ଭୁବନେଶ୍ୱର : ଓଡିଆ ଭାଷାରେ ପ୍ରକାଶିତ ଅର୍ଥନୀତି ସମ୍ବନ୍ଧୀୟ ଏକ ମାତ୍ର ସମ୍ଭ୍ରାନ୍ତ ପତ୍ରିକା ‘ଭୂମି ଦି ମଦର ଆର୍ଥ୍’ ତରଫରୁ ଅଗଷ୍ଟ ୨୦ ତାରିଖ ଦିନ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇ ଯାଇଛି । “ଓଡିଶାରେ କେନ୍ଦ୍ରୀୟ ଆଦିବାସୀ ବିଶ୍ଵବିଦ୍ୟାଳୟ ସୁଯୋଗ ଓ ସମ୍ଭାବନା’ ଶୀର୍ଷକ ଏହି କର୍ମଶାଳାକୁ ଦୈନିକ ‘ସମ୍ବାଦ’ର ସମ୍ପାଦକ ଶ୍ରୀ ସୌମ୍ୟରଞ୍ଜନ ପଟ୍ଟନାୟକ ଆନୁଷ୍ଠାନିକ ଭାବେ ଉଦଘାଟନ କଲାପରେ ଚାରିଟି ଅଧିବେଶନ ଅନୁଷ୍ଠିତ ହୋଇଥିଲା । ଆଲୋଚନାରେ ଅଂଶଗ୍ରହଣ କରି ଝାଡଖଣ୍ଡ କେନ୍ଦ୍ରୀୟ ବିଶ୍ବବିଦ୍ୟାଳୟର କୁଳପତି ପ୍ରଫେସର କ୍ଷିତିଭୂଷଣ ଦାସ, ଓଡିଶା ଉଚ୍ଚଶିକ୍ଷା ପରିଷଦ ଉପାଧ୍ୟକ୍ଷ ଡ଼. ଅଶୋକ ଦାସ, ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ଵବିଦ୍ୟାଳୟ କୁଳପତି ଡ଼. କିଶୋର ବସା, ଗଙ୍ଗାଧର ମେହେର ବିଶ୍ଵବିଦ୍ୟାଳୟ କୁଳପତି ଡ଼. ଏନ୍. ନାଗରାଜୁ, ପ୍ରାକ୍ତନ ଭାରତୀୟ ବିଦେଶ ସେବା ଅଧିକାରୀ ଶ୍ରୀ ବିକ୍ରମ ମୁଣ୍ଡା ଓ ସମାଜବିଜ୍ଞାନୀ ମେରୀ ବାଗେଙ୍କ ସମେତ ବିଭିନ୍ନ କ୍ଷେତ୍ରର ବିଶେଷଜ୍ଞ ସର୍ବଶ୍ରୀ ପରମାନନ୍ଦ ପଟେଲ, ଅନୀଲ ଧୀର, ପ୍ରଭାସ ମିଶ୍ର, ମିହିର ଜେନା ଇତ୍ୟାଦି ନିଜ ବହୁମୂଲ୍ୟ ମତ ପ୍ରଦାନ କରିଥିଲେ ।
