ଆବୁଧାବି : ଚଳିତ ବର୍ଷର ଆବୁଧାବି ଟି-୨୦ ଲିଗ୍ରେ ଭାରତୀୟ ବିଶ୍ୱକପ୍ ବିଜେତା ଦଳର ସଦସ୍ୟ ସୁରେଶ ରାଇନା ଡେକାନ୍ ଗ୍ଲାଡିଏଟର୍ସ ପକ୍ଷରୁ ପ୍ରତିନିଧିତ୍ୱ କରିବେ ବୋଲି ଜଣାପଡ଼ିଛି । ଏନେଇ ଟୁର୍ଣ୍ଣାମେଣ୍ଟ୍ କର୍ତ୍ତୃପକ୍ଷ ଟ୍ୱିଟର୍ ମାଧ୍ୟମରେ ସୂଚନା ଦେଇଛନ୍ତି । ଚଳିତ ବର୍ଷ ପ୍ରାରମ୍ଭରେ କ୍ରିକେଟ୍ର ସମସ୍ତ ଫର୍ମାଟ୍ରୁ ଅବସର ନେବା ପରେ ରାଇନା ବିଦେଶୀ ଫ୍ରାଞ୍ଚାଇଜିଭିତ୍ତିକ ଲିଗ୍ରେ ଖେଳିବା ସକାଶେ ଯୋଗ୍ୟତା ହାସଲ କରିଛନ୍ତି । ପୂର୍ବରୁ ଗ୍ଲାଡିଏଟର୍ସ ନିଜ ଦଳରେ ଆନ୍ଦ୍ରେ ରସେଲ୍, ନିକୋଲାସ୍ ପୂରନ୍, ଜେସନ୍ ରୟ, ତାସକିନ୍ ଅହମ୍ମଦ, ଓଡିନ୍ ସ୍ମିଥ୍ ଓ ମୁଜିବ୍ ଉର୍ ରହମାନ୍ଙ୍କ ପରି ତାରକା ଖେଳାଳିଙ୍କୁ ସାମିଲ୍ କରିସାରିଛି । ରାଇନା ଆଇପିଏଲ୍ରେ ଦୀର୍ଘ ବର୍ଷ ଧରି ଚେନ୍ନାଇ ସୁପର୍ କିଙ୍ଗ୍ସ ପକ୍ଷରୁ ପ୍ରତିନିଧିତ୍ୱ କରିଥିଲେ । ଏହାଛଡ଼ା ୨୦୧୬ ଓ ୨୦୧୭ରେ ସେ ଗୁଜରାଟ ଲାୟନ୍ସ ଦଳର ଅଧିନାୟକ ଦାୟିତ୍ୱ ମଧ୍ୟ ତୁଲାଇଥିଲେ । ତେବେ ୨୦୨୦ରେ କୋଭିଡ୍ ସଂକ୍ରମଣ ଆରମ୍ଭ ହେବା ପରେ ସେ ଆଇପିଏଲ୍ରେ ଭାଗନେଇପାରି ନଥିଲେ। ୨୦୨୧ ସଂସ୍କରଣରେ ସେ ହାତଗଣତି ମ୍ୟାଚ୍ ଖେଳିଥିଲେ ହେଁ ସେତେଟା ସଫଳ ହୋଇନଥିଲେ । ପରେ ୨୦୨୨ ସଂସ୍କରଣ ପାଇଁ ହୋଇଥିବା ଅକ୍ସନ୍ରେ ତାଙ୍କୁ କେହି ବି ଖରିଦ୍ ନ କରିବାରୁ ରାଇନାଙ୍କ ଆଇପିଏଲ୍ କ୍ୟାରିୟର୍ରେ ଯବନିକା ପଡ଼ିଥିଲା ।