ବାଲୁଗାଁ : ବାଲୁଗାଁ ଥାନା ସିଙ୍ଗେଶ୍ୱର ଗ୍ରାମରେ ଅଧିକ ଯୌତୁକ ଦାବି କରି ଜଣେ ନବବଧୂକୁ ଶାଶୂଘର ଲୋକେ ହତ୍ୟା କରିଥିବା ଅଭିଯୋଗ ହୋଇଛି । ଶ୍ୱଶୁର ଘର ପରିବାର ସଂଘବଦ୍ଧ ଭାବେ ପିଟି ପିଟି ମାରିଦେଇଥିବା ନେଇ ଝିଅର ବାପଘର ଲୋକେ ବାଲୁଗାଁ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ଅଭିଯୋଗ ଆଧାରରେ ପୁଲିସ ମାମଲା ରୁଜୁ କରି ସ୍ୱାମୀ ଓ ଶ୍ୱଶୁରକୁ ଗିରଫ କରି ତଦନ୍ତ ଜାରି ରଖିଥିବା ଜଣାପଡ଼ିଛି । ଅଭିଯୋଗରୁ ଜଣାଯାଇଛି ଯେ, ପୁରୀ ଜିଲ୍ଲା କୃଷ୍ଣପ୍ରସାଦ ଥାନା ଅଧୀନ ମୋରଡ଼ା ଗ୍ରାମର ବିଭୂତି ଭୂଷଣ ପଣ୍ଡାଙ୍କ ଝିଅ ସ୍ୱାଗତିକା ଦୁଇ ବର୍ଷ ପୂର୍ବେ ବାଲୁଗାଁ ଥାନା ସିଙ୍ଗେଶ୍ୱର ଗ୍ରାମ ନିକଟରେ ଅବସ୍ଥାପିତ ଅରୁଣ ହୋତାଙ୍କ ପୁଅ ପ୍ରିତମଙ୍କୁ ବୈଦିକ ରୀତିରେ ବିବାହ କରିଥିଲେ । ବାହାଘର ବେଳେ ବରପକ୍ଷ ଦାବି ମୁତାବକ ସୁନାଗହଣା, ନଗଦ ଟଙ୍କା ଓ ଆସବାବ ସାମଗ୍ରୀ କନ୍ୟାଘର ଲୋକେ ଦେଇଥିଲେ । ବାହାଘରର ତିନିମାସ ପରେ ଅଧିକ ଯୌତୁକ ଦାବି କରି ସ୍ୱାମୀ, ଶାଶୂ ଓ ଶ୍ୱଶୁର ସ୍ୱାଗତିକାକୁ ଶାରୀରିକ ଓ ମାନସିକ ସ୍ତରରେ ବହୁ ନିର୍ଯାତନା ଦେଇ ଆସୁଥିଲେ । ଇତି ମଧ୍ୟରେ ସ୍ୱାଗତିକାଙ୍କ ଏକ କନ୍ୟା ସନ୍ତାନ ଜନ୍ମ ହୋଇଥିଲା ।
ଗୁରୁବାର ସନ୍ଧ୍ୟାରେ ସ୍ୱାଗତିକାଙ୍କୁ ଶାଶୂ ଘର ଲୋକେ ମାରପିଟ୍ କରୁଥିବା ନେଇ ଭାଇ ଗୋପାଳ କୃଷ୍ଣ ପଣ୍ଡାଙ୍କୁ ଫୋନ୍ ଯୋଗେ ଜଣାଇଥିଲେ । ଖବର ପାଇ କିଛି ସମୟ ପରେ ଭାଇ ଗୋପାଳ ଫୋନ ଯୋଗେ ଭଉଣୀ ଓ ତାର ଶାଶୂ ଘର ଲୋକଙ୍କୁ ଯୋଗାଯୋଗ କରିଥିଲେ ମଧ୍ୟ କେହି ଫୋନ ଉଠାଇନଥିଲେ । ରାତି ପ୍ରାୟ ୧୦ଘଟିକା ସମୟରେ ଖବର ଆସିଲା ତୁମ ଝିଅର ମୃତଦେହ ବାଲୁଗାଁ ଡାକ୍ତରଖାନାରେ ପଡ଼ିଛି । ସଙ୍ଗେ ସଙ୍ଗେ ଗୋପାଳ ପରିବାର ସହ ସମ୍ପର୍କୀୟଙ୍କୁ ଧରି ବାଲୁଗାଁ ଡାକ୍ତରଖାନାରେ ଆସି ଝିଅର କାନପାଶ୍ୱର୍, ବେକ ଓ ପିଠିରେ କ୍ଷତ ଚିହ୍ନ ଏବଂ ମାଡ଼ ଦାଗ ଦେଖି ଯୋଜନା ବଦ୍ଧ ଭାବେ ହତ୍ୟା ବୋଲି ସନ୍ଦେହ କରିଥିଲେ ।
ଖବର ପାଇ ବାଲୁଗାଁ ପୁଲିସ୍ ପହଞ୍ôଚ ଶବକୁ ବ୍ୟବଚ୍ଛେଦ ପାଇଁ ପଠାଇଥିଲା । ଶୁକ୍ରବାର ସକାଳେ ବାଲୁଗାଁ ଏସ୍ଡ଼ିପିଓ ମାନସ ରଞ୍ଜନ ବାରିକ, ଥାନା ଆଇଆଇସି ରଶ୍ମୀରଞ୍ଜନ ଦାସ ଏବଂ ସାଇଣ୍ଟିଫିକ୍ ଟିମ୍ ପହଞ୍ôଚ ଘଟଣାର ସରଜମିନ ତଦନ୍ତ କରିଥିଲେ । ବାପଘର ଲୋକଙ୍କ ଅଭିଯୋ ଆଧାରରେ ପୁଲିସ ଏକ ମାମଲା ରୁଜୁ କରି ସ୍ୱାମୀ ପ୍ରିତମ ହୋତା ଓ ଶ୍ୱଶୁର ଅରୁଣ ହୋତାଙ୍କୁ ଗିରଫ କରିଛି । ଅନ୍ୟ ଅଭିଯୁକ୍ତ ଫେରାର ଥିବା ଜଣାଯାଇଛି । ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ମୃତ୍ୟୁର ସଠିକ୍ କାରଣ ଜଣାପଡ଼ିବ ବୋଲି ପୁଲିସ୍ କହିଛି ।