ଅମରାବତୀ: ଆନ୍ଧ୍ରପ୍ରଦେଶରେ ଆଜି ଏକ ଭୟଙ୍କର ସଡକ ଦୁର୍ଘଟଣା ଘଟିଛି । ଟ୍ରକ ଓ ଅଟୋ ମଧ୍ୟରେ ମୁହଁମୁହିଁ ଧକ୍କା ହେବାରୁ ୬ ଜଣଙ୍କ ମୃତ୍ୟୁ ହୋଇଛି । ଏଥିରେ ୯ ଜଣ ଗୁରୁତର ଆହତ ହୋଇଛନ୍ତି । ସମସ୍ତ ମୃତାହତ ଶ୍ରମିକ ଅଟନ୍ତି ଓ ଘର ତେଲେଙ୍ଗାନାରେ । କାମ ପାଇଁ ଅଟୋରେ ଯାଉଥିବା ବେଳେ ବାଟରେ ଏକ ଟ୍ରକ ସେମାନଙ୍କୁ ଧକ୍କା ଦେଇଛି । ଆନ୍ଧ୍ର ପାଲନାଡୁ ଜିଲ୍ଲା ଡଚେପାଲ୍ଲୀ ମଣ୍ଡଳ ଅଞ୍ଚଳରେ ଏହି ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି । ଆହତ ଶ୍ରମିକମାନଙ୍କୁ ପାଲନାଡୁର ଗୁରୁଜାଲା ସରକାରୀ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଛି । ଦୁର୍ଘଟଣା ସମୟରେ ଅଟୋରେ ପାଖାପାଖି ୨୩ ଜଣ ଶ୍ରମିକ ଯାତ୍ରା କରୁଥିଲେ ।
ସମସ୍ତେ ତେଲେଙ୍ଗାନାର ନାଲଗୋଣ୍ଡା ନିବାସୀ ହୋଇଥିବା ବେଳେ କାମ ସନ୍ଧାନରେ ଆନ୍ଧ୍ର ଆସିଥିଲେ । ସେମାନେ ଗୁରୁଜାଲା ମଣ୍ଡଳର ପୁଲିପାଡୁ ଅଞ୍ଚଳକୁ ଯିବା ବାଟରେ ଦୁର୍ଘଟଣାର ଶିକାର ହୋଇଥିବା ଜଣାପଡିଛି । ଶ୍ରମିକମାନଙ୍କୁ ନେଇ ଅଟୋଟି ପୁଲିପାଡୁ ଯାଉଥିବା ସମୟରେ ବାଟରେ ବିପରୀତ ଦିଗରୁ ଆସୁଥିବା ଏକ ଟ୍ରକ ଅଟୋ ସହ ମୁହାଁମୁହିଁ ଧକ୍କା ହୋଇଥିଲା ଯାହାଫଳରେ ଘଟଣାସ୍ଥଳରେ ହିଁ ୫ ଜଣ ଶ୍ରମିକ ଆଖି ବୁଜିଥିଲେ ଏବଂ ୧୦ ଜଣ ଆହତ ହୋଇଥିଲେ ।
ଆହତମାନଙ୍କୁ ଉଦ୍ଧାର କରାଯାଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ବେଳେ ଚିକିତ୍ସାଧୀନ ଅବସ୍ଥାରେ ଆଉ ଜଣଙ୍କ ମୃତ୍ୟୁ ହୋଇଥିଲା । ପୋଲିସ ସମସ୍ତ ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି । ଖବର ପାଇ ମୃତ ଓ ଆହତଙ୍କ ପରିବାର ଲୋକେ ଘଟଣାସ୍ଥଳରେ ପହଞ୍ଚିଛନ୍ତି । ଏନେଇ ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି । ତେବେ ବ୍ୟବଚ୍ଛେଦ ପରେ ମୃତଦେହଗୁଡିକୁ ସେମାନଙ୍କ ପରିବାରକୁ ହସ୍ତାନ୍ତର କରାଯିବା ନେଇ ପୋଲିସ ସୂଚନା ଦେଇଛି ।