ନୂଆଦିଲ୍ଲୀ: ୨୦୨୪ ଲୋକସଭା ନିର୍ବାଚନ କେବେ ହେବ, ନିର୍ବାଚନ ଆୟୋଗ କେବେ ଏସମ୍ପର୍କୀତ ତାରିଖ ଘୋଷଣା କରିବେ ସେନେଇ ସମସ୍ତଙ୍କ ଉତ୍କଣ୍ଠା ରହିଛି । କିନ୍ତୁ ଏସବୁ ମଧ୍ୟରେ ଦିଲ୍ଲୀ ନିର୍ବାଚନ କମିଶନଙ୍କ ପକ୍ଷରୁ ଜାରି ଏକ ନୋଟିଫିକିସେନ୍ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ଏପ୍ରିଲ୍ ୧୬ତାରିଖରେ ସାଧାରଣ ନିର୍ବାଚନ ଅନୁଷ୍ଠିତ ହେବା ନେଇ ଦେଶବାସୀଙ୍କ ମଧ୍ୟରେ ଚର୍ଚ୍ଚା ଆରମ୍ଭ ହୋଇଯାଇଛି । ତେବେ ଏସମ୍ପର୍କରେ ସ୍ପଷ୍ଟୀକରଣ ଦେବାକୁ ଆଗେଇ ଆସିଛନ୍ତି ଦିଲ୍ଲୀ ନିର୍ବାଚନ ଆୟୋଗ ।
ଆୟୋଗଙ୍କ ପକ୍ଷରୁ ଦିଆଯାଇଥିବା ସ୍ପଷ୍ଟୀକରଣ ଅନୁସାରେ ଏହି ନୋଟିଫିକେସନ୍ରେ ଉଲ୍ଲେଖ କରାଯାଇଥିବା ତାରିଖ (ଏପ୍ରିଲ୍ ୧୬) କେବଳ ନିର୍ବାଚନ ଅଧିକାରୀମାନଙ୍କ ରେଫରେନ୍ସ ପାଇଁ ଉଦ୍ଦିଷ୍ଟ ଥିଲା । ଯାହାଦ୍ୱାରା ଭାରତୀୟ ନିର୍ବାଚନ ଆୟୋଗଙ୍କ ନିର୍ବାଚନ ଯୋଜନା ଅନୁସାରେ ନିର୍ବାଚନ ସମ୍ପର୍କୀତ ବ୍ଲୁପ୍ରିଣ୍ଟ ପ୍ରସ୍ତୁତି ତଥା ଅନ୍ୟାନ୍ୟ କାର୍ଯ୍ୟାବଳୀ ସମ୍ପର୍କୀତ ପ୍ରସ୍ତୁତି ଶେଷ କରିବା ଉଦ୍ଦେଶ୍ୟରେ ଅଧିକାରୀମାନଙ୍କୁ ଏକ ତାରିଖ ସମ୍ଭାବ୍ୟ ଭୋଟ୍ ତାରିଖ ଭାବେ ସୂଚୀତ କରାଯାଇଥିଲା । ଏହି ସମୟସୀମାକୁ ପାଳନ କରିବା ସର୍ତ୍ତରେ କେବଳ ଦିଲ୍ଲୀର ୧୧ ଜିଲ୍ଲା ନିର୍ବାଚନ ଅଧିକାରୀଙ୍କୁ ଏହି ବିଜ୍ଞପ୍ତି ଜାରି କରାଯାଇଥିଲା । ସୁତରାଂ ଭାଇରାଲ ହେଉଥିବା ନୋଟିଫିକେସନ୍କୁ ନେଇ ବିଭ୍ରାନ୍ତିକର ମତାମତ ଦିଆଯିବା ଏବଂ ଚର୍ଚ୍ଚା କରାଯିବା ଉଚିତ୍ ନୁହେଁ ।
ଅନ୍ୟପକ୍ଷେ ଦିଲ୍ଲୀ ନିର୍ବାଚନ ଆୟୋଗଙ୍କ ଏପ୍ରକାର ବିଜ୍ଞପ୍ତି ଭାଇରାଲ୍ ହେବା ଏବଂ ଏସମ୍ପର୍କରେ ଭାରତୀୟ ନିର୍ବାଚନ ଆୟୋଗଙ୍କୁ ସ୍ପଷ୍ଟୀକରଣ ଦେବାକୁ ପଡିବା ମଧ୍ୟରେ ଆସନ୍ତା ଏପ୍ରିଲ୍ ମାସରେ ସାଧାରଣ ନିର୍ବାଚନ ସମ୍ପର୍କରେ ବିଜ୍ଞପ୍ତି ପ୍ରକାଶ ପାଇପାରେ ବୋଲି ଆଶା କରାଯାଉଛି । କାରଣ ଏହି ସମୟ ସୁଦ୍ଧା ୧୭ତମ ଲୋକସଭା ମଧ୍ୟ ଶେଷ ହେବାକୁ ଯାଉଛି ।