ଆଲୋଚନାରେ ମତ ପ୍ରକାଶ ପାଇଥିଲା ଯେ ଅନ୍ୟ ବୃହତ ରାଜ୍ୟ ମାନଙ୍କ ଭିତରୁ ଆଦିବାସୀ ଜନସଂଖ୍ୟାର ସାନ୍ଧ୍ରତା ଦୃଷ୍ଟିକୋଣରୁ ଦେଶରେ ଓଡ଼ିଶାର ସ୍ଥାନ ତୃତୀୟରେ। ୨୦୧୧ ଜନଗଣନା ହିସାବରେ ଓଡିଶା ଜନସଂଖ୍ୟାର ୨୨.୮% ଆଦିବାସୀ ହୋଇଥିବା ବେଳେ ସମଗ୍ର ଦେଶର ୯.୨% ଆଦିବାସୀ ଓଡିଶାରେ ବସବାସ କରନ୍ତି। ଦେଶରେ ସର୍ବାଧିକ ଆଦିବାସୀ ସାନ୍ଧ୍ର ବୋଲି କୁହା ଯାଉଥିବା ମଧ୍ୟପ୍ରଦେଶରେ ଦେଶର ୧୪.୭% ଆଦିବାସୀ ବସବାସ କରନ୍ତି ସତ, କିନ୍ତୁ ତାହାର ସମୁଦାୟ ଜନସଂଖ୍ୟାର ୨୧.୧% ଆଦିବାସୀ ଅଟନ୍ତି, ଯାହାକି ଓଡିଶା ଅନୁପାତ ଠାରୁ କମ୍। ତଥାପି ପୂର୍ବତନ ମାନବସମ୍ବଳ ମନ୍ତ୍ରୀ ଶ୍ରୀ ଅର୍ଜୁନ ସିଂହ ରାଜନୈତିକ କ୍ଷମତାର ଉପଯୋଗ କରି ନିଜ ରାଜ୍ୟ ମଧ୍ୟପ୍ରଦେଶର ଅମରକଣ୍ଟକ ଠାରେ କେନ୍ଦ୍ରୀୟ ଆଦିବାସୀ ବିଶ୍ଵବିଦ୍ୟାଳୟ ପ୍ରତିଷ୍ଠା କରିଥିଲେ।
ଦ୍ଵିତୀୟ ସାନ୍ଧ୍ର ମହାରାଷ୍ଟ୍ରରେ ଦେଶର ୧୦.୧% ଆଦିବାସୀ ବସବାସ କରୁଥିଲେ ମଧ୍ୟ ତାହା ସେ ପ୍ରଦେଶର ମୋଟ୍ ଜନସଂଖ୍ୟାର ଓଡିଶା ଠାରୁ କମ୍ ଅର୍ଥାତ ୯.୪%। ଏତତ୍ ବ୍ୟତୀତ ଶିକ୍ଷା କ୍ଷେତ୍ରରେ ମହାରାଷ୍ଟ୍ର ଏକ ଅଗ୍ରଣୀ ରାଜ୍ୟ ଓ ତାହା ଆଉ ଅଧିକ କେନ୍ଦ୍ରୀୟ ଶିକ୍ଷାନୁଷ୍ଠାନ ଆବଶ୍ୟକ କରେ ନାହିଁ। ସେହିପରି ସମୁଦାୟ ଜନସଂଖ୍ୟାର ସାକ୍ଷରତା ହାର ଓ ଆଦିବାସୀଙ୍କ ସାକ୍ଷରତା ହାର ମଧ୍ୟରେ ଥିବା ବୈଷମ୍ୟ ଓଡିଶାରେ ୨୦.୭ ଯାହାକି ଦେଶର ସର୍ବାଧିକ। ଏକମାତ୍ର ତାମିଲନାଡୁ ପାଇଁ ଏହି ବୈଷମ୍ୟ ଓଡିଶା ଠାରୁ ଅଧିକ ୨୫.୮ ହୋଇଥିଲେ ମଧ୍ୟ ସେଠାକାର ଆଦିବାସୀ ଜନସଂଖ୍ୟା ଓଡିଶା ତୁଳନାରେ ନଗଣ୍ୟ। ଦେଶର ମାତ୍ର ୦.୮% ଆଦିବାସୀ ତାମିଲନାଡୁରେ ବସବାସ କରନ୍ତି।
