29.1 C
Bhubaneswar
Friday, October 18, 2024
Homeଖେଳଏଏଫ୍‌ସି ଅଣ୍ଡର୍‌-୧୭ ଏସିଆନ୍ କପ୍‌; ଆଜି ଭାରତର ଜାପାନ ବିପକ୍ଷ ‘କର ବା ମର’ ମ୍ୟାଚ୍‌

ଏଏଫ୍‌ସି ଅଣ୍ଡର୍‌-୧୭ ଏସିଆନ୍ କପ୍‌; ଆଜି ଭାରତର ଜାପାନ ବିପକ୍ଷ ‘କର ବା ମର’ ମ୍ୟାଚ୍‌

ବ୍ୟାଙ୍କକ୍‌: ଏଠାରେ ଚାଲିଥିବା ଏଏଫ୍‌ସି ଅଣ୍ଡର୍‌-୧୭ ଏସିଆନ୍ କପ୍ ଫୁଟବଲ୍ ଚାମ୍ପିଅନ୍‌ଶିପ୍‌ରେ ଶୁକ୍ରବାର ଭାରତ ତା’ର ଅନ୍ତିମ ଲିଗ୍ ମ୍ୟାଚ୍‌ରେ ଜାପାନକୁ ଭେଟିବ । ଏଠାକାର ରାଜମଙ୍ଗଳା ଷ୍ଟାଡିୟମ୍‌ଠାରେ ଖେଳାଯିବାକୁ ଥିବା ଏହି ମ୍ୟାଚ୍‌ଟି ଭାରତ ପାଇଁ ବିଶେଷ ଭାବେ ଗୁରୁତ୍ୱପୂର୍ଣ୍ଣ । କାରଣ ଦଳ କ୍ୱାର୍ଟର୍ ଫାଇନାଲ୍‌ରେ ପହଞ୍ଚିବାକୁ ହେଲେ ଏହି ମ୍ୟାଚ୍‌ଟିକୁ ନିଶ୍ଚିତ ଭାବେ ଜିତିବାକୁ ପଡ଼ିବ । ଏହାଛଡ଼ା ଭିଏତ୍‌ନାମ ବିପକ୍ଷ ମ୍ୟାଚ୍‌କୁ ଉଜ୍‌ବେକିସ୍ତାନର ଅତି କମ୍‌ରେ ଡ୍ର’ ରଖିବା ମଧ୍ୟ ଭାରତ ପାଇଁ ଜରୁରୀ ।

ଗ୍ରୁପ୍‌-ଡି’ରେ ସାମିଲ୍ ଥିବା ୪ଟି ଦଳ ମଧ୍ୟରୁ କ୍ୱାର୍ଟର୍‌ରେ ପହଞ୍ଚିବା ସକାଶେ ଭାରତ ପାଇଁ ବିଶେଷ ଭାବେ କଷ୍ଟସାଧ୍ୟ ପରିସ୍ଥିତି ଉପୁଜିଛି । ତେବେ ଧାର୍ଯ୍ୟ ରଣନୀତିକୁ ପଡ଼ିଆରେ ସଠିକ୍ ଭାବେ କାର୍ଯ୍ୟକାରୀ କରିପାରିଲେ, ଦଳ ନିଶ୍ଚିତ ଭାବେ କ୍ୱାର୍ଟର୍‌ରେ ପହଞ୍ଚିପାରିବ ବୋଲି ଦଳର ମୁଖ୍ୟ କୋଚ୍ ବିବିୟାନୋ ଫର୍ଣ୍ଣାଣ୍ଡେଜ୍ ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି । ସେ କହିଛନ୍ତି ଯେ ଜାପାନ ବିପକ୍ଷ ମ୍ୟାଚ୍ ଜିତିଲେ, ଆମ ପାଖରେ କ୍ୱାର୍ଟର୍‌ରେ ପହଞ୍ଚିବା ସହଜ ହୋଇଯିବ ।

