କଲମ୍ବୋ : ଏଠାରେ ଚାଲିଥିôବା ଏସିସି ଇମର୍ଜିଂ କପ୍ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ୍ରେ ଶୁକ୍ରବାର ଇଣ୍ଡିଆ-ଏ’ ୮ ୱିକେଟ୍ରେ ୟୁଏଇ-ଏ’କୁ ପରାସ୍ତ କରିବା ସହ ପ୍ରତିଯୋଗିତାରେ ଏକତରଫା ବିଜୟ ସହ ତା’ର ଅଭିଯାନ ଆରମ୍ଭ କରିଛି । ଗ୍ରୁପ୍-ବି’ରେ ସ୍ଥାନ ପାଇଥିବା ଦଳର ଏହି ବିଜୟରେ ଅପରାଜିତ ଅର୍ଦ୍ଧଶତକୀୟ ଇନିଂସ ଖେଳି ଅଧିନାୟକ ୟଶ୍ ଧୂଲ୍ ମୁଖ୍ୟ ଭୂମିକା ନିର୍ବାହ କରିଛନ୍ତି । ଇଣ୍ଡିଆ-ଏ’ ପ୍ରଥମେ ଫିଲ୍ଡିଂ ପାଇଁ ନିଷ୍ପତ୍ତି ନେବାରୁ ୟୁଏଇ-ଏ’ ବ୍ୟାଟିଂ କରିଥିଲା । ତେବେ ଦଳ ୫୦ ଓଭର୍ରେ ୯ଟି ୱିକେଟ୍ ହରାଇ ମାତ୍ର ୧୭୫ ରନ୍ କରିପାରିଥିଲା । ଦଳ ପକ୍ଷରୁ ଅଶ୍ୱନ୍ତ ଭାଲ୍ଥାପା ସର୍ବାଧିକ ୪୬ ରନ୍ କରିଥିବା ବେଳେ ଓପନର ଆର୍ଯ୍ୟାଂଶ ଶର୍ମା ୭ଟି ଚୌକା ମାଧ୍ୟମରେ ୩୮ ଓ ମହମ୍ମଦ ଫରାଜୁଦ୍ଦିନ୍ ୨ଟି ଚୌକା ସହ ୩୫ ରନ୍ର ଯୋଗଦାନ ଦେଇଥିଲେ ।
ଇଣ୍ଡିଆ-ଏ’ ପକ୍ଷରୁ ସଫଳ ବୋଲର୍ ଭାବେ ହର୍ଷିତ ରାଣା ୪ଟି ୱିକେଟ୍ ନେଇଥିଲେ । ଏହାଛଡ଼ା ନୀତୀଶ କୁମାର ରେଡ୍ଡୀ ଓ ମାନବ ସୁତାରଙ୍କୁ ୨ଟି ଲେଖାଏଁ ଏବଂ ଅଭିଷେକ ଶର୍ମାଙ୍କୁ ଗୋଟିଏ ୱିକେଟ୍ ମିଳିଥିଲା । ବ୍ୟାଟିଂରେ ଦଳ ଦୁଇ ଓପନର ସାଇ ସୁଦର୍ଶନ (୮) ଓ ଅଭିଷେକ (୧୯)ଙ୍କୁ ଦଳୀୟ ସ୍କୋର୍ ୪୧ରେ ପହଞ୍ଚିବା ପୂର୍ବରୁ ହରାଇସାରିଥିଲା । କିନ୍ତୁ ନିକିନ୍ ଜୋସ୍ ଓ ଅଧିନାୟକ ଧୂଲ୍ ତୃତୀୟ ୱିକେଟ୍ରେ ଅବିଭାଜିତ ୧୩୮ ରନ୍ ଯୋଡ଼ି ଦଳୀୟ ସ୍କୋର୍କୁ ୨୬.୩ ଓଭର୍ରେ ୧୭୯ରେ ପହଞ୍ଚାଇଥିଲେ । ଧୂଲ୍ ମାତ୍ର ୮୪ ବଲ୍ ଖେଳି ୨୦ଟି ଚୌକା ଓ ଗୋଟିଏ ଛକା ମାଧ୍ୟମରେ ୧୦୮ ରନ୍ କରିଥିବା ବେଳେ ନିକିନ୍ ୫ଟି ଚୌକା ଜରିଆରେ ୪୧ ରନ୍ର ସହଯୋଗ ଦେଇଥିଲେ ।