ସେହିପରି ଦାରିଦ୍ର୍ୟ ସୀମାରେଖା ତଳେ ସ୍ଥିତ ଆଦିବାସୀଙ୍କ ଅନୁପାତ ଓଡିଶାରେ ସର୍ବାଧିକ। ଗ୍ରାମୀଣ ଓଡିଆ ଆଦିବାସୀଙ୍କ ମଧ୍ୟରୁ ତେନ୍ଦୁଲକର ପଦ୍ଧତିରେ ୬୩.୫% ଓ ସହରୀ ଓଡିଆ ଆଦିବାସୀଙ୍କ ମଧ୍ୟରୁ ୩୯.୭% ଦାରିଦ୍ର୍ୟ ସୀମାରେଖା ତଳେ ଅବସ୍ଥାନ କରନ୍ତି।
ନିଜ ଜନସଂଖ୍ୟାର ଅପେକ୍ଷାକୃତ କମ୍ ବା ୫.୩% ଆଦିବାସୀ ଥିବା ଆନ୍ଧ୍ର ପ୍ରଦେଶରେ ଦେଶର ସମୁଦାୟ ଆଦିବାସୀ ଜନସଂଖ୍ୟାର ମାତ୍ର ୨.୫% ବସବାସ କରନ୍ତି। ଅଥଚ ରାଜନୈତିକ ଦୃଷ୍ଟିକୋଣରୁ ଆନ୍ଧ୍ରର ବିଜୟନଗରମରେ ମଧ୍ୟ କେନ୍ଦ୍ରୀୟ ଆଦିବାସୀ ବିଶ୍ଵବିଦ୍ୟାଳୟ ସମ୍ଭବ ହୋଇ ପାରିଲା। ଅଥଚ ବଞ୍ଚିତ ହେଲା ଓଡିଶା। ସେହିପରି ଉଚ୍ଚଶିକ୍ଷା ଅଭାବରୁ ଉଚ୍ଚ ପ୍ରଶାସନିକ ଅଧିକାରୀ ପଦ ପଦବୀରେ ଓଡିଶାର ଆଦିବାସୀଙ୍କ ପ୍ରତିନିଧିତ୍ଵ ନିଜ ଜନସଂଖ୍ୟା ଅନୁପାତରେ ଅତ୍ୟନ୍ତ ନୈରାଶ୍ୟଜନକ।
ସେହିପରି ଓଡିଶାର ଆଦିବାସୀ ବହୁଳ ଜିଲ୍ଲା ମାନଙ୍କ ମଧ୍ୟରୁ ମୟୂରଭଞ୍ଜ, କୋରାପୁଟ ଓ ସୁନ୍ଦରଗଡରେ ବିଭିନ୍ନ ବିଶ୍ଵବିଦ୍ୟାଳୟ ଓ ଜାତୀୟ ଶିକ୍ଷା ପ୍ରତିଷ୍ଠାନ ସ୍ଥାପିତ ହୋଇ ସାରିଥିଲେ ମଧ୍ୟ କେନ୍ଦୁଝର ଜିଲ୍ଲା ସେ ଦୃଷ୍ଟିକୋଣରୁ ଅନେକ ପଛରେ ପଡି ରହିଛି । ପ୍ରାଥମିକ ଅବସ୍ଥାରେ କେନ୍ଦୁଝରରେ ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ଵବିଦ୍ୟାଳୟର ଅକାମୀ ହୋଇ ପଡି ରହିଥିବା ଦ୍ଵିତୀୟ ପରିସର ଭିତ୍ତିଭୂମିକୁ ଏହି ଉଦ୍ଦେଶ୍ୟରେ ବ୍ୟବହାର କରାଯାଇ ପାରିବ । ଜିଲ୍ଲା ଖଣିଜ ପ୍ରତିଷ୍ଠାନ ବା ଡିଏମ୍ଏଫ୍ ପାଣ୍ଠିରୁ ମଧ୍ୟ ଏହି କେନ୍ଦ୍ରୀୟ ବିଶ୍ଵବିଦ୍ୟାଳୟ ପାଇଁ ଆଂଶିକ ଅନୁଦାନ ମିଳି ପାରିବ । ତେଣୁ ପ୍ରସ୍ତାବିତ କେନ୍ଦ୍ରୀୟ ଆଦିବାସୀ ବିଶ୍ଵବିଦ୍ୟାଳୟ ପାଇଁ କେନ୍ଦୁଝର ଏକ ଉପଯୁକ୍ତ ସ୍ଥାନ ବୋଲି ବିଭିନ୍ନ ବକ୍ତା ମତ ପୋଷଣ କରିଥିଲେ । କେନ୍ଦୁଝର ଜିଲ୍ଲାକୁ ଉତ୍ତର ଓଡିଶା ବିଶ୍ଵବିଦ୍ୟାଳୟ (ବର୍ତ୍ତମାନ ଶ୍ରୀରାମଚନ୍ଦ୍ର ଭଞ୍ଜ ବିଶ୍ଵବିଦ୍ୟାଳୟ)ରେ ସାମିଲ କରିବା ଏକ ଐତିହାସିକ ଭୁଲ୍ ଥିଲା।
ଦ୍ଵିତୀୟ କ୍ୟାମ୍ପସ ନାଁରେ ଜିଲ୍ଲାର ଶିକ୍ଷା ବ୍ୟବସ୍ଥାକୁ ରସାତଳଗାମୀ କରିଦିଆ ଗଲାଣି। ପ୍ରାଥମିକ ଅବସ୍ଥାରେ ଶୈକ୍ଷିକ ଓ ପ୍ରଶାସନିକ କୋଠାବାଡି ନିର୍ମାଣ ପାଇଁ ମାତ୍ର ୧୫ କୋଟି ଟଙ୍କା ମଞ୍ଜୁର କରି ରାଜ୍ୟର ଉଚ୍ଚଶିକ୍ଷା ବିଭାଗ ହାତ ବାନ୍ଧି ବସି ରହିଛି। ବାରିପଦା ଠାରେ ମୂଳ ବିଶ୍ଵବିଦ୍ୟାଳୟ ଭିତ୍ତିଭୂମି ନିର୍ମାଣ କାର୍ଯ୍ୟ ଚାଲିଥିବାରୁ ଦ୍ଵିତୀୟ କ୍ୟାମ୍ପସ ପାଇଁ ସେଠାରୁ ଅର୍ଥ ପ୍ରଦାନ କରାଯାଇ ପାରୁ ନାହିଁ। ଋସା, ୟୁଜିସି ଓ ରାଜ୍ୟ ସରକାର ସୂତ୍ରରୁ ମିଳୁଥିବା ଅର୍ଥ ବାରିପଦା ପାଇଁ ନିଅଣ୍ଟ ପଡୁଥିବା ବେଳେ କେନ୍ଦୁଝର ଦ୍ଵିତୀୟ କ୍ୟାମ୍ପସର ଦୈନନ୍ଦିନ ଖର୍ଚ୍ଚ ପାଇଁ ଅର୍ଥାଭାବ ଦେଖା ଦେଉଛି। ଉପାଧ୍ୟୁତ୍ତର ଭୂବିଜ୍ଞାନ ଓ ମାଟେରିଆଲ୍ ସାଇନ୍ସ୍ ବିଭାଗ ବିନା ପରୀକ୍ଷାଗାରରେ ଚାଲିଛି। ଉତ୍ତମ ପାଠାଗାର, ସେମିନାର ଗୃହ, କାଫେଟାରିଆ, ଖେଳ ପଡିଆ ଓ ଛାତ୍ରାବାସ ଭଳି ସର୍ବନିମ୍ନ ଶୈକ୍ଷିକ ସୁବିଧା କେନ୍ଦୁଝରର ତଥାକଥିତ ଏହି ଦ୍ଵିତୀୟ କ୍ୟାମ୍ପସରେ ଉପଲବ୍ଧ ନାହିଁ।