କିନ୍ତୁ ଜାପାନ ବିପକ୍ଷ ମ୍ୟାଚ୍‌ରେ ଜିତିବା ପାଇଁ ଆମକୁ ଯଥେଷ୍ଟ ପରିଶ୍ରମ କରିବାକୁ ପଡ଼ିବ । କାରଣ ଏହା ଅଦ୍ୟାବଧି ପ୍ରତିଯୋଗିତାର ଶ୍ରେଷ୍ଠ ଦଳ ସାବ୍ୟସ୍ତ ହୋଇଛି । ତା’ଛଡ଼ା ଦଳ ଡିଫେଣ୍ଡିଂ ଚାମ୍ପିଅନ୍ ହୋଇଥିବାରୁ ଆମ ପାଇଁ ବିଜୟ ସହଜ ହେବ ନାହିଁ । କିନ୍ତୁ ଏହା ଯେ ଅସମ୍ଭବ ବ୍ୟାପାର ନୁହେଁ, ତା’ ମଧ୍ୟ ମନେ ରଖିବାକୁ ହେବ । ମ୍ୟାଚ୍‌ରେ ଜାପାନର ପଲା ଯଦିଓ ଭାରୀ ରହିବ, ତଥାପି ଗୋଟିଏ ଦୁଇଟି ସୁଯୋଗର ଫାଇଦା ନେଇପାରିଲେ, ଆମେ ଇପ୍‌ସିତ ଫଳାଫଳ ପାଇପାରିବୁ ବୋଲି ଫର୍ଣ୍ଣାଣ୍ଡେଜ୍ କହିଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି ଯେ କ୍ୱାର୍ଟର୍ ଫାଇନାଲ୍ ପାଇଁ ପଥ ଯଦିଓ ବନ୍ଧୁର ରହିଛି, ତଥାପି ଦଳର ଖେଳାଳିମାନେ ଜାପାନ ବିପକ୍ଷରେ ଭଲ ପ୍ରଦର୍ଶନ ପାଇଁ ବେଶ୍ ବ୍ୟଗ୍ର ଅଛନ୍ତି । ଏସିଆର ଏକ ଶ୍ରେଷ୍ଠ ଦଳ ବିପକ୍ଷରେ ଖେଳିବାର ସୁଯୋଗ ମିଳିଥିବାରୁ ସେମାନେ ଏହାର ଭରପୂର ଫାଇଦା ଉଠାଇବା ଲକ୍ଷ୍ୟ ନେଇ ପଡ଼ିଆକୁ ଓହ୍ଲାଇବେ ।

ଖେଳାଳିମାନେ ନିଜର ଆତ୍ମବିଶ୍ୱାସକୁ ଦୃଢ଼ ରଖିଲେ, ମ୍ୟାଚ୍‌ର ଫଳାଫଳ ଆମ ସପକ୍ଷରେ ଯିବ ବୋଲି କୋଚ୍ ଆଶା କରିଛନ୍ତି । ଚଳିତ ପ୍ରତିଯୋଗିତାରେ ଅଦ୍ୟାବଧି ଭାରତ ଦୁଇଟି ମ୍ୟାଚ୍ ଖେଳିସାରିଥିଲେ ମଧ୍ୟ ଆଦୌ ବିଜୟୀ ହୋଇପାରିନାହିଁ । ଦଳ ଭିଏତ୍‌ନାମ ବିପକ୍ଷ ପ୍ରଥମ ମ୍ୟାଚ୍‌କୁ ୧-୧ରେ ଡ୍ର’ ରଖିଥିବା ବେଳେ ଦ୍ୱିତୀୟ ମ୍ୟାଚ୍‌ରେ ଉଜ୍‌ବେକିସ୍ତାନଠାରୁ ୦-୧ରେ ପରାସ୍ତ ହୋଇଛି । ତେବେ ଗତ ଦୁଇଟି ମ୍ୟାଚ୍‌ରେ ଯେଉଁସବୁ କ୍ଷେତ୍ରରେ ଦଳର ଖେଳାଳିମାନେ ତ୍ରୁଟି କରିଥିଲେ, ସେସବୁକୁ ସୁଧାରିନେବା ସକାଶେ କୋଚ୍ ଉଦ୍ୟମ କରିଛନ୍ତି ।

ଏନେଇ ଫର୍ଣ୍ଣାଣ୍ଡେଜ୍ କହିଛନ୍ତି ଯେ ଗତ ମ୍ୟାଚ୍‌ର ଫଳାଫଳ ଆମ ପାଇଁ ନୈରାଶ୍ୟଜନକ ଥିଲା । ଅବଶ୍ୟ ଖେଳାଳିମାନେ ସେମାନଙ୍କ ଶ୍ରେଷ୍ଠତା ପ୍ରଦର୍ଶନ ପାଇଁ ଉଦ୍ୟମ କରିଥିଲେ । ଏସବୁ ଦୃଷ୍ଟିକୋଣରୁ ଜାପାନ ବିପକ୍ଷରେ ଆମକୁ କଠିନ ପରିଶ୍ରମ କରିବାକୁ ପଡ଼ିବ । ଖେଳାଳିମାନେ ପରସ୍ପର ସହ ଉତ୍ତମ ତାଳମେଳ ରଖି ଖେଳିବା ସହ ରଣନୀତିର ସଠିକ୍ ଉପଯୋଗ କରିବାର ଆବଶ୍ୟକତା ରହିଛି ବୋଲି କୋଚ୍ କହିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking