ନୂଆଦିଲ୍ଲୀ : ଆସନ୍ତା ୨୦୨୭ରେ ଖେଳାଯିବାକୁ ଥିବା ଏଏଫ୍ସି ଏସିଆନ୍ କପ୍ର ଆୟୋଜକ ଦୌଡ଼ରେ ଭାରତ ଓ ସାଉଦି ଆରବ ଥିବା ବେଳେ ସୋମବାର ଭାରତ ଏଥିରୁ ଓହରିଯାଇଛି । ତେଣୁ ଏହି ଟୁର୍ଣ୍ଣାମେଣ୍ଟ୍ଟି ବସ୍ତୁତଃ ସାଉଦି ଆରବରେ ଅନୁଷ୍ଠିତ ହେବାର ସମ୍ଭାବନା ରହିଛି । ଏହି ଟୁର୍ଣ୍ଣାମେଣ୍ଟ୍ ଆୟୋଜନ ପାଇଁ ଆବେଦନ କରିଥିବା ଦେଶ ମଧ୍ୟରୁ ଗତ ଅକ୍ଟୋବରରେ ଏସିଆନ୍ ଫୁଟବଲ୍ କନ୍ଫେଡେରେସନ୍ (ଏଏଫ୍ସି) କାର୍ଯ୍ୟନିର୍ବାହୀ କମିଟି ପକ୍ଷରୁ ଟୁର୍ଣ୍ଣାମେଣ୍ଟ୍ ଆୟୋଜନ ପାଇଁ ଆଗ୍ରହ ଦେଖାଇଥିବା ଦେଶର କ୍ଷୁଦ୍ର ତାଲିକା ପ୍ରସ୍ତୁତ କରାଯାଇଥିଲା । ୨୦୨୩ ଏସିଆ କପ୍ ଆୟୋଜନ ଅଧିକାର ହାସଲ କରିବା ପରେ ୨୦୨୭ ସଂସ୍କରଣର ଆୟୋଜନ ପାଇଁ କତାର ଆଉ ଆଗ୍ରହ ଦେଖାଇ ନଥିଲା । ତେଣୁ ଦୌଡ଼ରେ କେବଳ ଭାରତ ଓ ସାଉଦି ଆରବ ରହିଯାଇଥିଲେ । ଆସନ୍ତା ବର୍ଷ ଫେବୃଆରୀରେ ଅନୁଷ୍ଠିତ ହେବାକୁ ଥିବା ଏଏଫ୍ସି କଂଗ୍ରେସରେ ୨୦୨୭ ସଂସ୍କରଣର ଆୟୋଜକ ଅଧିକାର ପ୍ରଦାନ ଉପରେ ଚୂଡ଼ାନ୍ତ ନିଷ୍ପତ୍ତି ହେବ । ଦେଶରେ ଫୁଟବଲ୍ର ବିକାଶ ପାଇଁ ଉପଯୁକ୍ତ ଭିତ୍ତିଭୂମି ପ୍ରସ୍ତୁତି ଉଦ୍ଦେଶ୍ୟରେ ଭାରତ ୨୦୨୭ ଏଏଫ୍ସି ଏସିଆନ୍ କପ୍ ଆୟୋଜକ ଦୌଡ଼ରୁ ଓହରିଯାଇଥିବା ସର୍ବଭାରତୀୟ ଫୁଟବଲ୍ ମହାସଂଘ (ଏଆଇଏଫ୍ଏଫ୍) ସଭାପତି କଲ୍ୟାଣ ଚୌବେ କହିଛନ୍ତି ।