କେନ୍ଦୁଝର ଓ ବାରିପଦା ଭିତରେ ଦୂରତା, ଭୌଗଳିକ ପ୍ରତିବନ୍ଧକ ଏବଂ ଅନୁପଯୋଗୀ ଯୋଗାଯୋଗ ବ୍ୟବସ୍ଥା କେନ୍ଦୁଝର ଦ୍ଵିତୀୟ କ୍ୟାମ୍ପସ ପାଇଁ ଶୈକ୍ଷିକ ଓ ପ୍ରଶାସନିକ ସମସ୍ୟା ହୋଇ ଠିଆ ହୋଇଛି। ଏପରିକି ଦ୍ୱିତୀୟ କ୍ୟାମ୍ପସ ପାଇଁ ଖରିଦ୍ କରା ଯାଇଥିବା ପୁସ୍ତକ ବାରିପଦାରୁ ଆସି କେନ୍ଦୁଝରରେ ପହଞ୍ଚିବା ପାଇଁ ଆଠ ମାସ ସମୟ ଲାଗି ଯାଉଛି। ପ୍ରାରମ୍ଭରେ ଅତିଥି ଓ ପ୍ରତିନିଧି ମାନଙ୍କୁ ‘ଭୂମି ଦ ମଦର ଆର୍ଥ’ର ସମ୍ପାଦକ ଶ୍ରୀ ସତ୍ୟବ୍ରତ ପଣ୍ଡା ସ୍ଵାଗତ କଲାପରେ ଅଭ୍ୟର୍ଥନା ସମିତି ଅଧ୍ୟକ୍ଷ ଡ. ମୂରଲୀ ମନୋହର ଶର୍ମା ଏହି ଆଲୋଚନା ଚକ୍ରର ପ୍ରାସଙ୍ଗିକତା ସମ୍ବନ୍ଧରେ ସୁଚନା ଦେଇଥିଲେ । ପତ୍ରିକାର ସହ ସମ୍ପାଦିକା ଡ. ରିନା ରାଉତରାୟ ବିଭିନ୍ନ ଅଧିବେଶନ ଓ ସେଥିରେ ଉଠିଥିବା ପ୍ରସଙ୍ଗ ଗୁଡିକର ଏକ ସଂକ୍ଷିପ୍ତ ବିବରଣୀ ପ୍ରଦାନ କରିଥିଲେ ।
ଆଲୋଚନା ଚକ୍ରକୁ ଉଦଯାପନ କରିଥିଲେ ପଦ୍ମଶ୍ରୀ ଦେବୀପ୍ରସନ୍ନ ପଟ୍ଟନାୟକ । କବି ଶ୍ରୀ ଶଙ୍କର୍ଷଣ ପରିଡାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବିଶେଷ ଭାଷା ସାହିତ୍ୟ ଚର୍ଚ୍ଚାରେ ଡ. ଅସୀମା ସାହୁଙ୍କ କବିତା ସଙ୍କଳନ “ଥାକ ଥାକ ବାହାନା” ତଥା ଅନୁବାଦିତ “ପୁକାରେ କୋଇ ଖିତିଜ୍ କେ ପାର୍ ସେ” (ଅନୁବାଦିକା ନମ୍ରତା ଚଢା) ଓ “କସମ୍ ସେ” (ଅନୁବାଦିକା ରଶ୍ମୀରେଖା ଜେନା) ଏବଂ ଶ୍ରୀମତୀ ବିନ୍ଦୁ ନିବେଦିତାଙ୍କ କବିତା ସଙ୍କଳନ “ବିନ୍ଦୁ ବିନ୍ଦୁ କାକର” ତଥା ଶ୍ରୀ ଉମାକାନ୍ତ ନାୟକଙ୍କ ଗଦ୍ୟ ସଙ୍କଳନ “କଥା ମୋ ଅନୁଭୂତିର” ଲୋକାର୍ପିତ ହୋଇଥିଲା।