ମୁମ୍ବାଇ: ଅତିଥି ଦେବୋ ଭବଃ । ପ୍ରତ୍ୟେକ ଭାରତୀୟଙ୍କ ପାଇଁ ଏହି ନୀତି ବା ସଂସ୍କାର ଆଜି ବି ରହିଆସିଛି । ସମଗ୍ର ବିଶ୍ୱ ମଧ୍ୟ ଭାରତର ଏହି ନୀତିକୁ ବେଶ୍ ତାରିଫ୍ କରିଥାଏ । ତେବେ କିଛି ଖରାପ ଲୋକଙ୍କ ପାଇଁ ଭାରତର ଏହି ସୁନାମ ଯଶ ବେଳେବେଳେ କଳୁଷିତ ହୋଇପଡୁଛି । ସାମ୍ନାକୁ ଆସିଥିବା ଏପ୍ରକାର ଘଟଣା ଏବେ ପୁରା ଦେଶ ତଥା ଦେଶବାସୀଙ୍କ ମୁ୍ଣ୍ଡକୁ ତଳକୁ କରିଦେଇଛି । କେଲି ନାମକ ଦକ୍ଷିଣ କୋରିଆର ଜଣେ ମହିଳା ବ୍ଲଗର ଭାରତ ଭ୍ରମଣରେ ଆସି ଏଠାରେ ନିଜ ବ୍ଲଗ ଚ୍ୟାନେଲ ପାଇଁ ଭିଡିଓ ସୁଟିଂ ଜାରି ରଖିଛନ୍ତି । ତେବେ ସୋମବାର ଦିନ ସେ ନିଜ ବ୍ଳଗ୍ ପାଇଁ ଏଠାରେ ଥିବା ଏକ ବଜାରରେ ଭିଡିଓ ପ୍ରସ୍ତୁତ କରୁଥିବା ବେଳେ ତାଙ୍କ ସହ କିଛି ସ୍ଥାନୀୟ ଯୁବକ ଖରାପ ବ୍ୟବହାର କରିଥିବା ଅଭିଯୋଗ କରିଛନ୍ତି । ଏତଦ୍ବ୍ୟତୀତ କୋରିଆର ଏହି ମହିଳାଜଣକ ତାଙ୍କ ସହ ହୋଇଥିବା ଦୁର୍ବ୍ୟବହାର ସମୟର ଫଟୋ ତଥା ଭିଡିଓକୁ ମଧ୍ୟ ସାର୍ବଜନୀନ କରିଦେଇଛନ୍ତି । ଭାଇରାଲ ହେଉଥିବା ଏହି ଭିଡିଓରେ ମହିଳାଙ୍କ ସହ ଖରାପ ବ୍ୟବହାର ହୋଇଥିବା ସ୍ପଷ୍ଟ ହେଉଛି । ଏତଦ୍ବ୍ୟତୀତ ଭାରତ ଛାଡି ଖୁବଶୀଘ୍ର ନିଜ ଦେଶକୁ ଫେରିଯିବାକୁ ଚାହୁଁଥିବା ସମ୍ପର୍କରେ ମଧ୍ୟ କେଲି ନିଜ ଭିଡିଓରେ କହୁଥିବାର ଶୁଣିବାକୁ ମିଳିଛି । ପ୍ରକାଶ, ବଜାରରେ ବୁଲି ବୁଲି କେଲି ଭିଡିଓ ସୁଟ୍ କରୁଥିବା ବେଳେ ଜଣେ ଯୁବକ ତାଙ୍କ ନିକଟକୁ ଜୋରଜବରଦସ୍ତି ଭାବେ ଆସିଥିଲେ । ଯୁବକଜଣକ ପ୍ରଥମେ ନିଜର ଗୋଟିଏ ହାତକୁ କେଲିଙ୍କ କାନ୍ଧରେ ରଖି ଫଟୋ ଉଠାଇଥିଲେ । ପରେ ସେ କେଲିଙ୍କ ଦୁଇ କାନ୍ଧରେ ଦୁଇ ହାତ ରଖି ଭିଡିଓ ପ୍ରସ୍ତୁତ କରିବାକୁ କହିଥିଲେ । ତେବେ କେଲି ଏହାକୁ ସହଜରେ ଗ୍ରହଣ କରିପାରିନାହାନ୍ତି ବୋଲି ଉଲ୍ଲେଖ କରିଛନ୍ତି । ଅନ୍ୟପକ୍ଷେ କେଲିଙ୍କ ଏହି ଭିଡିଓ ଭାଇରାଲ ହେବା ପରେ ସୋସିଆଲ ମିଡିଆରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି । ଦୁର୍ବ୍ୟବହାର କରିଥିବା ଯୁବକଙ୍କୁ ଗିରଫ କରାଯିବା ତଥା ତାଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଏବେ ଦାବି ଜୋରଦାର ହେଉଛି । ଅନ୍ୟପକ୍ଷେ ସ୍ଥାନୀୟ ପୁଲିସ୍ ପକ୍ଷରୁ ମଧ୍ୟ ଏନେଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ଅଭିଯୁକ୍ତ ଯୁବକର ନାମ ମୋବିନ୍ ଚାନ୍ଦ ମହମ୍ମଦ ଶେଖ୍ (୧୯) ବୋଲି ପୁଲିସ୍ ଜାଣିବାକୁ ପାଇଛି । ମୋବିନ୍ର ଆଉଜଣେ ସାଥୀ ମହମ୍ମଦ ନାକିବ ଅନସାରୀ (୨୧)କୁ ମଧ୍ୟ ପୁଲିସ ଏହି ଘଟଣାରେ ଗିରଫ କରିସାରିଛି । ଉଭୟ ଅଭିଯୁକ୍ତଙ୍କ ଜାମିନ୍ ନାମଞ୍ଜୁର ହୋଇଥିବା ବେଳେ ସେମାନଙ୍କୁ ଜେଲ୍ ପଠାଇ ଦିଆଯାଇଛି ।