ଚଣ୍ଡିଗଡ଼: ବଲିଉଡ ଅଭିନେତା ତଥା ସମାଜସେବୀ ସୋନୁ ସୁଦଙ୍କୁ ପଞ୍ଜାବ ଆଇକନ୍ ପଦରୁ ହଟାଯାଇଛି । ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ଏହି ସୂଚନା ଦେଇଛନ୍ତି । ସୋନୁ ନିଜେ ନିଜ ଇଚ୍ଛାରେ ଏହି ପଦରୁ ଓହରିଯାଇଥିବା ସେ କହିଛନ୍ତି । ପରିବାରର ଜଣେ ସଦସ୍ୟ ଆଗାମୀ ନିର୍ବାଚନରେ ସାମିଲ ହେଉଥିବାରୁ ସେ ଏପରି ନିଷ୍ପତ୍ତି ନେଇଥିବା କହିଛନ୍ତି । ବର୍ଷକ ପୂର୍ବରୁ ପଞ୍ଜାବ ନିର୍ବାଚନ କମିଶନ୍ ସୋନୁ ସୁଦଙ୍କୁ ପଞ୍ଜାବ ‘ଆଇକନ’ ଭାବେ ନିଯୁକ୍ତ କରିଥିଲେ । ହେଲେ ଏହି ପଦରୁ ଜାନୁଆରି ୪ ତାରିଖରେ ଓହରି ଯାଇଛନ୍ତି ନିର୍ବାଚନ କମିଶନ । ଗତ ନଭେମ୍ବର ମାସରେ ରାଜନୀତିରେ ସୋନୁଙ୍କ ପ୍ରବେଶକୁ ନେଇ ଚର୍ଚ୍ଚା ହେଉଥିବାବେଳେ ଏହାକୁ ପ୍ରତ୍ୟାଖ୍ୟାନ କରିଥିଲେ ସୋନୁ ସୁଦ । ଆଉ କହିଥିଲେ ସେ ନୁହଁନ୍ତି ବରଂ ତାଙ୍କ ଭଉଣୀ ରାଜନୀତି ଦୌଡରେ ଭାଗନେବେ ।
କରୋନାର ପୂର୍ବ ଲହର ମାନଙ୍କରେ ଦେଶରେ ହଇଚଇ ସୃଷ୍ଟିି ହୋଇଥିବାବେଳେ ସୋନୁ ସୁଦଙ୍କ ଅବଦାନ ଅତୁଳନୀୟ ଥିଲା । ଦୂରଦୂରାନ୍ତରୁ ସ୍ଥାନାନ୍ତରିତ ହେଉଥିବା ଲୋକଙ୍କୁ ଘରେ ପହଞ୍ଚାଇବାର ବ୍ୟାପକ ବ୍ୟବସ୍ଥା କରିଥିଲେ ସୋନୁ । କରେନାରେ ଜୀବିକା ହରାଇ ସମସ୍ୟାରେ ଥିବା ଲୋକଙ୍କ ପାଖରେ ସୋନୁ ଅବଶ୍ୟକୀୟ ସୁବିଧା ଯୋଗାଇଦେଇଥିଲେ । ସେଥିପାଇଁ ଲୋକେ ତାଙ୍କୁ ଦେବଦୂତ ବୋଲି ଆଖ୍ୟା ଦେଇଥିଲେ । ଏହାପରେ ପଞ୍ଜାବ ସରକାର ସୋନୁ ସୁଦଙ୍କୁ ରାଜ୍ୟର ଆଇକନ ଭାବେ ନିଯୁକ୍ତ କରିଥିଲେ । ହେଲେ ଭଉଣୀର ରାଜନୀତିରେ ପ୍ରବେଶ ପରେ ତାଙ୍କୁ ଏହି ପଦ ଛାଡିବାକୁ ପଡିଛି । ସୂଚନା ମୁତାବକ, ସୋନୁଙ୍କ ଭଉଣୀ ମାଲବିକା କଂଗ୍ରେସରେ ଯୋଗ ଦେଇଛନ୍ତି । ଏଥିପାଇଁ ସେ ରାଲି କରିବା ସହ ସଭାରେ ମଧ୍ୟ ଯୋଗ ଦେବା ଆରମ୍ଭ କଲେଣି ।