ଭୁବନେଶ୍ୱର: ଆଉ ପାଦେ ଆଗେଇଲା ଇସ୍ରୋର ସୂର୍ଯ୍ୟ ମିଶନ । ସଫଳତା ଭାବେ ଦ୍ବିତୀୟ ଥର କକ୍ଷପଥ ପରିବର୍ତ୍ତନ କଲା ‘ଆଦିତ୍ୟ ଏଲ୍-୧’ । ରାତି ୨ଟା ୪୫ ମିନିଟରେ ‘ଆଦିତ୍ୟ ଏଲ୍-୧’ ଦ୍ବିତୀୟ ଥର ପାଇଁ ନିଜ କକ୍ଷ ପଥ ପରିବର୍ତ୍ତନ କରିଥିବା ଟ୍ବିଟ୍ କରି ସୂଚନା ଦେଇଛି ଇସ୍ରୋ । ଏହା ଠିକ ଭାବେ କାମ କରୁଥିବା ବେଳେ ୧୦ ତାରିଖ ରାତି ସାଢ଼େ ୨ଟାରେ ତୃତୀୟ ଥର କକ୍ଷ ପରିବର୍ତ୍ତନ କରିବ ବୋଲି ମଧ୍ୟ ଇସ୍ରୋ ପକ୍ଷରୁ ସୂଚନା ଦିଆଯାଇଛି ।
ଏହି କକ୍ଷ ପରିବର୍ତ୍ତନ ଦ୍ବାରା ସୂର୍ଯ୍ୟ ଅଭିମୁଖେ ବଡ ଲମ୍ଫ ମାରିବାକୁ ତୟାର ହେଉଛି ‘ଆଦିତ୍ୟ ଏଲ୍-୧’ । ମହାକାଶରେ ୧୫ ଲକ୍ଷ କିଲୋମିଟର ଯାତ୍ରା କରି ନିଜର ନିର୍ଦ୍ଧାରିତ ସ୍ଥାନରେ ପହଞ୍ଚିବାକୁ ଏଭଳି କକ୍ଷ ପରିବର୍ତ୍ତନ କରାଯାଉଛି । ତେବେ ଲାଗରେଞ୍ଜ ପଏଣ୍ଟରେ ପହଞ୍ଚିବାକୁ ଏହାକୁ ମୋଟ ୧୨୫ ଦିନ ସମୟ ଲାଗିବ । ଏହାପରେ ସେଠାରେ ରହି ସୂର୍ଯ୍ୟଙ୍କ ଉପରେ ଗବେଷଣା କରିବ ‘ଆଦିତ୍ୟ ଏଲ୍-୧’ ।