷ ସହମତ ହୋଇଥିଲେ ।