19.1 C
Bhubaneswar
Friday, November 22, 2024
Homeଓଡିଶାହାଇକୋର୍ଟରେ ଏସିଏଫ୍ ସୌମ୍ୟରଞ୍ଜନ ମୃତ୍ୟୁ ମାମଲା

ହାଇକୋର୍ଟରେ ଏସିଏଫ୍ ସୌମ୍ୟରଞ୍ଜନ ମୃତ୍ୟୁ ମାମଲା

କଟକ: ଏସିଏଫ୍ ସୌମ୍ୟରଞ୍ଜନ ମୃତ୍ୟୁ ମାମଲାରେ ପତ୍ନୀ ବିଦ୍ୟାଭାରତୀଙ୍କ ଗିରଫଦାରୀ ଉପରେ ହାଇକୋର୍ଟ ଆଜି ରୋକ ଲଗାଇଛନ୍ତି । ପାରଳାଖେମୁଣ୍ଡି ଏସ୍‌ଡିଜେଏମ୍ କୋର୍ଟ ବିଦ୍ୟାଭାରତୀଙ୍କ ନାମରେ ଜାମିନ ବିହୀନ ଗିରଫ ପରୱାନା (ଏନବିଡବ୍ଲ୍ୟୁ) ଜାରି କରିଥିବା ବେଳେ ସେ ଫେରାର ଥିଲେ । ହେଲେ ବିଦ୍ୟାଭାରତୀ ତଳକୋର୍ଟ ନିର୍ଦ୍ଦେଶକୁ ଚ୍ୟାଲେଞ୍ଜ କରି ହାଇକୋର୍ଟକୁ ଆସିଥିଲା ବେଳେ ତାଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କରିବା ପାଇଁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ ଜୁଲାଇ ୨୭ ତାରିଖକୁ ଧାର୍ଯ୍ୟ ହୋଇଛି । ସୂଚନା ଅନୁସାରେ, ପାରଳାଖେମୁଣ୍ଡି ଏସିଏଫ୍ ସୌମ୍ୟରଞ୍ଜନ ମହାପାତ୍ରଙ୍କ ମୃତ୍ୟୁ ମାମଲାରେ ୩ ଅଭିଯୁକ୍ତଙ୍କ ନାମରେ ପାରଳାଖେମୁଣ୍ଡି ଏସଡିଜେଏମ୍ କୋର୍ଟ ଜାମିନବିହୀନ ଗିରଫ ପରୱାନା (ଏନ୍‌ବିଡବ୍ଲ୍ୟୁ) ଜାରି କରିଥିଲେ । ବିଦ୍ୟାଭାରତୀ, ଡିଏଫ୍‌ଓ ସଂଗ୍ରାମ କେଶରୀ ବେହେରା ଓ ରୋଷେୟା ମନ୍ମଥ କୁମ୍ଭଙ୍କ ବିରୋଧରେ ଏହି ଏନବିଡବ୍ଲ୍ୟୁ ଜାରି ହୋଇଛି । ପୁଲିସ ସୌମ୍ୟରଞ୍ଜନଙ୍କ ପତ୍ନୀ ବିଦ୍ୟାଭାରତୀ ପଣ୍ଡାଙ୍କୁ ଗିରଫ କରିବା ପାଇଁ ଖୋଜୁଥିଲେ ବି ପତ୍ତା ପାଉନଥିଲା ।

ପାରଳାଖେମୁଣ୍ଡି ଏସ୍‌ଡିଜେଏମ୍‌ଙ୍କ କୋର୍ଟରୁ ସମନ ପରେ ପୁଲିସ ଟିମ୍ ୨ ଦିନ ପୂର୍ବେ ବିଦ୍ୟାଭାରତୀଙ୍କ କପ୍ତିପଦାସ୍ଥିତ ପୌତୃକ ବାସଭବନରେ ଚଢ଼ାଉ କରିଥିଲା । ହେଲେ ତାଙ୍କର ପତ୍ତା ମିଳିନଥିଲା । ଅପରପକ୍ଷେ ପାରଳାଖେମୁଣ୍ଡି ଏସଡିଜେଏମ୍‌ଙ୍କୁ ଚ୍ୟାଲେଞ୍ଜ କରି ବିଦ୍ୟାଭାରତୀ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ପୂର୍ବରୁ ଡିଏଫ୍‌ଓ ସଂଗ୍ରାମ କେଶରୀ ବେହେରାଙ୍କୁ ମଧ୍ୟ ଗିରଫଦାରୀରୁ ଆଶ୍ୱସ୍ତି ମିଳିଥିଲା । ଉଲ୍ଲେଖଯୋଗ୍ୟ ଯେ, ଏସିଏଫ ସୌମ୍ୟରଞ୍ଜନ ପାରଳାଖେମୁଣ୍ଡିରେ କାର୍ଯ୍ୟରତ ଥିବାବେଳେ ୨୦୨୧ ଜୁଲାଇ ୧୧ ତାରିଖ ରାତିରେ ସରକାରୀ ବାସଭବନରେ ସନ୍ଦେହଜନକ ଭାବେ ତାଙ୍କ ଦେହରେ ନିଆଁ ଲାଗିଯାଇଥିଲା । ସେ ଗୁରୁତର ଆହତ ହୋଇ ମେଡିକାଲରେ ଭର୍ତ୍ତି ହୋଇଥିବା ବେଳେ ୨ ଦିନ ପରେ ତାଙ୍କର ମୃତ୍ୟୁ ଘଟିଥିଲା । ଏହାର ତଦନ୍ତ ଭାର କ୍ରାଇମବ୍ରାଞ୍ଚକୁ ଦିଆଯାଇଥିବା ବେଳେ କ୍ରାଇମବ୍ରାଞ୍ଚ ଏହାକୁ ଦୁର୍ଘଟଣା ଦର୍ଶାଇ ତଦନ୍ତ ଫାଇଲ ବନ୍ଦ କରିଥିଲା । ଏହାପରେ ସୌମ୍ୟରଞ୍ଜନଙ୍କ ବାପା ଅଭିରାମ ମହାପାତ୍ର ହତ୍ୟା ଅଭିଯୋଗ ଆଣି ପାରଳାଖେମୁଣ୍ଡି ଏସ୍‌ଡିଜେଏମ୍‌ଙ୍କ କୋର୍ଟରେରେ ମାମଲା ଦାୟର କରିଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking