ଜମ୍ମୁ : ଜମ୍ମୁ-କଶ୍ମୀରର ଏକ ସ୍ୱତନ୍ତ୍ର ଅଦାଲତ ମଙ୍ଗଳବାର ପୂର୍ବତନ ମୁଖ୍ୟମନ୍ତ୍ରୀ ମୁଫ୍ତି ମହମ୍ମଦ ସୟିଦଙ୍କ କନ୍ୟା ତଥା ପିଡିପି ନେତ୍ରୀ ମେହବୁବା ମୁଫ୍ତିଙ୍କ ଭଉଣୀ ରୁବେୟା ସୟିଦଙ୍କ ବିରୋଧରେ ଜାମିନଯୁକ୍ତ ଗିରଫ ପରୱାନା ଜାରି କରିଛନ୍ତି । ୧୯୮୯ ଡିସେମ୍ବରରେ ରୁବେୟାଙ୍କୁ ଅପହରଣ କରାଯାଇଥିବାବେଳେ ଜମ୍ମୁ-କଶ୍ମୀରର ବିଚ୍ଛିନ୍ନତାବାଦୀ ନେତା ୟାସିନ ମାଲିକ୍ ଏହି ମାମଲାର ମୁଖ୍ୟ ଅଭିଯୁକ୍ତ ଅଛନ୍ତି । ତାଙ୍କୁ ଡିସେମ୍ବର ୮ରେ ଅପହରଣ କରାଯାଇଥିଲା । ଘଟଣା ସମୟରେ ରୁବେୟା ଡାକ୍ତରୀ ଛାତ୍ରୀ ଥିବାବେଳେ ପିତା ମୁଫ୍ତି ମହମ୍ମଦ କେନ୍ଦ୍ରରେ ସ୍ୱରାଷ୍ଟ୍ରମନ୍ତ୍ରୀ ଦାୟିତ୍ୱ ତୁଲାଉଥିଲେ । ଅପହର୍ତ୍ତାଙ୍କ ଦାବି ଅନୁଯାୟୀ ଜେଲ୍ରେ ଥିବା ୫ ଜଣ ଆତଙ୍କବାଦୀଙ୍କୁ ଖଲାସ କରାଯିବାପରେ ରୁବେୟା ଡିସେମ୍ବର ୧୩ରେ ମୁକ୍ତି ପାଇଥିଲେ । ସିବିଆଇ ମାମଲାର ତଦନ୍ତ କରୁଥିବାବେଳେ ୟାସିନ୍ଙ୍କ ସମେତ ୩ ଅପହର୍ତ୍ତାଙ୍କୁ ରୁବେୟା ଚିହ୍ନଟ ମଧ୍ୟ କରିସାରିଛନ୍ତି । ମଙ୍ଗଳବାର ମାମଲାର ଶୁଣାଣି ଥିବାବେଳେ ରୁବେୟା କୋର୍ଟରେ ଅନୁପସ୍ଥିତ ରହିବାରୁ ଏଭଳି ପରୱାନା ଜାରି କରାଯାଇଛି । ମାମଲାର ପରବର୍ତ୍ତୀ ଶୁଣାଣି ସେପ୍ଟେମ୍ବର ୨୧କୁ ଧାର୍ଯ୍ୟ କରାଯାଇଛି ।