ସାଲେପୁର: ଯୌତୁକ ବାବଦକୁ ଅଧିକ ୮୦ହଜାର ଟଙ୍କା ଦାବିକରି ଜଣେ ବଧୂକୁ ତା’ର ସ୍ୱାମୀ, ଶାଶୂ, ଶ୍ୱଶୁର ଜବରଦସ୍ତ ବିଷ ପିଆଇ ହତ୍ୟା କରିଥିବା ନେଇ ବଧୂର ପିତା ସାଲେପୁର ଥାନାରେ ଲିଖିତ ଅଭିଯୋଗ କରିଥିବା ଜଣାଯାଇଛି । ସାଲେପୁର ପୁଲିସ ଏକ ମାମଲା ରୁଜୁକରି ବଧୂର ସ୍ୱାମୀ ଓ ଶ୍ୱଶୁରଙ୍କୁ ଥାନାରେ ଅଟକ ରଖି ତଦନ୍ତ ଜାରି ରଖିଛି । ପୁଲିସ ସୂତ୍ରରୁ ପ୍ରକାଶ ଯେ ସାଲେପୁର ଥାନା ଅନ୍ତର୍ଗତ ବରାଦୋ ଗ୍ରାମର ମନୋଜ କୁମାର ରାଉତଙ୍କ ଝିଅ କଳ୍ପନା ରାଉତ ଗତ ୨୦୨୦ ମସିହାରେ ମନୋହରପୁର ଗ୍ରାମର ଚନ୍ଦନ ଖୁଣ୍ଟିଆଙ୍କୁ ବୈଦିକ ରୀତିରେ ବିବାହ କରିଥିଲେ । ବିବାହ ସମୟରେ ଶାଶୁଘରର ଦାବି ମୁତାବକ ଝିଅଘର ପକ୍ଷରୁ ନଗଦ ଟଙ୍କା, ସୁନା, ରୂପା ଅଳଙ୍କାର ଓ ବହୁ ଆସବାବପତ୍ର ଯୌତୁକ ବାବଦକୁ ପ୍ରଦାନ କରାଯାଇଥିଲା । କିନ୍ତୁ ଅଧିକ ୮୦ହଜାର ଟଙ୍କା ଦାବିକରି ସ୍ୱାମୀ ଚନ୍ଦନ ଖୁଣ୍ଟିଆ, ଶ୍ୱଶୁର ମହେନ୍ଦ୍ର ଖୁଣ୍ଟିଆ ଓ ଶାଶୂ ଜ୍ୟୋତ୍ସ୍ନା ଖୁଣ୍ଟିଆ କଳ୍ପନାଙ୍କୁ ଶାରୀରିକ, ମାନସିକ ନିର୍ଯାତନା ଦେଇଆସୁଥିଲେ । ହଠାତ୍ ୬ତାରିଖ ଦିନ ଶ୍ୱଶୁର ମହେନ୍ଦ୍ର ଫୋନ୍ ଯୋଗେ କଳ୍ପନାଙ୍କ ବାପା ମନୋରଞ୍ଜନଙ୍କୁ କହିଲେ ଯେ ତୁମ ଝିଅ ଅସୁସ୍ଥ ଅଛି ଓ ସାଲେପୁର ମେଡ଼ିକାଲରେ ଚିକିତ୍ସିତ ହେଉଛି । ମନୋରଞ୍ଜନ ପତ୍ନୀଙ୍କ ସହ ମେଡ଼ିକାଲରେ ପହଞ୍ôଚ ତାଙ୍କ ଝିଅ ଅଚେତ୍ ଅବସ୍ଥାରେ ଥିବା ଦେଖିବାକୁ ପାଇଥିଲେ । ଚିକିତ୍ସା ପରେ ଝିଅର ଚେତା ଫେରିଥିଲା । ଚେତା ଫେରିବା ପରେ କଳ୍ପନା ତାଙ୍କ ବାପାଙ୍କ ଆଗରେ ପ୍ରକାଶ କରିଥିଲେ ଯେ ମୋର ସ୍ୱାମୀ, ଶ୍ୱଶୁର ଓ ଶାଶୁ ଅଧିକ ୮୦ହଜାର ଟଙ୍କା ଯୌତୁକ ବାବଦକୁ ଦାବିକରି ମୋତେ ଜବରଦସ୍ତ ବିଷ ପିଆଇ ଦେଇଛନ୍ତି । ଏହାପରେ କଳ୍ପନାଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ କଟକ ବଡ଼ ମେଡ଼ିକାଲକୁ ସ୍ଥାନାନ୍ତରିତ କରାଯାଇଥିଲା । ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହେବାପରେ ଆଜି କଳ୍ପନାଙ୍କ ବାପା ସାଲେପୁର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ଅଧିକ ଯୌତୁକ ଦାବିକରି ମୋ ଝିଅକୁ ତା’ ଶାଶୂଘର ଲୋକେ ମାରିଦେଇଥିବା ସେ ଏତଲାରେ ଦର୍ଶାଇଛନ୍ତି । ସାଲେପୁର ପୁଲିସ କଳ୍ପନାଙ୍କ ସ୍ୱାମୀ ଓ ଶ୍ୱଶୁରଙ୍କୁ ଥାନାରେ ଅଟକ ରଖି ତଦନ୍ତ ଜାରିରଖିଥିବା ଆଇଆଇସି ଗିରିଜା ନନ୍ଦନ ପଟ୍ଟନାୟକ ପ୍ରକାଶ କରିଛନ୍ତି ।